କମିସନରେଟ ପୁଲିସର ସ୍ପେସାଲ ଅପରେସନ୍ ‘୨୨୪’: ଖସି ଯାଇଥିବା ଅପରାଧୀଙ୍କୁ ଖୋଜା ଚାଲିଛି

ହାଇଦର ଫେରାର ପରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଡ୍ରାଇଭ

ଭୁବନେଶ୍ବର : ପୁଲିସ ହାଜତରୁ ହେଉ କି ହେପାଜତରୁ ଖସି ଯାଇଥିବା ଅପରାଧୀଙ୍କୁ ଧରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅପରେସନ୍‌ ‘୨୨୪’। ରାଜଧାନୀର ୨୨ଟି ଥାନା ଅଧୀନରେ କମିସନରେଟ ପୁଲିସ ଗଠନ ହେବା ଦିନଠାରୁ ଏପର୍ଯ୍ୟନ୍ତ ଫେରାର ହୋଇଯାଇଥିବା ଅପରାଧୀଙ୍କୁ ଖୋଜା ଚାଲିଛି। ଏଥିପାଇଁ ପ୍ରତି ଥାନା ଅଧୀନରେ ଗଠନ ହୋଇଛି ସ୍ବତନ୍ତ୍ର ସ୍କ୍ବାଡ୍। ଥାନାରେ ଥିବା ଫେରାର ଅପରାଧୀଙ୍କର ତାଲିକା କରାଯାଇଛି। ସେହି ଅନୁସାରେ ଫେରାର ଥିବା ଅପରାଧୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛି ଗଠନ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍। ଫେରାର୍‌ ହୋଇଥିବା ଅପରାଧୀଙ୍କ ଘର କେଉଁଠି? ସେମାନଙ୍କ ସମ୍ପର୍କୀୟ କେଉଁଠି ରହୁଛନ୍ତି? ଅପରାଧ ଘଟାଇବା ସମୟରେ ଭୁବନେଶ୍ବରରେ କେଉଁ ଅଞ୍ଚଳରେ ରହୁଥିଲେ? ସେଠାରେ ତାଙ୍କର କିଏ ଚିହ୍ନା ପରିଚିତ ଓ ସହଯୋଗୀ ରହିଥିଲେ? ଏ ସମ୍ପର୍କରେ ସ୍କ୍ବାଡ୍ ସବିଶେଷ ତଥ୍ୟ ହାସଲ କରୁଛି। ଏହା ପରେ ଚଢ଼ଉ କରି ସେମାନଙ୍କୁ ଧରା ଯାଉଛି। ତିନି ଦିନ ହେଲା ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ଭିତରୁ ଦୁଇଜଣ ଧରାପଡ଼ିଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇ ଧରାପଡ଼ିବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିବା କୁହାଯାଉଛି।

ଅପରେସନ୍ ନାଁ କାହିଁକି ‘୨୨୪’?
ଅପରେସନ୍ ନାଁ କାହିଁକି ‘୨୨୪’ ଦିଆଯିବା ପାଇଁ ନିଷ୍ପତ୍ତି ହେଲା? ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ, କମିସନରେଟ ପୁଲିସ ଲାଗୁ ହେବା ଦିନଠାରୁ ଅର୍ଥାତ୍ ୨୦୦୮ ଜାନୁଆରି ୧ରୁ ଗତମାସ ସୁଦ୍ଧା ପୁଲିସ ହେପାଜତରୁ ୨୨୪ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଫେରାର ଅପରାଧୀଙ୍କୁ ଧରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ସବୁ ଥାନାରେ ଫେରାର ଅପରାଧୀଙ୍କୁ ତଥ୍ୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିଲା। ଆଉ ଏବେ ଏହି ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି।

ସ୍ପେସାଲ ୬୦ ପରେ ଅପରେସନ୍ ୨୨୪
ରାଜଧାନୀରେ ଲୁଟ୍, ଛିନତାଇ, ଚୋରି, ସିନ୍ଧିଚୋରି ଓ ରାଜରାସ୍ତାରେ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବା ଲାଗି ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା ସ୍ପେସାଲ ୬୦। ଏହି ଟିମ୍ ଅପରାଧୀଙ୍କୁ ଧରିବା ସହ ଲୁଟ୍ ଓ ଚୋରି ହୋଇଥିବା ସୁନା ଅଳଙ୍କାର, ଗାଡ଼ି, ମୋବାଇଲ ଫୋନ୍ ଜବତ କରି ବେଶ୍ ସଫଳତା ହାସଲ କରିଛି। ଏବେ ଅପରେସନ୍ ୨୨୪ରେ ପୁଲିସ ହେପାଜତରୁ ଫେରାର ଥିବା ଅଭିଯୁକ୍ତ ଧରାପଡ଼ିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର