କମିସନରେଟ ପୁଲିସର ନୂଆ ଯୋଜନା : ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ମିଳିବ ପୁନଃ ନିଯୁକ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ କମିସନରେଟ୍‌ ପୁଲିସରେ ମିଳିବ ପୁନଃ ନିଯୁକ୍ତି। ଏଏସ୍‌ଆଇଠାରୁ ଆରମ୍ଭ କରି ଇନ୍ସପେକ୍ଟର ଭଳି ପଦବିରେ ନିଯୁକ୍ତ ହେବେ। ପାଟ୍ରୋଲିଂଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଟ୍ରାଫିକ୍‌, ତଦନ୍ତ ଓ ଅଫିସିଆଲ୍‌ କାମ କରିବେ। ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ। ରାଜ୍ୟ ସରକାର ପ୍ରସ୍ତାବରେ ରାଜି ହେବା ପରେ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନଙ୍କୁ ଭୁବନେଶ୍ୱର ଓ କଟକରେ ନିଯୁକ୍ତି ମିଳିବ।

ପୁଲିସ କମିସନର୍‌ ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବର୍ତମାନ କମିସନରେଟ୍‌ ପୁଲିସରେ ୨ଶହରୁ ଅଧିକ ଅଫିସର୍‌ ପଦବି ଖାଲି ରହିଛି। ଏହି କାରଣରୁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଆଗକୁ ବିଶ୍ୱକପ ହକି ଭୁବନେଶ୍ୱରରେ ଆୟୋଜିତ ହେବାର ଥିବାରୁ ଅଧିକାଂଶ ପୁଲିସ କର୍ମଚାରୀ ଏଥିରେ ନିଯୁକ୍ତ ରହିବେ। ତେଣୁ ଏଭଳି ସମୟରେ ଥାନା କାମ କରିବା କଷ୍ଟକର ହୋଇ ପଡ଼ିବ। ବିଶେଷ କରି କାଗଜପତ୍ର କାମ ଏକ ଦମ୍‌ ଠପ୍‌ ହୋଇ ଯିବ। ଏହି ସମସ୍ୟାରୁ ବର୍ତିବା ପାଇଁ ଏଭଳି ପ୍ରସ୍ତାବ ଦିଆଯାଇଛି ବୋଲି ପୁଲିସ କମିସନର୍‌ ଖୁରାନିଆ ସୂଚନା ଦେଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଅତିକମ୍‌ରେ ୧୦ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏଠାରେ ପ୍ରକାଶଥାଉକି ପୂର୍ବରୁ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନଙ୍କୁ ଏସ୍‌ପିଓ ଭାବେ ନିଯୁକ୍ତି ମଳିଛି। ଯେଉଁମାନେ କେବଳ ପାଟ୍ରୋଲିଂ ଓ ଆଇନଶୃଙ୍ଖଳା କାମରେ ନିୟୋଜିତ ହୋଇ ଅଛନ୍ତି। ପୁଲିସ କମିସନର୍‌ ଶ୍ରୀ ଖୁରାନିଆଙ୍କ ଏଭଳି ଯୋଜନାକୁ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର