ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରସଂଗ : ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ

କଟକ : ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସଂପର୍କିତ ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସତ୍ୟପାଠ ଉପରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହି ସତ୍ୟପାଠ ଉପରେ ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିଜବାବ ଦାଖଲ ହେବ। ଏପ୍ରିଲ ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍.କେ ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ ସାବତଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪, ଅକ୍ଟୋବର ୨୧ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ସରକାରୀ ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରସଂଗ ନେଇ ମୃତ ଛାତ୍ରଙ୍କ ପରିବାର ସଦସ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫେବ୍ରୁଆରି ୨୬ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସ୍କୁଲରେ ଛତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ଷ୍ଟୁଡେଣ୍ଟ ୱେଲଫେୟାର ଫଣ୍ଡରୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୦୧୫, ମାର୍ଚ୍ଚ ୨୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ପୂର୍ବରୁ ୧୯୯୩, ଫେବ୍ରୁଆରି ୨୬ର ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ବିଦ୍ୟାର୍ଥୀ ସୁରକ୍ଷା ‌ବୀମା ଯୋଜନା ଅଧୀନରେ ସ୍କୁଲ ଛାତ୍ର/ଛାତ୍ରୀଙ୍କ ମୃତ୍ୟୁ ହେଲେ ତାଙ୍କୁ ୧୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିଲା। ଉଭୟ ସ୍କୁଲ ବିଦ୍ୟାର୍ଥୀ ସୁରକ୍ଷା ‌ବୀମା ଯୋଜନା ଓ ଷ୍ଟୁଡେଣ୍ଟ ୱେଲଫେୟାର ଫଣ୍ଡରୁ ଏପରି ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ଏବେ ରାଜ୍ୟରେ ବଳବତ୍ତର ରହିଛି ବୋଲି ନିର୍ଦ୍ଦେଶକଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ଓ ଖୋର୍ଦ୍ଧା ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆବେଦନକାରୀଙ୍କ ପାଇଁ ମଞ୍ଜୁର କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡିଂ କାଉନସିଲ ଦୀପ୍ତିରଂଜନ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର