କମିସନରେଟ ପୁଲିସର ସ୍ପେସାଲ୍‌ ଡ୍ରାଇଭ୍ : ୩ ଦିନରେ ଧରାପଡ଼ିଲେଣି ୧୭

ଲୁଟେରା, ଚୋର ଓ ଦାଦା ଛାନିଆ

ଭୁବନେଶ୍ବର : ରାଜଧାନୀରେ ଲୁଟ୍, ଛିନତାଇ, ଚୋରି, ଦାଦାଗିରି ଭଳି ଅପରାଧ ଉପରମୁହାଁ ହେବା ପରେ ସେସବୁକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଛି ସ୍ପେସାଲ ଡ୍ରାଇଭ୍‌। ସବୁ ଥାନାରେ ଗଠନ ହୋଇଥିବା ଏହି ସ୍ବତନ୍ତ୍ର ଟିମ୍ ଏବେ ଲଗାତାର ଧରପଗଡ଼ ଚଳାଇଛନ୍ତି। ଆଜି ଏହି ଅଭିଯାନରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ତିନି ଦିନ ଭିତରେ ସ୍ପେସାଲ୍‌ ଟିମ୍ ମୋଟ୍‌ ୧୭ ଜଣଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି। ତିନି ଦିନ ଭିତରେ ଏତେ ସଂଖ୍ୟକ ଅପରାଧୀ ଧରାପଡ଼ିବାରୁ ଲୁଟେରା, ଚୋର ଓ ଦାଦା ମହଲରେ ଭୟର ବାତାବରଣ ଖେଳି ଯାଇଛି। ତଥାପି ଲୁଟ୍‌ପାଟ୍‌ କମି ନ ଥିବା ଜଣାପଡ଼ିଛି। ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଲା ଭଳି ଏବେ ବି ଅପରାଧ ଘଟୁଛି। ରାଜଧାନୀରେ ମାତିଥିବା କାର୍‌ କାଚ ଭଙ୍ଗା ଲୁଟେରା ଗ୍ୟାଙ୍ଗ୍‌ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛି। ଦୁଇ ଦିନ ପୂର୍ବେ ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରୁ ଏକ କାର୍‌ କାଚ ଭାଙ୍ଗି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ହର୍ଣ୍ଣ ମାରିଦେଲା ବୋଲି ଚାବିରେ କାନମୁଣ୍ଡା କଣା କରିଦେଲା
ଲୋକାଲ୍‌ ଦାଦା ବୋଲି ଗୁଣ୍ଡାଗିରି କରୁଥିବା ସୋନୁକୁ ଆଜି ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ଗତ ୧୧ ତାରିଖ ରାତିରେ ସୋନୁ ଏୟାରଫିଲ୍‌ଡ ଥାନା ଫୁଟବଲ୍ ପଡ଼ିଆ ନିକଟରେ ଛିଡ଼ା ହୋଇଥିଲା। ଏହି ସମୟରେ କ୍ଷୀର ବେପାର କରୁଥିବା ପ୍ରକାଶ ବେହେରା ବାଇକ୍‌ରେ ସେହି ବାଟ ଦେଇ ଯାଉଥିଲେ। ପ୍ରକାଶ ବାଇକ୍‌ ହର୍ଣ୍ଣ ମାରିବାରୁ ସୋନୁର ରାଗ ପଞ୍ଚମକୁ ଚଢ଼ିଗଲା। କାହିଁକି ହର୍ଣ୍ଣ ମାରିଲୁ ବୋଲି କହି ପ୍ରକାଶଙ୍କୁ ଅଟକାଇବା ସହ ବାଇକ୍ ଚାବି ଛଡ଼ାଇ ନେଇଥିଲା ସୋନୁ। ସେହି ଚାବିରେ ପ୍ରକାଶଙ୍କ କାନମୁଣ୍ଡାକୁ ମାରି କଣା କରି ଦେଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ପୁଲିସ ସୋନୁକୁ ଗିରଫ କରିଛି। ସୋନୁ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଛି। ୨୦୧୬ ଜୁନ୍‌ରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୋନୁ ଅନ୍ୟ ସହଯୋଗୀଙ୍କ ସହ ଜେଲ୍ ଯାଇଥିଲା। ଜେଲ୍‌ରୁ ଜାମିନରେ ମୁକୁଳିବା ପରେ ସେ ପୁଣି ଅପରାଧ ଜଗତରେ ସକ୍ରିୟ ରହିଛି।

ବାଉନ୍‌ସରଙ୍କ ଗୁଣ୍ଡାଗିରି, ହୋଟେଲ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ
ରାଜଧାନୀରେ ପୁଣି ବାଉନ୍‌ସରଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି। ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ଜଣେ ବାଉନ୍‌ସରକୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ। ସେ ହେଲା ସହିଦନଗର ଥାନା ଭୋଇନଗର ଶୁକବିହାର ଅଞ୍ଚଳରେ ରହୁଥିବା ଦିଲେଶ୍ବର ରାଓ ଓରଫ୍ ରାଜୁ(୨୯)। ପୁଲିସ ସୂଚନା ଅନୁସାରେ, ଖାରବେଳନଗର ଅଞ୍ଚଳରେ ଜଣେ ବାଉନ୍‌ସର ଦୁଇ ଜଣ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ପରେ ବିଭିନ୍ନ ହୋଟେଲରେ ବାଉନ୍‌ସରଙ୍କୁ ହଟାଇ ଦିଆଯାଇଥିଲା। ତେଣୁ ସତ୍ୟନଗରର ଏକ ହୋଟେଲରେ କାମ କରୁଥିବା ବାଉନ୍‌ସର ରାଜୁକୁ ମଧ୍ୟ ହଟାଇ ଦିଆଯାଇଥିଲା। ଗତ ୨୭ ତାରିଖ ରାତିରେ ରାଜୁ ସନ୍‌ଗ୍ରୀନ ହୋଟେଲରେ ପହଞ୍ଚି କର୍ମଚାରୀ ଲକ୍ଷ୍ମଣ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ମ୍ୟାନେଜର ଦିଲ୍ଲୀପ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିବା ବେଳେ ରାଜୁ ଫେରାର ହୋଇ ଯାଇଥିଲା। ଗତକାଲି ରାତିରେ ଖାରବେଳନଗର ପୁଲିସ ରାଜୁକୁ ଗିରଫ କରିଥିଲା। ଆଜି କୋର୍ଟଚାଲାଣ କରାଯାଇଛି।

ମୋବାଇଲ୍‌ ଲୁଟି ପଳାଉଥିବା ବେଳେ ଧରାପଡ଼ିଲା
ମୋବାଇଲ୍‌ ଫୋନ୍ ଲୁଟି ପଳାଉଥିବା ବେଳେ ଜଣେ ଲୁଟେରା ମଞ୍ଚେଶ୍ବର ଥାନା ସ୍ପେସାଲ ଟିମ୍ ହାତରେ ଧରା ପଡ଼ିଛି। ଅଭିଯୁକ୍ତ ହେଲା ଜଗନ୍ନାଥ କୁଷ୍ଠ କଲୋନିର ସୁଶାନ୍ତ ବେହେରା। ତା’ ନିକଟରୁ ଏକ ବାଇକ୍ (ଓଆର୦୨-ଏକ୍ୟୁ-୨୩୩୮) ଓ ମୋବାଇଲ୍‌ ଫୋନ୍ ଜବତ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଚକେଇସିଆଣି ଅଞ୍ଚଳରୁ ସୁଶାନ୍ତ ମୋବାଇଲ ଫୋନ୍ ନେଇ ପଳାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ଏକ ନିର୍ମାଣାଧୀନ କୋଠାରୁ ଲୁହାରଡ୍ ଚୋରି କରୁଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ପ୍ରଶାନ୍ତ କୁମାର ରାଉତ ନାମକ ଜଣେ ଯୁବକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର