ଭୁବନେଶ୍ୱର : ନୂଆବର୍ଷରେ କମିସନରେଟ୍ ପୁଲିସକୁ ୧୦ ବର୍ଷ ପୂରିଛି। ଏହି ୧୦ ବର୍ଷ ଭିତରେ ୫ ଜଣ ପୁଲିସ କମିସନର କମିସନରେଟ୍ ପୁଲିସର ମୁଖିଆ ହୋଇଛନ୍ତି। ଭୁବନେଶ୍ୱରରେ ୩ ଜଣ ଡିସିପି ଦାୟିତ୍ୱ ନେଇଛନ୍ତି। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ କମିସନରେଟ ପୁଲିସ ଗଠନ ହୋଇଥିଲା ତାହା ଏବେ ବି ପୂରଣ ହୋଇନାହିଁ। ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ପୁଲିସର କ୍ଷମତା ଅନେକ ବଢ଼ିଛି। କିନ୍ତୁ ଅପରାଧ କମିନାହିଁ। ବରଂ ବେଳକୁ ବେଳ ରାଜଧାନୀରେ ଅପରାଧ ବଢ଼ିବଢ଼ି ଚାଲିଛି। କଥା କଥାକେ ଗୁଳି ଫୁଟୁଛି। ଚେନ୍ ଓ ମୋବାଇଲ୍ ଲୁଟେରା ନିଦ ହଜାଇ ସାରିଲେଣି। ବାଇକ୍ ଚୋରି ମଧ୍ୟ କମିବାର ନାଁ ଧରୁନାହିଁ। ଡକାୟତି, ଲୁଟ ଓ ସିନ୍ଧିଚୋରଙ୍କ କଥା ନ କହିଲେ ଭଲ। ନିଶା ବେପାରି ସହର ସାରା ଚରି ଗଲେଣି। କିନ୍ତୁ ପୁଲିସ ସଂଖ୍ୟା ବଢ଼ୁ ନ ଥିବାରୁ ତଦନ୍ତରେ ସମସ୍ୟା ହେଉଛି ବୋଲି ପୁଲିସ ଅଧିକାରୀମାନେ ସବୁବେଳେ ସଫେଇ ଦେଉଛନ୍ତି।
ବଢ଼ିିଛି ଭିତ୍ତିଭୂମି
କମିସନରେଟ୍ ପୁଲିସ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଭିତ୍ତିଭୂମିରେ ବିକାଶ ଘଟି ଚାଲିଛି। ଏସିପିମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲା ଯାଇଛି। ଅଧିକାଂଶ ଥାନାର ବାହାର ଓ ଭିତର ହୁଲିଆ ବଦଳିଛି। ଅନେକ ଥାନା ବିଲ୍ଡିଂ ଏମିତି ହୋଇଛି ଯେ ସତେ ଯେମିତି କର୍ପୋରେଟ କାର୍ଯ୍ୟାଳୟ ଭଳି ଲାଗୁଛି। ଥାନା ଅଧିକାରୀମାନଙ୍କ ଏସି କାଚ ଚାମ୍ବର ସାଙ୍ଗକୁ ଦାମୀ ସୋଫାସେଟ୍ ପଡ଼ୁଛି। ଅଭିଯୋଗକାରୀମାନଙ୍କ ପାଇଁ ଅଭ୍ୟର୍ଥନା କକ୍ଷ ତିଆରି ହୋଇଛି। ଏପରିକି ଅଭିଯୋଗକାରୀମାନଙ୍କୁ ଚା’ ଓ କଫି ଦେବାକୁ ମେସିନ ଲାଗିଛି। ପିସିଆର ଭ୍ୟାନ୍ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ବାଇକ୍ ପିସିଆର ମଧ୍ୟ ମାଳମାଳ ମିଳିଛି।
କର୍ମଚାରୀ ଅଭାବ, ପୂରଣ ହୋଇ ପାରୁନି ପଦ
କମିସନରେଟ ପୁଲିସ ପ୍ରତିଷ୍ଠା ହେବାବେଳେ ରାଜ୍ୟ ସରକାର ଅନେକ ସ୍ୱପ୍ନ ଦେଖାଇଥିଲେ। ଦେଶର ଏକ ପ୍ରମୁଖ କମିସନରେଟ୍ ପୁଲିସ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ପୂର୍ବ ଭଳି ଏବେବି କର୍ମଚାରୀଙ୍କ ଅଭାବ ଲାଗି ରହିଛି। ଫଳରେ ଏଯାଏ କମିସନରେଟ ପୁଲିସର ବାସ୍ତବ ଲକ୍ଷ୍ୟ ପୂରଣ ହୋଇ ପାରୁନି।
ଅଲଗା ହୋଇ ପାରିଲାନି ଅପରାଧ ତଦନ୍ତ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ବିଭାଗ
୧୦ ବର୍ଷ ବିତି ଗଲା, କିନ୍ତୁ ଅପରାଧ ତଦନ୍ତ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଅଲଗା ଅଲଗା କରାଯାଇ ପାରିଲା ନାହିଁ। ଏବେ ବି କ୍ୟାପିଟାଲ, ଖାରବେଳନଗର ଥାନା ପୁଲିସ ଦିନର ୧୮ ଘଣ୍ଟା ଲୋୟର ପିଏମଜିରେ ସମୟ ବିତାଉଛନ୍ତି। ଏହା ଛଡ଼ା ଅଧିକାଂଶ ଥାନାଧିକାରୀଙ୍କ ସମୟ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିତୁଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଅପରାଧର ତଦନ୍ତ କରିବା ଓ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ଅନେକ ସମୟରେ ବିଫଳ ହେଉଛି।
ଜରିମାନା ଆଦାୟ କରିବାରେ ରେକର୍ଡ
କମିସନରେଟ୍ ପୁଲିସ ବ୍ୟବସ୍ଥା ଆରମ୍ଭ ହେବା ପରଠୁ ଗୋଟିଏ କାର୍ଯ୍ୟରେ କିନ୍ତୁ ରେକର୍ଡ ସୃଷ୍ଟି କରିଛି। ତାହା ହେଉଛି ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବା। ପ୍ରତିଦିନ ପୁଲିସ ସହରର ବିଭିନ୍ନ ଛକରେ ବସି ହେଲମେଟ, କାର୍ ବେଲ୍ଟ, ୩ ଜଣିଆ ବାଇକ୍ ଚାଳନା ନେଇ ଚେକିଂ କରୁଛି। କମିସନରେଟ ପୁଲିସ ବାର୍ଷିକ ଏତେ ପରିମାଣର ଜରିମାନା ଆଦାୟ କରୁଛି ଯେ ଅନ୍ୟ ଜିଲ୍ଲା ପୁଲିସ ଜରିମାନା ଆଦାୟରେ ତା’ର ୧୦ ପ୍ରତିଶତ ମଧ୍ୟ କରି ପାରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/commissionarate-police.jpg)