ବାରମ୍ବାର ଦୁର୍ଘଟଣା ପରେ ରାଜଧାନୀରେ ଚିହ୍ନଟ ହେଲା ବ୍ଲାକସ୍ପଟ : ୫ଟି ଅଧିକ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଚିହ୍ନଟ କଲା କମିଶନରେଟ ପୁଲିସ

ଭୁବନେଶ୍ବର: ରାଜଧାନୀର ରାସ୍ତା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ । ଭୁବନେଶ୍ୱରରେ ବାରମ୍ବାର ଦୁର୍ଘଟଣା କମିଶନରେଟ ପୁଲିସର ଚିନ୍ତା ବଢାଇଦେଇଛି । ବିଗତ କିଛି ଦିନ ଭିତରେ ଅନେକ ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଇଛନ୍ତି । ବିଶେଷ କରି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଧନଜୀବନ ଯିବା ପରେ ଏହାକୁ ନିୟନ୍ତ୍ରଣ କରିବା ପୁଲିସ ଲାଗି ଚ୍ୟାଲେଞ୍ଜ ହୋଇଛି । ଏହା ପରେ ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ଅଂଚଳ ଚିହ୍ନଟ କାମ ଆରମ୍ଭ ହୋଇଛି । ଭୁବନେଶ୍ୱରର ୫ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି ।

ବାଟଭୁଆସୁଣୀ, ପାତ୍ରପଡାର ଆଇଗିଣିଆ, ନୟାପଲ୍ଲୀର କ୍ରାଉନ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓ ପାହାଳକୁ ଦୁର୍ଘଟଣାପ୍ରବଣ ଅଂଚଳ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଗତକାଲି ବ୍ଲାକସ୍ପଟ ଚିହ୍ନଟ କରିବାକୁ ପୁଲିସ କମିଶନର  ନିର୍ଦ୍ଦେଶ ଦେଇଥିଲେ । ରାଜଧାନୀର ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି । ଇଂଟରସେପ୍ଟର ଯୋଗେ ସ୍ପିଡ ଉପରେ କଟକଣା ଲଗାଯାଇ ଫାଇନ ଆଦାୟ କରାଯିବ ଏବଂ ସ୍ପିଡ ବ୍ରେକର ଲଗାଯାଇ ଗାଡିର ବେଗକୁ ନିୟନ୍ତ୍ରଣ କରାଯିବ ବୋଲି କମିଶନରେଟ ପୁଲିସ ନିଷ୍ପତ୍ତି ନେଇଥିଲା । ଏବେ ବ୍ଲାକସ୍ପଟ ଚିହ୍ନଟ ହେବା ପରେ ଏଠାରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଆଯିବ ।

 

ସମ୍ବନ୍ଧିତ ଖବର