କମିସନରେଟ୍‌ ପୁଲିସ ପକ୍ଷରୁ ମହିଳା ଦିବସ : କାର୍‌, ବାଇକ୍‌ ର‍୍ୟାଲିରେ ସହର ବୁଲିଲେ ମହିଳା

୩୯ ଅଫିସର୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର : କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏସ୍‌ପିଓଙ୍କ ସମେତ ୩୯ ଅଧିକାରୀଙ୍କୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିବା ବେଳେ ଟ୍ରାଫିକ୍‌ ଥାନାରେ ଏକ ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯାଇଛି। ଆମ୍ରି ହସ୍‌ପିଟାଲ ପକ୍ଷରୁ ପ୍ରଦତ୍ତ ଏହି ମେସିନ୍‌ ଆହୁରି ୧୨ଟି ଜାଗାରେ ଲାଗିବା ପାଇଁ ଯୋଜନା ହୋଇଛି।

ପୁଲିସ ସେବା ଭବନ ପରିସରରେ କମିସନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୯ଜଣ ମହିଳା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେ‌ଳେ ଆମ୍ରି ହସ୍‌ପିଟାଲ ୟୁନିଟ୍‌ ‌ମୁଖ୍ୟ ନିଲାଞ୍ଜନା ମୁଖାର୍ଜୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଡିସିପି ଦାୟିତ୍ବରେ ଥିବା ଅତିରିକ୍ତ ସିପି ଅନୁପ କୁମାର ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ ମଞ୍ଚାସୀନ ଥିଲେ।

ଏହି ଅବସରରେ ପୂର୍ବାହ୍ନରେ ରିଜର୍ଭ ପୁଲିସ ପରିସରରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ଅଙ୍କଲୋଜିଷ୍ଟ ଓ ଅନ୍ୟ ବଡ଼ ବଡ଼ ହସ୍‌ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ। ଅପରାହ୍‌ଣରେ ସେବା ପ୍ରୟାସ ଫାଉଣ୍ଡେସନ୍‌ ସହଯୋଗରେ ମହିଳାମାନଙ୍କୁ ନେଇ ଏକ କାର୍‌ ରୢାଲି ଅନୁଷ୍ଠିତ ହୋଇଥିଲା। ଶହ ଶହ ମହିଳାଙ୍କର ଏକ କାର୍‌ ରୢାଲି ସ୍ୟାଣ୍ଡିସ୍‌ ଟାୱାରରୁ ବାହାରି କିଟ୍‌ ପର୍ଯ୍ୟନ୍ତ ଯାଇଥିଲା। ପୁଲିସ ସେବା ଭବନରୁ ମହିଳାମାନଙ୍କର ଏକ ବାଇକ୍‌ ରୢାଲି ବାହାରି ସହର ପରିକ୍ରମା କରିବା ପରେ ଜୟଦେବ ଭବନ ପାଖରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଚଳଚ୍ଚିତ୍ର, କ୍ରୀଡ଼ା ଓ ଅନ୍ୟ‌ାନ୍ୟ କ୍ଷେତ୍ରରେ ସଫଳ ମହିଳା ତାରକାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର