ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାହିତ କରିବାକୁ ଆଜି କମିସନେରଟ୍‌ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ କମିସନର ସଂଜୀବ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ମେୟର ସୁଲୋଚନା ଦାସ ଓ ଡିସିପି ପ୍ରତୀକ ସିଂ ଯୋଗଦେଇଥିଲେ। ଉତ୍ତର ଭୁବନେଶ୍ବର ଭସାଣି କମିଟିର ଉପଦେଷ୍ଟା ମଧୁମାଧବ ଜେନା, ସହିଦନଗର ଭସାଣି କମିଟିର ସଭାପତି ମନୋରଂଜନ ଦାସ, ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧି ନିରଂଜନ ମିଶ୍ରଙ୍କ ସମେତ ରାଜଧାନୀର ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଏଥିରେ ଯୋଗଦେଇ ମତାମତ ଜଣାଇଥିଲେ।

Advertisment

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କେହି ‌ଡିଜେ ବଜାଇ ପାରିବେ ନାହିଁ। କେହି ଅମାନିଆ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଡିଜେ ସଂସ୍ଥାକୁ ଜରିମାନା କରାଯିବ। ମଣ୍ଡପଗୁଡ଼ିକ କୌଣସି ପ୍ରକାର ରାସାୟନିକ ପଦାର୍ଥ କିମ୍ବା ପ୍ଲାଷ୍ଟିକ ବ୍ୟବହାର କରିବେ ନାହିଁ। ରାବଣପୋଡ଼ିରେ କମ୍‌ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବ୍ୟବହାର କରିବାକୁ ସ୍ଥିର କରାଯାଇଛି। ରାବଣପୋଡ଼ି ସ୍ଥାନରେ ବ୍ୟାରିକେଡ୍‌ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ପୂଜାରେ ବ୍ୟବହାର ହେଉଥିବା ଜମି ପାଇଁ ପୂଜା କମିଟି ସାଧାରଣ ପ୍ରଶାସନ ବିଭାଗ(ଜିଏ)କୁ ଦେଉଥିବା ଦେୟ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ପୂଜା କମିଟିର ସଦସ୍ୟମାନେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ବିପର୍ଯ୍ୟସ୍ତ ‌ଅବସ୍ଥାରେ ବହୁ ରାସ୍ତା ଥିବା ପ୍ରସଙ୍ଗ ଉଠିଥିଲା। ଅଗ୍ନିଶମ ସ୍ବୀକୃତି ଦେବାରେ ବିଳମ୍ବ କରୁଛି, ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଝୁଲି ରହିଛି ବୋଲି ସଦସ୍ୟମାନେ କହିଥିଲେ। ଏସବୁ ଶୁଣିବା ପରେ ଉପସ୍ଥିତ ଅଗ୍ନିଶମ ବିଭାଗ, ପୂର୍ତ୍ତବିଭାଗ, ଟାଟା ପାୱାର, ବିଏମ୍‌ସିର ଅଧିକାରୀ ଏବଂ କର୍ମଚାରୀମାନେ ସମସ୍ତ ସହାୟତା ଯେଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ମଦମୁକ୍ତ ପୂଜା
ଆଜି ବୈଠକରେ ପୂଜା କମିଟିର ସଦସ୍ୟମାନେ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ କୌଣସି ପ୍ରକାର ନିଶା ସେବନ ନ କରିବାକୁ ଶପଥ ନେଇଥିଲେ। ପୂଜା ଦିନ ମା’ଙ୍କ ପାଖରେ ମଧ୍ୟ ଆଳତି କରି ଶପଥ ନେବେ ବୋଲି କହିଥିଲେ। ସେହିପରି କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ପୂଜା ସମୟରେ ଡ୍ରଙ୍କେନ୍‌ ଡ୍ରାଇଭ୍‌କୁ ଆହୁରି କଡ଼ାକଡ଼ି କରାଯିବ। ନବମୀ ଓ ଦଶମୀ ୨ଦିନ ରାଜଧାନୀର ମଦ ଦୋକାନ ସବୁ ବନ୍ଦ କରିବାକୁ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। 

ବନ୍ଧାହେବେ ଦାଗୀ, ଖୋଲିବ ଅସ୍ଥାୟୀ ଫାଣ୍ଡି
ପୂଜା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୩ କମ୍ପାନି ସିଆର୍‌ପିଏଫ୍ ଯବାନ, ଷ୍ଟ୍ରାଇକିଂ ଫୋର୍ସ, ଏନ୍‌ଡିଆର୍‌ଏଫ୍, କୁଇକ୍ ଆକ୍ସନ ଟିମ୍ ମଧ୍ୟ ସହର ଉପରେ ନଜର ରଖିବେ। ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ। ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଆଉଟ୍‌ପୋଷ୍ଟ ଖୋଲିବ। ଯେଉଁ ମଣ୍ଡପରେ ମା’ଙ୍କୁ ସୁନା ରୁପା ଗହଣାରେ ସଜ୍ଜିତ କରାଯାଉଛି, ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି। ଅଷ୍ଟମୀ ତିଥିରୁ ମଣ୍ଡପଗୁଡ଼ିକରେ ଅଧିକ ମହିଳା ପୁଲିସ ମୁତୟନ କରାଯିବ। ପ୍ରତ୍ୟେକ ମଣ୍ଡପ ସିସିଟିଭି ନଜରରେ ରହିବ। ‌ଏଥିପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ କରାଯିବ। ଅଭ୍ୟାସଗତ ଅପରାଧୀ ବା ଦାଗୀ ଅପରାଧୀଙ୍କ ତାଲିକା କରାଯାଉଛି ଏବଂ ସେମାନଙ୍କୁ ଖୋଜିଖୋଜି ବନ୍ଧାଯିବ ବୋଲି କୁହାଯାଇଛି। ସେହିପରି ପୂଜା ଚାନ୍ଦା ବା ବଟି ମାଗିବା ଅଭିଯୋଗ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଟ୍ରାଫିକ୍‌ ସମସ୍ୟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ପୂଜା ସମୟରେ ଟ୍ରାଫିକ୍‌ ଭିଡ଼ ଏକ ଗୁରୁତର ସମସ୍ୟା। ତେଣୁ ଟ୍ରାଫିକ୍‌ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ମଣ୍ଡପ ଆଖପାଖ ଅଞ୍ଚଳରେ ଥିବା ଜବରଦଖଲକୁ ହଟାଯିବ। ଭାରୀଯାନ ପ୍ରବେଶ ଉପରେ କଟକଣା ରହିବ। ସେହିପରି ପୂଜା ସମୟରେ ସହରର କେତେକ ପ୍ରମୁଖ ରାସ୍ତାରେ ଡାଇଭର୍ସନ‌୍ କରାଯିବ। ମଣ୍ଡପ ନିକଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବା ଲାଗି ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି କରିବା ସହ ସ୍ବତନ୍ତ୍ର ଭାବେ ପାର୍କିଂ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

ଫ୍ରି ପାର୍କିଂ ପାଇଁ ଦାବି
ପୂଜା ସମୟରେ ଟ୍ରାଫିକ୍‌ ସମସ୍ୟାକୁ ଏଡ଼ାଇବା ପାଇଁ ପୂଜା କମିଟି ପକ୍ଷରୁ ମାଗଣା ପାର୍କିଂ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ଲୋକମାନେ ଗାଡ଼ିକୁ ମଣ୍ଡପକୁ ସଂଲଗ୍ନ ରାସ୍ତାରେ ନ ରଖି, ନିକଟରେ ଥିବା ମଲ୍ଟି‌ ଲେଭେଲ୍‌ କାର୍‌ ପାର୍କିଂ(ଏମଏଲ୍‌ସିପି)ରେ ରଖିପାରିବେ। ଏହି ସମୟରେ ସେମାନଙ୍କଠାରୁ କୌଣସି ଦେୟ ଆଦାୟ ନକରିବା ପାଇଁ ଅନୁରୋଧ କରାଯାଇଛି। ଏହା ଉପରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। 

ଗଛକଟା ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ
ବିଭିନ୍ନ ପୂଜା କମିଟିକୁ ଗଛ ବାଧକ ସାଜିଛି। କିନ୍ତୁ କେହି ଗଛ କାଟିପାରିବେ ନାହିଁ। ଗଛର ଡାଳ କାଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ମାଗଣାରେ ସମସ୍ତ ସହାୟତା ଯୋଗାଇଦିଆଯିବ। ଯଦି କେହି ଏଥିପାଇଁ ଟଙ୍କା ମାଗେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି। 

ଭସାଣି ଦିନ ଛୁଟି ଘୋଷଣା ଦାବି
ଭସାଣି ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି। ସେଦିନ ସରକାରୀ କାର୍ଯ୍ୟ ଦିବସ ଥିବାରୁ ଅନେକ ଲୋକ ଭସାଣି ଦେଖିବାରୁ ବଞ୍ଚିତ ହୋଇଥାଆନ୍ତି। ତେଣୁ ସରକାର ଛୁଟି ଘୋଷଣା କରିବାକୁ ପୂଜା କମିଟି ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।