ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ନିଜ ତରଫରୁ ଅପରାଧିକ ମାମଲା ରୁଜୁ କଲା କମିସନରେଟ୍‌ ପୁଲିସ୍‌

ଭୁବନେଶ୍ୱର: ରାଜଧାନୀର ମୁଖ୍ୟସ୍ଥଳୀ ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇଛି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆଜି ଅପରାହ୍‌ଣ ୧ଟା ୨୦ରେ ପେଟ୍ରୋଲ୍‌ ପମ୍ପରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କି ଥିଲା। ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଅଧିକାରୀଙ୍କ ସହିତ ଏନେଇ ଆଲୋଚନା ହୋଇଛି। ବାକି ଥିବା ଗ୍ୟାସ୍‌ ଓ ତୈଳକୁ ପମ୍ପ କରି ଏଠାରୁ ନେଇଯିବା ପାଇଁ ମଧ୍ୟ କଥା ହୋଇଛି। ଏଥିଲାଗି ବାଲେଶ୍ୱରରୁ ଗାଡ଼ି ଅଣାଯାଉଛି ଏବଂ ଏହା ଆସିବା ପରେ ଗ୍ୟାସ୍‌ ପମ୍ପ କରି ନେଇଯିବ। ତେଣୁ ଯେହେତୁ ବିପଦ ଟଳି ନାହିଁ, ଲୋକେ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏଥିସହ ସେ ସୂଚନା ଦେଇଥିଲେ ଯେ ଉକ୍ତ ପେଟ୍ରୋଲ ପମ୍ପରେ ଏଲପିଜିର ୧୦ ହଜାର ଲିଟରର ଗୋଟିଏ ଟାଙ୍କି, ପେଟ୍ରୋଲର ୨୦ ହଜାର ଲିଟରର ଦୁଇଟି, ଡିଜେଲର ୨୦ ହଜାର ଲିଟରର ଗୋଟିଏ ଟାଙ୍କି ମହଜୁଦ୍ ରହିଛି।

ଅଗ୍ନିକାଣ୍ଡ ଘଟଣା ଭୟଙ୍କର ଥିଲା। ତେଣୁ ଘଟଣାସ୍ଥଳ ନିବଟବର୍ତ୍ତୀ ଅଞ୍ଚଳର ଲୋକେ (୨ କିଲୋମିଟର ପରିଧି) ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଲୋକଙ୍କର ସୁରକ୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି। ଏଭଳି ବିପଦ ସମୟରେ ଲୋକେ ଘରୁ ନ ବାହାରିଲେ ଭଲ ବୋଲି ସେ କହିଛନ୍ତି। କାରଣ ଏବେ ପେଟ୍ରୋଲ ଟାଙ୍କି ନିକଟରେ ବିଭିନ୍ନ ପ୍ରକାରର ବିସ୍ଫୋରକ ପଦାର୍ଥ ପଡ଼ି ରହିଛି। ତେଣୁ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଆଇଓସିଏଲ୍‌ ଟିମ୍‌ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏଥିରେ କାହାରି ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି। ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍‌ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯାଇଛି।

ପୂର୍ବରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଅପରାହ୍‌ଣ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ ଲାଗି ତୈଳ ମନ୍ତ୍ରାଳୟର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍‌ ଅଏଲର ଅଧିକାରୀମାନଙ୍କ ସହ ଅଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରୁ ଶୀଘ୍ର ଆରୋଗ୍ୟ କାମନା କରନ୍ତୁ ବୋଲି ସେ ଟୁଇଟ କରିଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ୍‌ ପମ୍ପରେ ଘଟିଥିବା ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଶୁ ଚିକିତ୍ସା ଦିଆଯାଇ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରଣ କରି ଦିଆଯାଇଛି। ଏହିି ଦୁଇ ଜଣଙ୍କର ଆଖିରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍‌ସିକ୍‌ ଟିମ୍‌ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି।

ଟାଙ୍କିିରେ ତେଲ ଥିବା ପର୍ଯ୍ୟନ୍ତ ବିପଦ ରହିଛି ବୋଲି ଡେପୁଟି ଫାୟାର୍‌ ଅଫିସର୍‌ ରମେଶ ମାଝି ସୂଚନା ଦେଇଛନ୍ତି। ସେହିପରି ଏହି ଦୁର୍ଘଟଣାରେ ରାଜଭବନ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ କେତେକ ଘରର ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ।

ସ୍ଥାନୀୟ ଅଧବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍‌ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର