କମିସନରେଟ୍‌ ପୁଲିସର ଚର୍ଚ୍ଚା ପ୍ରବଳ, କାମ ଦୁର୍ବଳ

ହତ୍ୟାଠୁ ଆରମ୍ଭ କରି ଦୁଷ୍କର୍ମ, ଚୋରି; ସବୁଥିରେ ପଛୁଆ, ଚାର୍ଜସିଟ୍‌ ଦାଖଲ‌ରେ ପ୍ରଦର୍ଶନ ନୈରାଶ୍ୟଜନକ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍‌ ଦାଖଲ ନ କରିବାର ରୋଗ ଏବେ କମିସନରେଟ୍‌ ପୁଲିସକୁ ଗ୍ରାସିଛି। ହତ୍ୟାଠୁ ଆରମ୍ଭ କରି ଦୁଷ୍କର୍ମ, ଚୋରି, ଲୁଣ୍ଠନ, ଠକେଇ, ଦଙ୍ଗା, ଡକାୟତି, ଏପରିକି ମୋଟରଯାନ ଦୁର୍ଘଟଣା ମାମଲାରେ ମଧ୍ୟ କମିସନରେଟ୍ ପୁଲିସ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ କରିପାରୁନାହିଁ। ଏ କ୍ଷେତ୍ରରେ କମିସନରେଟ୍ ପୁଲିସଠାରୁ ବହୁ ଆଗରେ ଜିଲ୍ଲା ପୁଲିସ ରହିଛି। ଅଭିଯୁକ୍ତକୁ ଧରିବାଠୁ ଆରମ୍ଭ କରି ଚାର୍ଜସିଟ୍ ଦାଖଲ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କମିସନରେଟ୍ ପୁଲିସ ତୁଳନାରେ ଜିଲ୍ଲା ପୁଲିସ ଅଧିକ ସକ୍ଷମ ବୋଲି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି। କେବଳ ସିନ୍ଧିଚୋରିକୁ ବାଦ୍‌ ଦେଲେ ଅନ୍ୟ ସବୁ କ୍ଷେତ୍ରରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦୨୧ରେ ରାଜ୍ୟରେ ଅପରାଧ ସ୍ଥିତି ସମୀକ୍ଷା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି।

୨୦୨୧ରେ ରାଜ୍ୟରେ ୧୩୯୪ଟି ହତ୍ୟାକାଣ୍ଡ ଘଟିଥିଲା। ସେଥିମଧ୍ୟରୁ ପ୍ରାୟ ୪୭ପ୍ରତିଶତ ମାମଲା ଅର୍ଥାତ୍ ୬୫୮ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ହେଲେ କମିସନରେଟ୍ ପୁଲିସରେ ୭୩ଟି ହତ୍ୟାକାଣ୍ଡରୁ ମାତ୍ର ୨୨ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଯାହାର ପରିମାଣ ମାତ୍ର ୩୦ପ୍ରତିଶତ ଅଟେ। ସେହିଭଳି ଲୁଣ୍ଠନରେ ରାଜ୍ୟରେ ୪୬ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ କମିସନରେଟ୍ ପୁଲିସରେ ୪୩ ପ୍ରତିଶତ ମାମଲା ଦାଖଲ ହୋଇଛି। ରାଜ୍ୟରେ ଚୋରି ମାମଲାରେ ୪୧ପ୍ରତିଶତ, ଦଙ୍ଗାରେ ୬୧ପ୍ରତିଶତ, ଠକେଇରେ ୨୭ପ୍ରତିଶତ ଏବଂ ମୋଟରଯାନ ଦୁର୍ଘଟଣାରେ ୬୪ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ କମିସନରେଟ୍ ପୁଲିସରେ ଚୋରିରେ ୩୩ପ୍ରତିଶତ, ଦଙ୍ଗାରେ ୩୩ପ୍ରତିଶତ, ଠକେଇରେ ୨୧ପ୍ରତିଶତ ଏବଂ ମୋଟରଯାନ ଦୁର୍ଘଟଣାରେ ୫୭ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ଏପରିକି ଦୁଷ୍କର୍ମ ଭଳି ସଙ୍ଗିନ୍‌ ମାମଲାରେ ବି କମିସନରେଟ୍ ପୁଲିସ ଫେଲ୍ ମାରିଛି। ପ୍ରତ୍ୟେକଟି ଥାନାରେ ସ୍ବତନ୍ତ୍ର ଭାବେ ମହିଳା-ଡେସ୍କ୍ ଥିବା ସତ୍ତ୍ବେ ରାଜ୍ୟରେ ଆହୁରି ୩୦ ପ୍ରତିଶତ ଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇନଥିବା ବେଳେ କମିସନରେଟ୍‌ ପୁଲିସ ୪୫ପ୍ରତିଶତ ଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲରେ ବିଫଳ ହୋଇଛି। ଅପରପକ୍ଷେ କମିସନରେଟ୍ ପୁଲିସ କେବଳ ସିନ୍ଧିଚୋରି ଚାର୍ଜସିଟ୍ ଦାଖଲରେ ରାଜ୍ୟ ହାରଠାରୁ ୭ପ୍ରତିଶତ ଆଗରେ ରହିଛି।

ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଦ୍ବୈତନଗରୀ ଭୁବନେଶ୍ବର ଓ କଟକକୁ ନେଇ ଗଠିତ କମିସନରେଟ୍ ପୁଲିସର ମୁଖ୍ୟାଳୟ ରାଜଧାନୀରେ ରହିଛି। ସମସ୍ତ ସରକାରୀ ଦପ୍ତର ସମେତ ଭୁବନେଶ୍ବର ରାଜଧାନୀ ହୋଇଥିବାରୁ ଅଧିକ ସଂଖ୍ୟକ ଏବଂ ଦକ୍ଷ ପୁଲିସ କର୍ମଚାରୀ ଏଠାରେ ରହିଛନ୍ତି। କିନ୍ତୁ ୨୦୨୧ର ରିପୋର୍ଟ କାର୍ଡରୁ ସ୍ପଷ୍ଟ ହେଉଛି ଯେ ଭୁବନେଶ୍ବର ତୁଳନାରେ କଟକ ଜିଲ୍ଲା ପୁଲିସ ଅଧିକ ସୁଦୃଢ଼। ସବୁ ଦିଗରେ ଭୁବନେଶ୍ବର ଜିଲ୍ଲା ପୁଲିସକୁ କଟକ ପୁଲିସ ପଛରେ ପକାଇଛି। ସେହିଭଳି ଜିଲ୍ଲା ତୁଳନାରେ ଏହି ଦ୍ବୈତନଗରୀ ପାଇଁ ସ୍ପେସାଲ୍ ସ୍କ୍ବାଡ୍, ପିଓପିଡି ଟିମ୍, କ୍ରାଇମ୍ ସେଲ୍ ଭଳି ବିବିଧ ତଦନ୍ତକାରୀ ଟିମ୍ ରହିଛି। ବଛା ବଛା ଏବଂ ଅଭିଜ୍ଞ ଅଫିସରଙ୍କୁ ନେଇ ଟିମ୍ କାର୍ଯ୍ୟ କରୁଛି। ହେଲେ ଚାର୍ଜସିଟ୍ ଦାଖଲରେ ପଛରେ ପଡ଼ିବା କାରଣରୁ କମିସନରେଟ୍ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯୁଦ୍ଧକାଳୀନ ଭିତ୍ତିରେ ଫାଇଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ

ଅନେକ ଥାନାରେ ତଦନ୍ତକାରୀ ଅଧିକାରୀ ବଦଳି ହୋଇ ଅନ୍ୟ ଜିଲ୍ଲାର ଥାନାର କାମ କରୁଥିଲେ ବି ତାଙ୍କ ନାଁରେ ପୁରୁଣା ମାମଲା ଗଡ଼ୁଥିଲା। ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ କାଳ ଏହିଭଳି ଆପରାଧିକ ମାମଲା ବିନା ତଦନ୍ତରେ ଫାଇଲ୍ ଭିତରେ କବର ନେଇଥିଲା। ଏପରିକି ଯୌତୁକ ପାଇଁ ବଧୂହତ୍ୟା ଭଳି ସଙ୍ଗିନ୍ ମାମଲା ବି ଏଥିରୁ ବାଦ୍ ପଡ଼ି ନଥିଲା। ଏହି କ୍ରମରେ ୨୦୦୮ ମସିହାରେ ଆରମ୍ଭ ହୋଇଥିବା କମିସନରେଟ୍ ପୁଲିସରେ ଆପରାଧିକ ମାମଲାର ଫାଇଲ୍ ପାହାଡ଼ ଭଳି ଗଦା ହୋଇ ପଡ଼ିଥିଲା। ୨୦୧୯ ଅଗଷ୍ଟରେ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ପୁଲିସ କମିସନର୍ ଭାବେ ଦାୟିତ୍ବ ନେବା ପରେ ଚାର୍ଜସିଟ୍ ଦାଖଲ କରି ଫାଇଲ୍ ବନ୍ଦ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଯେଉଁ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲରେ ଅବହେଳା କରୁଥିବେ ବା ଅଧିକ ସଂଖ୍ୟକ ମାମଲା ପଡ଼ି ରହିଥିବ, ସେମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ କରାଯାଇଥିଲା। ଅର୍ଥାତ୍ ପୂର୍ବାହ୍ନରେ ଥାନାରେ କାମ କରିବେ ଏବଂ ଅପରାହ୍‌ଣରେ ଡିସିପି ମୁଖ୍ୟାଳୟରେ ବସି କେସ୍ କ୍ଲୋଜ୍ କରିବେ। ତାଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହୋଇଥିଲେ।

ଯେଉଁଥିପାଇଁ ୨୦୨୧ ଶେଷ ସୁଦ୍ଧା ରାଜଧାନୀରେ ପ୍ରାୟ ୯ ହଜାର ଆପରାଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୧୧ ହଜାର ୫ଶହ ମାମଲାର ଚାର୍ଜସିଟ୍ ଦାଖଲ ପରେ ବନ୍ଦ ହୋଇଥିଲା। ଶ୍ରୀ ଷଡ଼ଙ୍ଗୀଙ୍କ ପରେ କମିସନର୍‌ ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଥିଲେ। ସେ ମଧ୍ୟ ପ୍ରତି ଥାନାକୁ ମାସ ଶେଷ ସୁଦ୍ଧା ନିର୍ଦ୍ଦିଷ୍ଟ ସଂଖ୍ୟକ ମାମଲା ବନ୍ଦ କରିବା ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଏ ନେଇ ଜଣେ ତଦନ୍ତକାରୀ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରତିବର୍ଷ ଯେତିକି ମାମଲା ରୁଜୁ ହେଉଛି, ତାହାକୁ ଆରମ୍ଭରୁ ଶେଷ ଯାଏ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା କାଠିକର ପାଠ। ଏହା ଉପରେ ପୁଣି ପୁରୁଣା ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ତେଣୁ ବାଧ୍ୟବାଧକତାରେ ଟାର୍ଗେଟ୍ ପୂରଣ ପାଇଁ ଚାର୍ଜସିଟ୍ ଦେଉଛୁ। ଯେଉଁଥିପାଇଁ ଅଭିଯୁକ୍ତ ବିରୋଧରେ ଠିକ ତଦନ୍ତ କରି କେସ୍ ଡାଏରି ଲେଖିପାରୁନାହୁଁ। ଫଳରେ ତଦନ୍ତରେ ଦୋଷ ଦୁର୍ବଳତା ଓ ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର