ଭୁବନେଶ୍ବର : ଦୀର୍ଘ ଦୁଇ ବର୍ଷ କାଳ ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପରେ ମାଗଣାରେ ଲିଙ୍ଗରାଜ ଥାନା ଚାଲିବା ପରେ ବିଏମ୍ସିର ନିଦ ଭାଙ୍ଗିଛି। ଥାନା ବ୍ୟବହାର କରୁଥିବା କୋଠା ପାଇଁ ଭଡ଼ା ଧାର୍ଯ୍ୟ ହେବାକୁ ଯୋଜନା ହୋଇଛି। ଏହାର ଦାୟିତ୍ବ ସିଟି ଇଞ୍ଜିନିୟରଙ୍କୁ ଦିଆଯାଇଛି। ଭଡ଼ା ଧାର୍ଯ୍ୟ ହେବା ପରେ କମିସନରେଟ୍ ପୁଲିସଠାରୁ ଏହି ଭଡ଼ା ଆଦାୟ କରିବାକୁ ଚିଠି ଲେଖାଯିବ ବୋଲି ଜଣାପଡ଼ିଛି।
ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏହି ଲିଙ୍ଗରାଜ ଥାନା ରହିଥିଲା। ଏକାମ୍ର କ୍ଷେତ୍ରର ଉନ୍ନତୀକରଣ ପାଇଁ ଏହି ଥାନାକୁ ଭଙ୍ଗାଯିବାକୁ ଯୋଜନା ହୋଇଥିଲା। ୨୦୨୧ ଜାନୁଆରି ୧ ତାରିଖରେ ହାଟସାହିରେ ଥିବା ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପକୁ ବିଧିବଦ୍ଧ ଭାବରେ ଏହି ଲିଙ୍ଗରାଜ ଥାନା ସ୍ଥାନାନ୍ତର ହୋଇଥିଲା। ଏଣୁ କଲ୍ୟାଣ ମଣ୍ଡପ ଆଉ ଭଡ଼ାରେ ଲାଗି ପାରିଲା ନାହିଁ। ଏଥିରୁ ଆସୁଥିବା ବିଏମ୍ସିର ଆୟ ବନ୍ଦ ହୋଇଯାଇଥିଲା। ଦୀର୍ଘ ଦୁଇ ବର୍ଷ ଏଥିରୁ ଟଙ୍କାଟିଏ ଆସିଲା ନାହିଁ କିମ୍ବା ବିଏମ୍ସି ଥାନାରୁ ଭଡ଼ା ମଧ୍ୟ ଆଦାୟ କଲା ନାହିଁ। ଏ ନେଇ ଗତ ମାର୍ଚ୍ଚ ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍ସି ମାନସମନ୍ଥନ କରିଥିଲା।
୨୦୧୯-୨୦ ଆର୍ଥିକ ବର୍ଷରେ ଏହି କଲ୍ୟାଣ ମଣ୍ଡପରୁ ୭୦ହଜାର ୮ଶହ ଟଙ୍କା ଆଦାୟ ହୋଇଥିଲା। ଏହି ହିସାବରେ ବିଏମ୍ସି ମାସିକ ୬ ହଜାର ଟଙ୍କା ଭଡ଼ା ଧାର୍ଯ୍ୟ କରିବାକୁ ଯୋଜନା କରିଥିଲା। କିନ୍ତୁ ଏହା ବାଦ୍ ବିଦ୍ୟୁତ ବିଲ୍ ଥିବାରୁ ଭଡ଼ା ଅଧିକ ହେବା ପାଇଁ ପ୍ରସ୍ତାବ ଆସିଥିଲା। ଶେଷରେ ଏହି ପ୍ରସଙ୍ଗକୁ କର୍ପୋରେସନ ବୈଠକରେ ଆଗତ କରାଯାଇଥିଲା। ଶେଷରେ ଏହାର ଭଡ଼ା ଧାର୍ଯ୍ୟ କରିବା ପାଇଁ ସିଟି ଇଞ୍ଜିନିୟରଙ୍କୁ ଦାୟିତ୍ବ ଦିଆଯାଇଛି। ସିଟି ଇଞ୍ଜିନିୟର ଏ ନେଇ ସୁପାରିସ କରିବା ପରେ ଭଡ଼ା ଆଦାୟ ପାଇଁ କମିସନରେଟ୍ ପୁଲିସକୁ ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଦୁଇ ବର୍ଷର ବକେୟା ଭଡ଼ା ଆଦାୟ ହେବ ନା ଛାଡ଼ି ଦିଆଯିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।