ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ କମିସନରେଟ୍‌ ପୁଲିସ୍‌ର ପ୍ରସ୍ତୁତି: ମୁତୟନ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ

ଦାୟିତ୍ବରେ ୧୦୦ ଅଧିକାରୀ, ସିସିଟିଭି ନଜରରେ ଜନତା ମଇଦାନ

ଭୁବନେଶ୍ବର : ଆଜି (ବୁଧବାର) ଠାରୁ ଆରମ୍ଭ ହେବ ‘ମେକ୍‌-ଇନ୍‌-ଓଡ଼ିଶା’ କନ୍‌କ୍ଲେଭ୍‌। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବହୁ ବଡ଼ବଡ଼ ଶିଳ୍ପପତି, କମ୍ପାନିର ପ୍ରତିନିଧି ଯୋଗ ଦେଉଥିବାରୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍‌କୁ ଯିବା ଓ ସେଠାରୁ ଜନତା ମଇଦାନକୁ ଯିବା ରାସ୍ତାକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ଭିଭିଆଇପି ଯିବା ଆସିବା ସମୟରେ ଯେପରି ଟ୍ରାଫିକ୍‌ରେ ନ ଫସନ୍ତି, ତାହା ଉପରେ ମଧ୍ୟ ପୁଲିସ୍‌ ଗୁରୁତ୍ବ ଦେଇଛି। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପକ୍ଷରୁ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ଜଣାଯାଇଛି। ମହାକୁମ୍ଭ ସ୍ଥଳ, ହୋଟେଲ୍‌, ବିମାନବନ୍ଦର ଓ ବିଭିନ୍ନ ରାସ୍ତାରେ ଏହି ଫୋର୍ସ ମୁତୟନ ହେବେ। ଡିସିପିଙ୍କ ନେତୃତ୍ବରେ ୩ଜଣ ଅତିରିକ୍ତ ଡିସିପି, ୧୫ ଏସିପି, ୨୦ ଇନ୍ସପେକ୍ଟର୍‌, ୬୦ରୁ ଅଧିକ ଏସ୍‌ଆଇ ଦାୟିତ୍ବରେ ରହି ସୁରକ୍ଷା ବ୍ୟବସ୍ଥାର ଅହରହ ତଦାରଖ କରିବେ। ସେହିପରି ପୂରା ଜନତା ମଇଦାନ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ। ସେଠାରେ ଶହେରୁ ଊର୍ଧ୍ବ ସିସିଟିଭି ଖଞ୍ଜାଯାଇଛି।

ଏହାଛଡ଼ା ଭିଭିଆଇପିଙ୍କ ହୋଟେଲ୍‌ ନିକଟରେ ମଧ୍ୟ ସିସିଟିଭି ନଜର ରଖିବ। ଜନତା ମଇଦାନ ନିକଟରେ ୩ଟି ଏବଂ ଭିଭିଆଇପି ରହୁଥିବା ପ୍ରତି‌ ହୋଟେଲ୍‌ ସମ୍ମୁଖରେ ଗୋଟିଏ ଲେଖାଏଁ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ କରାଯାଇଛି। ସେଠାରେ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବେ। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ଏହାବ୍ୟତୀତ ରାତ୍ରିକାଳୀନ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆଜି ଡିସିପି ପ୍ରତୀକ ସିଂ ଜନତା ମଇଦାନ ବୁଲିବା ସହ ସେଠାରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର