ଅପରାଧ ମୁହାଁ ଯୁବପିଢ଼ିଙ୍କୁ ରୋକିବ ପୁଲିସ : ଛାତ୍ରଛାତ୍ରୀ ହେବେ ଥାନାର ନିମନ୍ତ୍ରିତ ଅତିଥି

ରାଜଧାନୀର ବିଭିନ୍ନ ଥାନାରେ ଲାଗୁ କରିବାକୁ ଯୋଜନା

ଚନ୍ଦ୍ରଶେଖରପୁର : ଅପରାଧ ମୁହାଁ ହେଉଛନ୍ତି ଯୁବପିଢ଼ି। ଲୁଟ୍‌, ହତ୍ୟା, ଡକାୟତି, ସେକ୍ସ ସ୍କାଣ୍ଡାଲ୍‌ ପରି ଘଟଣାରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ସମ୍ପୃକ୍ତି ବଢ଼ୁଛି। ପଢ଼ିବା ସମୟରେ କିଛି ଛାତ୍ରଛାତ୍ରୀ ଏଭଳି କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଅପରାଧ ଦୁନିଅାଁରେ ପାଦ ଥାପିବା ପୂର୍ବରୁ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ଓ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ନୂଆ ଯୋଜନା ଆରମ୍ଭ କରାଯାଉଛି। ଏଣିକି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଥାନାକୁ ନିମନ୍ତ୍ରଣ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟକଳାପ, ସୁରକ୍ଷା, ଟ୍ରାଫିକ୍‌ ପରିଚାଳନା ପରି ବିଷୟରେ ସଚେତନ କରାଯିବ। ଥାନାରେ କର୍ମଶାଳା କରିବାକୁ ମଧ୍ୟ ଯୋଜନା ହୋଇଥିବା ଜଣାପଡ଼ିଛି।

ରବିବାର ‘କିଟ୍‌’ କ୍ୟାମ୍ପସରେ ଅନୁଷ୍ଠିତ ଭୁବନେଶ୍ୱର ଜୋନ୍‌-୬ର ପୁଲିସର ଜନସମ୍ପର୍କ ଶିବିରରେ ଯୁବପିଢ଼ିଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଶିବିରରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିଥିଲେ ମଧ୍ୟ ଯୁବପିଢ଼ିଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ହାତଗଣତି କିଛି ଯୁବକ ସାମିଲ ହୋଇଥିବା ବେଳେ ଯୁବତୀଙ୍କ ସଂଖ୍ୟା ଏକ ଅଙ୍କ ବି ଟପି ନଥିଲା। ଏହାକୁ ନେଇ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ଚିନ୍ତା ପ୍ରକଟ କରିବା ସହ ଆଗାମୀ ଦିଗରେ ବହୁ ସଂଖ୍ୟାରେ ଯୁବପିଢ଼ି କିଭଳି ସାମିଲ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଅଧିକ ସଂଖ୍ୟାରେ କଲେଜ ଓ ସ୍କୁଲ ରହିଛି। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଥାନାକୁ ନିମନ୍ତ୍ରଣ କରି ପୁଲିସ ପ୍ରତି ସେମାନଙ୍କ ମନରେ ଥିବା ନକରାତ୍ମକ ଧାରଣାକୁ ବଦଳାଇବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଖୁବ୍‌ଶୀଘ୍ର ଭୁବନେଶ୍ୱରର ବିଭିନ୍ନ ଥାନାରେ ଆରମ୍ଭ ହେବ ‘ନୋ ୟୋର୍‌ ପୁଲିସ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଥାନା ଅଧିକାରୀ ନିଜ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନ ଥାନାକୁ ନିମନ୍ତ୍ରଣ କରିବେ। ପିଲାଙ୍କ ସହ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷକ/ଅଧ୍ୟାପକ ମଧ୍ୟ ଥାନାକୁ ଆସିବେ। ପୁଲିସ କିଭଳି କାର୍ଯ୍ୟ କରୁଛି ସେନେଇ ଏକ ଭିଡିଓ ପ୍ରଦର୍ଶିତ କରାଯିବ। ଜଣେ ବ୍ୟକ୍ତି କେଉଁଭଳି ଭାବେ ଅଭିଯୋଗ କରେ? ଅଭିଯୋଗକୁ କିଭଳି ଗ୍ରହଣ କରାଯାଏ? ମାମଲା ଥାନାରେ କିଭଳି ପଞ୍ଜୀକରଣ ହୁଏ? ସେନେଇ ପିଲାଙ୍କୁ ଅବଗତ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାର ଦେବାର ବ୍ୟବସ୍ଥା କରାଯିବ। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି ଏ ସଂପର୍କରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର