ଭୁବନେଶ୍ବର: କମିସନରେଟ୍‌ ପୁଲିସ ଶାରୀରିକ ଓ ମାନସିକ ଭାବେ ଫୂର୍ତ୍ତି ରହିବେ। କାର୍ଯ୍ୟଭାର ଚାପ ଯୋଗୁ ପୁଲିସଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ତେଣୁ ଶାରୀରିକ ଫୂର୍ତ୍ତି ପାଇଁ ପ୍ରତିଦିନ ବ୍ୟାୟାମ କରିବେ। ଓଜନ ଠିକ୍‌ ଅଛି କି ନାହିଁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଯାଞ୍ଚ ହେବ। ବୟସ ଓ ଉଚ୍ଚତା ହିସାବରେ ଓଜନ ଠିକ୍‌ ରହିବା ଦରକାର। ଯଦି ଏହି ମାନଦଣ୍ଡ ହିସାବରେ ଅଧିକ ଓଜନ ଥାଏ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହାକୁ କମାଇବେ। ଶାରୀରିକ ଫୂର୍ତ୍ତି ସହ ମାନସିକ ସୁସ୍ଥତା ପାଇଁ କାମ କରିବେ। କେବଳ ଏତିକି ନୁହେଁ ପୁଲିସର ସ୍ମାର୍ଟ ଲୁକ୍‌ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ନିଶାଦ୍ରବ୍ୟ ଖାଉଥିଲେ ତାହା ଉପରେ କଟକଣା ଲଗାଯାଇଥିଲା। ହେଲେ ଏସବୁ ନିୟମ ଏବେ ଚୂଲିକୁ ଗଲାଣି। ନା ଅଛି ଫୂର୍ତ୍ତି ନା ନିଶାଦ୍ରବ୍ୟ ଉପରେ କଟକଣା। ଅଧିକାଂଶ ଅଧିକାରୀ ଓ କର୍ମଚାରୀ ପୁଲିସ ୟୁନିଫର୍ମ ପିନ୍ଧିବାକୁ ଚାହୁନାହାନ୍ତି। ଥାନା ବା କାର୍ଯ୍ୟରତ ସମୟରେ ୟୁନିଫର୍ମ ଛାଡ଼ି ଟି-ସାର୍ଟ, ଜିନ୍ସ ପିନ୍ଧୁଛନ୍ତି। କେହି କେହି ସାଦା ପୋଷାକରେ ବୁଲୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଲାଣି। ପ୍ରତୀକ ସିଂ ଡିସିପି ଥିବା ସମୟରେ ପୁଲିସ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଏପିଆର୍‌, ଡିପିଓ, କମିସନରେଟ୍ ପୁଲିସ ମୁଖ୍ୟାଳୟ, ଟିମ୍ ୬୦, ଓଏସ୍‌ଏପି ମୋବିଲାଇଜଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିଲା।

Advertisment

କମିସନରେଟ୍‌ ପୁଲିସ
ପ୍ରତି ୧୫ଦିନରେ ହେଉନି ଓଜନ ଯାଞ୍ଚ
ବ୍ୟାୟାମ ପାଇଁ  ୮୦ ପ୍ରତିଶତ ଉପସ୍ଥାନ ନିୟମକୁ ଫୁ
ୟୁନିଫର୍ମ ପିନ୍ଧିବାକୁ କୁନ୍ଥୁକୁନ୍ଥୁ

ନିଜର କାର୍ଯ୍ୟସୂଚୀ ସୁବିଧା ଅନୁସାରେ ସକାଳ ୬ଟା ଓ ଅପରାହ୍ଣ ୪ଟାରେ ନିଜ ନିଜ କ୍ୟାମ୍ପସ୍‌ରେ ବ୍ୟାୟାମ କରିବେ। ବ୍ୟାୟାମ ପୂର୍ବରୁ କିମ୍ବା ପରେ ପ୍ରତ୍ୟେକ ପୁଲିସ କର୍ମଚାରୀ ସେଠାରେ ଉପସ୍ଥାନ ଦେବେ। ଯେଭଳି ମାସକି ଉପସ୍ଥାପନ ୮୦ ପ୍ରତିଶତରୁ କମ୍ ନହେବ ସେଥିପ୍ରତି କର୍ମଚାରୀ ଧ୍ୟାନଦେବେ। କର୍ମଚାରୀଙ୍କ ଓଜନକୁ ନିୟମିତ ତଦାରଖ କରାଯିବ। କେତେ ଓଜନ ଥିଲା? ଓଜନ ବଢ଼ିଛି ନା କମିଛି? ପ୍ରତି ୧୫ଦିନରେ ଏହାର ଯାଞ୍ଚ କରାଯିବ। ପ୍ରତି ୪୦ ଦିନରେ ଶାରୀରିକ ସ୍ଥିତିର ରେକର୍ଡ କରାଯିବ। ଯେଉଁମାନେ ଧାର୍ଯ୍ୟ ମାନଦଣ୍ଡରୁ ବିଚ୍ୟୁତ ହେବେ, ସେମାନଙ୍କୁ ଡ୍ୟୁଟିରୁ ବଞ୍ଚିତ କରାଯିବ। ସେହିପରି ତମାଖୁ ଓ ମଦ୍ୟପାନ କରୁଥିବା ପୁଲିସଙ୍କୁ ଏହା ତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଏକ ସ୍ବତନ୍ତ୍ର ଟିମ୍‌ ନିଶାଖୋର ପୁଲିସଙ୍କ ଉପରେ ନଜର ରଖିବେ। ଯେଉଁମାନେ ନିଶାଦ୍ରବ୍ୟ ବ୍ୟବହାର କରିବେ ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କର୍ମଚାରୀ ମାନସିକ ଓ ଶାରୀରିକ ଉନ୍ନତି ସହ କିଭଳି ସ୍ମାର୍ଟ ଦିଶିବେ, ସେଥିପାଇଁ  ସଫା ୟୁନିଫର୍ମ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇ  ନିର୍ଦ୍ଦେଶାବଳୀ ଜାରି କରା‌ଯାଇଥିଲା। ହେଲେ  ଡିସିପି ଭାବେ ପ୍ରତୀକ ସିଂହ ଯିବାର ୭/୮ ମାସ ମଧ୍ୟରେ ଏହି ନିର୍ଦ୍ଦେଶନାମକୁ ଆଉ କେହି ଅନୁପାଳନ କରୁନାହାନ୍ତି। ଥାନାରେ ବସି ପାନ, ଗୁଟ୍‌ଖା ଖିଆଯାଉଛି। ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ୟୁନିଫର୍ମ ପିନ୍ଧୁନାହାନ୍ତି। ବ୍ୟାୟ‌ାମଶାଳାରେ ଆଉ ଅଧିକାରୀ, କର୍ମଚାରୀଙ୍କ ଦେଖା ମିଳୁନାହିଁ। ତେଣୁ ଏକ  କମିସନରେଟ୍ ପୁଲିସର ଭାବମୂର୍ତ୍ତି ଗଢ଼ିବା ପାଇଁ ଯେଉଁ ପ୍ରୟାସ ହୋଇଥିଲା, ତାହା ଏବେ ଫସର ଫାଟିଯାଇଛି। ଏ ସମ୍ପର୍କରେ ଡିସିପି ଜଗମୋହନ ମୀନା କହିଛନ୍ତି ଯେ  କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ୟୁନିଫର୍ମ ପିନ୍ଧିବାକୁ ଗତ  ଅପରାଧ ସମୀକ୍ଷା ବୈଠକରେ ସମସ୍ତ ପୁଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଧିକାରୀମାନେ ଆଳସ୍ୟ ଯୋଗୁ ନିଜକୁ ଫିଟ୍‌ ରଖୁନାହାନ୍ତି, ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ହେବ। ତେଣୁ ୟୁନିଫର୍ମ ଓ ଶାରୀରିକ ଫୁର୍ତ୍ତି ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।