ଏମିତି ଶକ୍ତ କମିସନରେଟ୍‌ ପୁଲିସ! ବେଶି ଅସୁରକ୍ଷିତ ମହିଳା କର୍ମଚାରୀ

୬ ମାସରେ ୬ଥର ଆକ୍ରମଣର ଶିକାର

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବେଶି ଶକ୍ତ ଓ ଦକ୍ଷ ବୋଲି ସାଧାରଣରେ ଏକ ବିଶ୍ବାସ ରହିଛି। ମାତ୍ର ଗତ ୬ ମାସର କିଛି ଘଟଣାରୁ ସ୍ପଷ୍ଟ ହୁଏ ଯେ କମିସନରେଟ୍‌ ପୁଲିସ ବି ନିଜେ ସୁରକ୍ଷିତ ନୁହେଁ। ବେଶି ଅସୁରକ୍ଷିତ ମହିଳା ପୁଲିସ କର୍ମଚାରୀ। ଚଢ଼ଉ ବେଳେ କିଏ ମହିଳା ପୁଲିସକୁ ଅସଦାଚରଣ କଲାଣି ତ କିଏ ସ୍ପଷ୍ଟ ଦିବାଲୋକରେ ଓ ବିଳମ୍ବିତ ରାତିରେ ପୁଲିସକୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇଲାଣି। କିଏ ଟ୍ରାଫିକ୍‌ ଛକ ଉପରେ ପୁଲିସକୁ ଆକ୍ରମଣ କଲାଣି ତ ପୁଣି କିଏ ଅଭିଯୁକ୍ତକୁ ମାରଣାସ୍ତ୍ର ଦେଖାଇ ପୁଲିସକୁ ତଡ଼ିଲାଣି। ଉଦ୍‌ବେଗର କଥା ହେଉଛି ବର୍ଦ୍ଦିରେ ଥିବା ବେଳେ ପୁଲିସକୁ ଆକ୍ରମଣର ଶିକାର ହେଉଛି। ଆଇଆଇସିସ୍ତରରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ କେହି ଅପରାଧୀଙ୍କ ଆକ୍ରୋଶରୁ ବର୍ତ୍ତିପାରୁନାହାନ୍ତି। ଉପକଣ୍ଠରୁ ଆରମ୍ଭ କରି ରାଜଧାନୀ ଛାତି ଉପରେ ଅପରାଧୀମାନଙ୍କ ଏଭଳି ଦୁଃସାହାସିକ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ତେଣୁ ନିଜ ସ୍ଥିତିକୁ ସମ୍ଭାଳି ପାରୁନଥିବା କମିସନରେଟ୍‌ ପୁଲିସ ସାଧାରଣଲୋକଙ୍କୁ କି ସୁରକ୍ଷା ଯୋଗାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୬ମାସ ମଧ୍ୟରେ କମିସନରେଟ୍‌ ପୁଲିସ ୬ରୁ ଅଧିକ ଥର ଆକ୍ରମଣର ଶିକାର ହେଲାଣି। ନିକଟରେ ଘଟିଥିବା କେତେକ ଘଟଣାକୁ ନେଇ ସମ୍ବାଦର ଏହି ସ୍ବତନ୍ତ୍ର ଉପସ୍ଥାପନା।

ନଦୀପଠାରେ ମହିଳା ଏସ୍‌ଆଇଙ୍କୁ ଅସଦାଚରଣ

ମେ’ ୩୦ ତାରିଖ ରାତି ପାଖାପାଖି ସାଢ଼େ ୧୦ଟା। କୁଆଖାଇ ନଦୀପଠାରେ ନିଶା ଖାଇ ଉତ୍ପାତ କରୁଥିଲେ କିଛି ନିଶାଡ଼ି। ଖବର ପାଇ ପୁଲିସ ବଡ଼ଗଡ଼ ଥାନା ପୁଲିସ ସେଠାରେ ଚଢ଼ଉ କଲା। ଚଢ଼ଉର ନେତୃତ୍ବ ନେଇଥିଲେ ଜଣେ ମହିଳା ଏସ୍‌ଆଇ। କିନ୍ତୁ ନିଶାଡ଼ିମାନେ ଡରିନଥିଲେ। ମହିଳା ଏସ୍‌ଆଇଙ୍କୁ ଘେରିଗଲେ। ଅସଦାଚରଣ କରିବାକୁ ପଛାଇଲେ ନାହିଁ। ତେବେ ଖବର ପାଇ ଆଉ ତିନିଟି ପିସିଆର୍‌ ପହଞ୍ଚିଯିବାରୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେବା ବେଳେ ପୁଲିସ କର୍ମଚାରୀମାନେ ଗୋଡ଼ାଇ ଗୋଡ଼ାଇ ବାଲିଅନ୍ତା ରଙ୍ଗବଜାର ଅଞ୍ଚଳର ଦୁଇଭାଇ ଦୁର୍ଗା ପ୍ରସାଦ ପାତ୍ର ଓ ସଂଗ୍ରାମ କେଶରୀ ପାତ୍ରକୁ କାବୁ କରିଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ମହିଳା ଏସ୍‌ଆଇଙ୍କୁ ଖଣ୍ଡା ଧରି‌ ଗୋଡ଼ାଇଲେ

ନୂଆ ବର୍ଷ ରାତିରେ ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକ ଥାନାରୁ ଘରକୁ ଫେରୁଥିଲେ। ସେ ସାଇନ୍ସପାର୍କ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଏକ ଇନୋଭା କାର୍‌ ତାଙ୍କ ଗାଡ଼ି ଆଡ଼କୁ ମାଡ଼ିଆସିଥିଲା। ଏସ୍‌ଆଇ ଶ୍ରୀମତୀ ନାୟକ ଭୟରେ ନିଜ କାର୍‌କୁ ରାସ୍ତା ପାର୍ଶ୍ବକୁ ନେଇଯାଇଥିଲେ। ଏତିକିରେ ଥମି ନଥିଲା ଅପରାଧୀ ଗୋଷ୍ଠୀଙ୍କ ଉନ୍ମତ୍ତକାଣ୍ଡ। ଏସ୍‌ଆଇଙ୍କ କାର୍‌ ପାଖକୁ ଆସି ଗାଳିଗୁଲଜ କରିଥିଲେ। ଶ୍ରୀମତୀ ନାୟକ ବର୍ଦ୍ଦିରେ ଥିଲେ ବି ସେମାନଙ୍କ ମନରେ ତିଳେମାତ୍ର ଭୟ ନଥିଲା। ସେମାନେ ଖଣ୍ଡା ଧରି ତାଙ୍କୁ ଗୋଡ଼ାଇଥିଲେ। ସେ ଜୀବନ ବିକଳରେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଭିତରକୁ ପଳାଇଥିଲେ। ଏହାପରେ ଅପରାଧୀମାନେ ଫେରିଯାଇଥିଲେ। ତେବେ ପରେ ସହିଦନଗର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଟ୍ରାଫିକ୍‌ ଛକରେ ମହିଳା କନେଷ୍ଟବଳଙ୍କୁ ଟଣାଓଟରା

ଗତ ଡିସେମ୍ବର ୧୭ ତାରିଖ ସନ୍ଧ୍ୟାରେ କାହ୍ନା ଓ ପଦୁ ନାମକ ଦୁଇ ଯୁବକ ଏକ ବାଇକ୍‌ରେ ୧୨୦ ବାଟାଲିୟନ ନିକଟରେ ଯାଉଥିବା ବେଳେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ସେଠାରେ କାର୍ଯ୍ୟରତ ମହିଳା ଟ୍ରାଫିକ୍‌ କନଷ୍ଟେବଳ ଉଭୟଙ୍କୁ ଅଟକାଇଥ‌ିଲେ। ଏତିକିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ଦୁଇ ଯୁବକ। ସେମାନେ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲେ। ଏନେଇ ମହିଳା କନେଷ୍ଟବଳ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍‌ରୁ ସେମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା।

ମହିଳା ଥାନା ପୁଲିସକୁ ମାରଣାସ୍ତ୍ର ଦେଖାଇ ତଡ଼ିଲେ

ଗତ ଡିସେମ୍ବର ୧୮ ତାରିଖରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ ପାଇଁ ଯାଇଥିବା ବେଳେ ମହିଳା ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଥିଲା। ମହିଳା ଥାନା ପୁଲିସର ଏକ ଟିମ୍‌ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସୁଧୀରଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ ସପରିବାର ‌ପୁଲିସକୁ ଘେରିଯାଇଥିଲେ। ବହ୍ଲା, ଠେଙ୍ଗା ଓ ମାରଣାସ୍ତ୍ର ଧରି ପୁଲିସ ଟିମ୍‌କୁ ଗୋଡ଼ାଇଥିଲେ। ଏମିତିକି ସେମାନଙ୍କୁ ଧକ୍କା ମାରିବାକୁ ପଛାଇନଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତକୁ କାବୁ କରିଥିଲା।

 

ସମ୍ବନ୍ଧିତ ଖବର