ଜଟଣୀ: ବେଣାପଞ୍ଜରୀ ରାଣୀପୁର ଗାଁରେ ବ୍ୟାପିଥିବା ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ପୁଣି ୪ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତ ୭ଦିନ ମଧ୍ୟରେ ଗାଁରେ ୨୫ରୁ ଅଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେମାନେ ଜଟଣୀ, ଖୋର୍ଦ୍ଧା, କ୍ୟାପିଟାଲ ହସ୍ପିଟାଲ୍ ଓ ଏମ୍ସରେ ଚିକିତ୍ସା ହେଉଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 

Advertisment

ଅନ୍ୟପଟେ ଲଗାତାର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ହାଲୋଜେନ୍ ବଟିକା, ଓଆର୍‌ଏସ୍ ଆଦି ପ୍ରଦାନ କରୁଛନ୍ତି। ଏଥିସହ ଘର ଘର ବୁଲି ନଳକୂଅ, କୂଅ, ରାସ୍ତା ଆଦି ସ୍ଥାନରେ ବ୍ଲିଚିଂ ପକାଯାଉଛି। ସେହିପରି ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ବିଚିତ୍ରାନନ୍ଦ ମାହାନାଙ୍କ ମଙ୍ଗଳବାର ମୃତ୍ୟୁ ହେବା ପରେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।