ଯୋଗଦେବେ କଣ୍ଠଶିଳ୍ପୀ, ଓଲିଉଡ୍ କଳାକାର
ଏଜି ଛକରେ ଟ୍ରାଫିକ କର୍ମଚାରୀଙ୍କ ହ୍ୟୁମାନ ଚେନ୍
ସବୁ ଥାନା, ଅଫିସରେ ବୋଲାଯିବ
ଭୁବନେଶ୍ବର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲାଗି ଆସନ୍ତାକାଲି ଅପରାହ୍ଣ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।
ସୂଚନା ଅନୁସାରେ, ଭୁବନେଶ୍ବରର ସବୁ ପ୍ରମୁଖ ଟ୍ରାଫିକ ଛକରେ ସଙ୍ଗୀତ ଗାନ କରାଯିବ। ଠିକ୍ ଏହାର ୩ ମିନିଟ ପୂର୍ବରୁ ଅର୍ଥାତ୍ ୫ଟା ୨୭ରେ ଟ୍ରାଫିକ୍ ପୋଷ୍ଟର୍ ସବୁ ସିଗନାଲ୍ ଲାଇଟକୁ ରେଡ୍ କରାଯିବ। ବିଭିନ୍ନ ଦିଗରୁ ଆସୁଥିବା ଗାଡ଼ି ଟ୍ରାଫିକ୍ ପୋଷ୍ଟରେ ଅଟକି ରହିବ। ସଙ୍ଗୀତ ଗାନ ସରିବା ପର୍ଯ୍ୟନ୍ତ ଗାଡ଼ି ରହିବ ଓ ଏହା ପରେ ସେଠାରୁ ପୁଣି ବ୍ୟବସ୍ଥିତ ଢଙ୍ଗରେ ଗଡ଼ିବ। ରାଜଧାନୀର ଏଜି, କିଟ୍, ଡମଣା, ଜାଗମରା ଛକରେ ବଡ଼ ଆୟୋଜନ କରାଯାଇଛି। ଏଜି ଛକରେ ଟ୍ରାଫିକ କର୍ମଚାରୀ, ଓଲା ଏବଂ ଉବେର କ୍ୟାବ୍ ଡ୍ରାଇଭର୍ମାନେ ସାମାଜିକ ଦୂରତ୍ବ ରକ୍ଷା କରି ହ୍ୟୁମାନ ଚେନ୍ ପ୍ରଦର୍ଶନ କରିବେ। ସଙ୍ଗୀତ ଗାନ କରିବା ଲାଗି ସଙ୍ଗୀତଜ୍ଞ ସେଠାରେ ଉପସ୍ଥିତ ରହିବେ। ସେହିପରି କିଟ୍ ଟ୍ରାଫିକ ଛକରେ ଓଲିଉଡ୍ କଳାକାର ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଡମଣା ଓ ଜାଗମରା ଛକରେ ମଧ୍ୟ ବଡ଼ ଆକାରରେ ଆୟୋଜନ କରାଯାଇଛି। ଏହା ସହ ସବୁ ଥାନା, ପୁଲିସ ଅଫିସରେ ମଧ୍ୟ ସଙ୍ଗୀତ ଗାନ କରାଯିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁଲିସ ସେବା ଭବନରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥି ଲାଗି ସନ୍ଧ୍ୟାରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/traffic.jpg)