ବାଲିଅନ୍ତା ବଜାର: ହୋଲି ଦିନ ବାଲିଅନ୍ତା ବେଣୁପୁର ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀନକୃଷ୍ଣ ମଙ୍ଗରାଜ(୩୯) ଓ ଯୁଧିଷ୍ଠିର ଜେନା(୨୧)। ଘଟଣା ଦିନ ମୋହନ ପାତ୍ରଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିବା ଅଭିଯୋଗରେ ପୁଲିସ ରାଜେଶ ପାତ୍ର ଓ ରିଚେସ ପାତ୍ରଙ୍କୁ ଗିରଫ କରିଥିଲା। ପରେ ପରେ ସେମାନଙ୍କ ଘରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ପୁଲିସ ଦୀନକୃଷ୍ଣ ଓ ଯୁଧିଷ୍ଠିରଙ୍କୁ କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଫେରାର୍‌ ଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି।

Advertisment

ସୂଚନାଯୋଗ୍ୟ ଯେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ମୋହନ ପାତ୍ର ଓ ରାଜେଶ ପାତ୍ରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଉଭୟ ପକ୍ଷ ଛକାପଞ୍ଝାରେ ରହୁଥିଲେ। ଗତ ୮ ତାରିଖ ହୋଲି ଦିନ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ପୁଣି ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ରାଜେଶ ଓ ରିଚେସ ଆଗୁଆ ନଦୀରୁ ଫେରିଆସି ବାଟରେ ଖଣ୍ଡା ଧରି ଛକି ରହିଥିଲେ। କିଛି ସମୟ ପରେ ମୋହନ ଓ ଦୀନକୃଷ୍ଣ ମଙ୍ଗରାଜ ନଦୀରୁ ଫେରିବା ବେଳେ ସେମାନେ ଆକ୍ରମଣ କରିଥିଲେ। ଦୀନକୃଷ୍ଣ ବର୍ତ୍ତି ଯାଇଥିବା ବେଳେ ଖଣ୍ଡା ମାଡ଼ରେ ମୋହନ ଗୁରୁତର ହୋଇଥିଲେ। ଦୀନକୃଷ୍ଣଙ୍କଠାରୁ ଖବର ପାଇ ଗାଁରୁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଗୁରୁତର ମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହା ଭିତରେ ମୋହନଙ୍କ ସମର୍ଥକମାନେ ରାଜେଶଙ୍କୁ ଖୋଜିଖୋଜି ତାଙ୍କ ଘର ଭିତରେ ପଶି ହଙ୍ଗାମା କରିଥିଲେ। ରାଜେଶଙ୍କ ମା’ ନୟନା ପାତ୍ରଙ୍କ ଅଭିଯୋଗ ଅନୁସାରେ ସରପଞ୍ଚଙ୍କ ନେତୃତ୍ବରେ ମୋହନଙ୍କ ସମର୍ଥକମାନେ ଘରେ ପଶି ମହିଳାମାନଙ୍କୁ ଗାଳିମନ୍ଦ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ।