ନାକେଦମ୍ ହେଲାଣି କମିସନରେଟ୍ ପୁଲିସ; ବାଧାପ୍ରାପ୍ତ ହେଉଛି ତଦନ୍ତ, ଅପରାଧ ନିୟନ୍ତ୍ରଣ

ହକି ବିଶ୍ୱକପ୍, ଅଣ୍ଡାମାଡ଼, ରାଜନୈତିକ ହିଂସା, ଆଗକୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ଦେଢ଼ ମାସ ହେଲା ନାକେଦମ୍ ହେଲାଣି କମିସନରେଟ୍‌ ପୁଲିସ। ଜୁନିଅର୍ ହକି ବିଶ୍ବକପ୍, ମମିତା ମେହେର ତାତିରୁ ବିକ୍ଷୋଭ ପ୍ରଦର୍ଶନ, ମନ୍ତ୍ରୀ, ନେତାଙ୍କୁ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ ସହିତ ରାଜନୈତିକ ହିଂସା, ବିଭିନ୍ନ ରାଜନୈତିକ ଦଳର ଦରଦାମ ବୃଦ୍ଧି ବିରୋଧୀ ଆନ୍ଦୋଳନ ଆଦିକୁ ନିୟନ୍ତ୍ରଣ କରିବାକୁ ଯା‌ଇ କମିସନରେଟ୍‌ ପୁଲିସ ବେହାଲ୍‌ ହୋଇପଡ଼ିଲାଣି। ପୁଣି ଆଗକୁ ଆସୁଛି ବିଧାନସଭା ଶୀତ ଅଧିବେଶନ। ଏସବୁ ଭିତରେ ରାଜଧାନୀରେ ବଢ଼ି ଚାଲିଛି ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ। ତେଣୁ ଏସବୁ ଚାପରେ ଚେପା ହୋଇଗଲାଣି କମିସନରେଟ୍‌ ପୁଲିସ। ଫଳରେ ବିଭିନ୍ନ ଅପରାଧର ତଦନ୍ତ ଅଧପନ୍ତରିଆ ହୋଇ ରହୁଛି ଓ ତଦନ୍ତ ବାଟବଣା ହେଉଛି। ଏହାକୁ ମଉକା ଭାବେ ନେଇ ଅପରାଧୀମାନେ ବି ଅଧିକ ସକ୍ରିୟ ହୋଇ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବା ଅଭିଯୋଗ ହେଉଛି।

କଳାହାଣ୍ଡି ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡ କମିସନରେଟ୍‌ ପୁଲିସ ପାଇଁ ସବୁଠୁ ଅଧିକ ଅଡ଼ୁଆ ସୃଷ୍ଟି କରିଛି। ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଦେଢ଼ ମାସ ହେଲା ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି ଶାସକ ଦଳର ବିରୋଧୀମାନେ। କଂଗ୍ରେସ ଓ ବିଜେପିର ବିଭିନ୍ନ ଶାଖା ବା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ ନବୀନ ନିବାସ ଘେରାଉ ପର୍ଯ୍ୟନ୍ତ ଆନ୍ଦୋଳନ ଲାଗି ରହିଛି। ‌ତେଣୁ ପ୍ରାୟ ସବୁଦିନ ପୁଲିସ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ରାଜଧାନୀର ରାଜରାସ୍ତାରେ ଧସ୍ତାଧସ୍ତି ଚାଲିଛି। ବଡ଼ ସମସ୍ୟା ହେଉଛି ଅଣ୍ଡା ଓ ଟମାଟୋ ମାଡ଼। ଏଥିସହିତ ବିଜୁଳି ଦର ବୃଦ୍ଧି ବିରୋଧରେ ପ୍ରତିବାଦ ବି ରହିଛି। ଏବେ ବିଜେଡି କର୍ମୀମାନେ ରାସ୍ତାକୁ ଓହ୍ଲାଇଲେଣି। ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଖାଲି ସେତିକି ନୁହେଁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବାକୁ ଯାଇ ବିଜେଡି କର୍ମୀମାନେ ରାସ୍ତାକୁ ଆସିବା ପରେ ରାଜନୈତିକ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅପରାଜିତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେହିଭଳି କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଜୁନିୟର ବିଶ୍ବକପ୍ ହକି ପ୍ରତିଯୋଗିତା ମଧ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏହାକୁ ନିରାପଦ ଭାବେ ଶୃଙ୍ଖଳାର ସହ ସଫଳ କରାଇବାକୁ କମିସନରେଟ୍‌ ପୁଲିସ ସବୁ କଳବଳ ଖଟାଇଛି। ଏସବୁ ଚ୍ୟାଲେଞ୍ଜ ଭିତରେ ଆସୁଛି ବିଧାନସଭା ଶୀତ ଅଧିବେଶନ। ଆଉ ମାତ୍ର ଦୁଇ ଦିନ ପରେ ଏହା ଆରମ୍ଭ ହେବ। ସେତେବେଳେ ମଧ୍ୟ ବିରୋଧୀ ଦଳମାନଙ୍କ ପକ୍ଷରୁ ମମିତା ମେହେର ତାତି ପୁଣି ଦେଖାଦେବ। ପଞ୍ଚାୟତ ଓ ପ‌ୌର ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଥିବାରୁ ବିଭିନ୍ନ ଦାବି ନେଇ ଧାରଣା ଓ ଶୋଭାଯାତ୍ରା ବାହାରିବ। ଏତେଗୁଡ଼ିଏ ଆଇନଶୃଙ୍ଖ​ଳା ପରିସ୍ଥିତିକୁ ସାମ୍ନା କରିବା ଏବେ କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ବଡ଼ ଚିନ୍ତାର କାରଣ ହେଉଛି ପୁଲିସର ସୀମିତ ମାନବସମ୍ବଳ। ଆଇନଶୃଙ୍ଖଳା ସମ୍ଭାଳିବ କି ଅପରାଧକୁ ନିୟନ୍ତ୍ରଣ କରିବ, ସେଇ ଚିନ୍ତା ପୁଲିସକୁ ଘାରିଛି। ଏବେ ରାଜଧାନୀରେ ଚୋର, ଲୁଟେରା, ଠକ ଓ ଅସାମାଜିକଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ଛିନ୍‌ତାଇ ଏକ ନିତିଦିନିଆ ଅପରାଧ ହୋଇସାରିଛି। ଆତଙ୍କ ସୃଷ୍ଟିକାରୀ କେବିଏନ୍ ଗ୍ୟାଙ୍ଗ୍‌ ଏବେ ବି ପୁଲିସ ନିୟନ୍ତ୍ରଣକୁ ଆସିପାରିନାହିଁ। ଗ୍ୟାଙ୍ଗ୍‌ ମୁଖିଆ ବୁବୁ ସହ ଆହୁରି ଅନେକ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ପୁଲିସ ସହରର ବିକ୍ଷୋଭ, ଆନ୍ଦୋଳନ ଭଳି ଆଇନଶୃଙ୍ଖଳା ଜଗୁଜଗୁ ଅପରାଧୀମା‌ନେ ସହଜରେ ଅପରାଧ ଘଟାଇ ଛୁ’ ମାରୁଛନ୍ତି।

୧୩ ବର୍ଷ ପରେ ବି ଅଲଗା ହେଲାନି ଅପରାଧ ଓ ଆଇନଶୃଙ୍ଖଳା
କମିସନରେଟ୍ ପୁଲିସ ଗଠନ ସମୟରେ ଅପରାଧ ଓ ଆଇନଶୃଙ୍ଖଳା ବିଭାଗକୁ ଅଲଗା କରିବା ପାଇଁ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା। ରାଜଧାନୀରେ ବର୍ଷ ତମାମ୍ ଆଇନଶୃଙ୍ଖଳା, ଭିଭିଆଇପିଙ୍କ ଗସ୍ତ, ବିଧାନସଭା ଅଧିବେଶନ, ଅନ୍ତର୍ଜାତୀୟ କ୍ରୀଡ଼ା, ମେଳା ଆଦି ଅନୁଷ୍ଠିତ ହେଉଥିବାରୁ ପୁଲିସ ଅଫିସରମାନେ ନିୟୋଜିତ ରହୁଛନ୍ତି। ଥାନାରେ କାମ କରୁଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ନି‌‌ୟୋଜିତ ହେଉଛନ୍ତି। ଫଳରେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତରେ ବାଧା ଉପୁଜୁଛି। ଏଥିପାଇଁ ଏହି ଦୁଇ ବିଭାଗକୁ ଅଲଗା ରଖିବା ପାଇଁ ପ୍ରସ୍ତାବ ରହିଥିଲା। ଏହି ଦୁଇଟି ବିଭାଗ ଅଲଗା ହେଲେ, ଥାନାରେ କର୍ତ୍ତବ୍ୟରତ ଅଫିସର ଓ କର୍ମଚାରୀଙ୍କୁ ଆଉ ଆଇନଶୃଙ୍ଖଳା କାମରେ ନିୟୋଜିତ କରାଯିବ ନାହିଁ। ସେଥିପା‌ଇଁ ସ୍ବତନ୍ତ୍ର ପୁଲିସ ବଳ କାମ କରିବ। ପୂର୍ବରୁ କେତେକ ପୁଲିସ କମିସନର ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇ ସାରିଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।

ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦ କହିଛନ୍ତି, ରାଜଧାନୀରେ ଆଇନଶୃଙ୍ଖଳା ଚାପ ପୁଲିସ ଉପରେ ଅଧିକ ରହୁଛି। ଯାହା ଫଳରେ ଅପରାଧ ମାମଲାର ତଦନ୍ତ ବାଧାପ୍ରାପ୍ତ ହେଉଛି। ଅତ୍ୟଧିକ ଚାପ ଯୋଗୁ କେତେକ ମାମଲାର ତଦନ୍ତ ଦୁର୍ବଳ ହୋଇଯାଉଛି। ଏହି ଦୁଇଟି ବିଭାଗ ଅଲଗା କରିବାକୁ ହେଲେ ଥାନାରେ ମାନବସମ୍ବଳ ବଢ଼ାଇବାକୁ ପଡ଼ିବ। ସରକାରଙ୍କ ଏ ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହା କେବେ କାର୍ଯ୍ୟକାରୀ ହେବ ତାହା ସରକାରଙ୍କ ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର