କମିସନରେଟ୍‌ ପୁଲିସକୁ ମିଳୁନାହାନ୍ତି ଆଇଆଇସି

ତିନି ଥାନାର ଭାର ସମ୍ଭାଳିଛନ୍ତି ଡିଏସପି, ୧୦ ମାସ ହେଲାଣି କାମଚଳାରେ ଚାଲିଛି ଇନ୍‌ଫୋସିଟି ଥାନା

ଭୁବନେଶ୍ବର : ରାଜଧାନୀରେ କମିସନରେଟ୍‌ ପୁଲିସର ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ମାସ ମାସ ଧରି ଆଇଆଇସି ମିଳୁ ନାହାନ୍ତି। ତିନୋଟି ଗୁରୁତ୍ବପୂର୍ଣ୍ଣ ଥାନାରେ ନିକଟରେ ପଦୋନ୍ନତି ପାଇଥିବା ଡିଏସ୍‌ପି ଆଇଆଇସି ଭାର ସମ୍ଭାଳିଛନ୍ତି। ପାଖାପାଖି ତିନି ମାସ ହେଲା, ଏମିତି ବ୍ୟବସ୍ଥା ଦେଇ ଚାଲିଛି କମିସନରେଟ୍‌ ପୁଲିସ। ଖାଲି ସେତିକି ନୁହେଁ, ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଇନଫୋସିଟି ଥାନାରେ ୧୦ ମାସ ହେଲା ଆଇଆଇସି ନାହାନ୍ତି। ନନ୍ଦନକାନନ ଥାନା ଆଇଆଇସି କାମଚଳା ଭାବେ ଭାର ସମ୍ଭାଳିଛନ୍ତି।

ଗତ ଏପ୍ରିଲ ୧୭ ତାରିଖରେ ରାଜ୍ୟରେ ତିନି ପୁଲିସ ଇନ୍ସପେକ୍ଟର ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଏହା ପରେ ସେମାନଙ୍କୁ ନୂଆ ନିଯୁକ୍ତ ମିଳିଥିଲା। ରାଜଧାନୀର ୫ ଥାନାର ଆଇଆଇସି ପଦୋନ୍ନତି ପାଇବା ପରେ ସେମାନଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିଲା। ଲକ୍ଷ୍ମୀସାଗର ଥାନାର ତତ୍କାଳାନୀ ଆଇଆଇସି ଭରତ ସାହୁ ପଦୋନ୍ନତି ପାଇବା ପରେ କମିସନରେଟରେ ନିଯୁକ୍ତି ମିଳିଥିଲା। ସେ ଏବେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜୋନ୍-୩ର ଏସିପି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଏୟାରଫିଲ୍ଡ ଥାନାର ତତ୍କାଳୀନ ଆଇଆଇସି ଦୀପକ ମିଶ୍ର ପଦୋନ୍ନତି ପାଇବା ପରେ ସ୍ପେସାଲ ବ୍ରାଞ୍ଚରେ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇସାରିଛନ୍ତି। କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇବା ପରେ ସୋନପୁର ଜିଲ୍ଲା ଡିଆଇବିକୁ ବଦଳି ହୋଇଛନ୍ତି। ସେହିପରି ଖାରବେଳନଗର ଆଇଆଇସି ଅରୁଣ ସ୍ବାଇଁ ପଦୋନ୍ନତି ପାଇବା ପରେ ତାଙ୍କୁ କମିସନରେଟ୍‌ ପୁଲିସରେ ନିଯୁକ୍ତି ମିଳିଛି। ନୂଆପଲ୍ଲୀ ଆଇଆଇସି ଶରତ ସାହୁ ପଦୋନ୍ନତି ପାଇବା ପରେ କ୍ରାଇମବ୍ରାଞ୍ଚକୁ ବଦଳି ହୋଇଛନ୍ତି। କିନ୍ତୁ ଏହି ତିନି ଅଧିକାରୀ ଆଇଆଇସି ଭାବେ ଦାୟିତ୍ବ ତୁଲାଉଛନ୍ତି।

ଖାଲି ସେତିକି ନୁହେଁ, ୨୦୨୦ ସେପ୍ଟେମ୍ବରରେ ରାଜଧାନୀରେ ନାବଳିକା ଦୁଷ୍କର୍ମ ଘଟଣାରେ ଦାୟିତ୍ବରେ ଅବହେଳା ଅଭିଯୋଗରେ ତତ୍କାଳୀନ ଇନଫୋସିଟି ଥାନାର ଆଇଆଇସି ବିଶ୍ବଜିତ ମହାନ୍ତିଙ୍କୁ କୋରାପୁଟ ବଦଳି କରାଯାଇଥିଲା। ସେବେଠାରୁ ପ୍ରାୟ ୧୦ ମାସ ହେଲା ଇନଫୋସିଟି ଥାନା ଆଇଆଇସି ବିହୀନ ରହିଛି।

ମିଳିଥିବା ସୂଚନା ଅନୁସାରେ, ଇନ୍‌ଫୋସିଟି ଥାନା ଆଇଆଇସି ପାଇଁ ରାଜ୍ୟ ପୁଲିସକୁ କମିସନରେଟ ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି। କିନ୍ତୁ ବହୁ ମାସ ଧରି ଆଇଆଇସି ନିଯୁକ୍ତ ହୋଇ ପାରୁନାହାନ୍ତି। ସେହିପରି ରାଜ୍ୟରେ ଇନ୍ସ‌ପେକ୍ଟର୍‌ ସଂଖ୍ୟା କମ୍‌ ରହୁଥିବାରୁ ଡିଏସ୍‌ପି ପଦୋନ୍ନତି ପାଇଥିବା ସ୍ଥାନରେ ରିଲିଭର୍ ମିଳୁ ନାହାନ୍ତି। ଫଳରେ ରାଜଧାନୀର କ୍ୟାପିଟାଲ, ଖାରବେଳନଗର ଓ ନୂଆପଲ୍ଲୀ ଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ଥାନାରେ ଆଉ କାହାକୁ ଦାୟିତ୍ବ ଦେଇ ରିସ୍କ ନେବାକୁ ଚାହୁନାହାନ୍ତି ବରିଷ୍ଠ ଅଧିକାରୀ।

ବଦଳି ବାତିଲ କରିବା ପାଇଁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ
୩ କିଲୋମିଟର ଯାଇ ନ ଥିଲେ ଏବେ ୩ ଶହ କିଲୋମିଟର
ତିନି ଥାନାକୁ ନୂଆ ଆଇଆଇସି ମିଳୁ ନଥିବାରୁ ଏହାର ସୁଯୋଗରେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଜଣେ ଅଧିକାରୀ ନିଜର ବଦଳି ବାତିଲ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା କୁହାଯାଉଛି। ଏଥିପାଇଁ ସମ୍ପୃକ୍ତ ଅଧିକାରୀ ରାଜନେତା, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଗୁହାରି କରୁଛନ୍ତି। ଗତ ଅଗଷ୍ଟ ମାସରେ ସମ୍ପୃକ୍ତ ଅଧିକାରୀଙ୍କର ରାଜଧାନୀ ଭୁବନେଶ୍ବର ଭିତରେ ମାତ୍ର ୩ କିଲୋମିଟର ଦୂର ଏକ ଥାନାକୁ ବଦଳି ହୋଇଥିଲା। କିନ୍ତୁ ସେ ରାତାରାତି ସେହି ବଦଳି ନିର୍ଦ୍ଦେଶକୁ ବାତିଲ କରିବାରେ ସମର୍ଥ ହୋଇଥିଲେ। ୧୨ ଘଣ୍ଟାରେ ନୂଆ ବଦଳି ତାଲିକା ପ୍ରକାଶ ପାଇଥିଲା। ଆଉ ଏବେ ପ୍ରାୟ ୩ଶହ କିଲୋମିଟର ଜିଲ୍ଲା ପାର ବଦଳି ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀ ନ ଯିବା ପାଇଁ ଚେଷ୍ଟା ଚଳାଇଥିବା ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର