ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫିଟ୍‌ ରହିବା ପାଇଁ ଦେଶର ଯେଉଁ ସହରରେ ଅଧିକ ଲୋକ ପ୍ରାତଃଭ୍ରମଣ ଓ ସାଇକେଲ୍‌ ଚଳାଉଛନ୍ତି, ସେହି ସହରକୁ ମନ୍ତ୍ରାଳୟ ପୁରସ୍କୃତ କରିବ। ତେଣୁ ଯେଉଁମାନେ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତ୍ୟହ ଚାଲୁଛନ୍ତି କିମ୍ବା ସାଇକେଲ୍‌ ଚଳାଉଛନ୍ତି, ସେମାନେ ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ଭୁବନେଶ୍ବରକୁ ଜାତୀୟ ପୁରସ୍କାର ଜିତିବାରେ ସହାୟକ ହୁଅନ୍ତୁ ବୋଲି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ନିବେଦନ କରିଛି। ‘ଫ୍ରିଡମ୍ ଟୁ ୱାକ୍‌ ଆଣ୍ଡ ସାଇକେଲ’ ଅଭିଯାନରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପଞ୍ଜୀକରଣ ପାଇଁ ଦୁଇଟି କ୍ୟୁଆର କୋଡ୍‌ ଜାରି କରାଯାଇଛି।

Advertisment

ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଲୋକମାନେ କେତେ ଚାଲିଲେ ଓ କେତେ ସାଇକେଲ୍‌ ଚଳାଇଲେ, ତାହାର ପଞ୍ଜୀକରଣ ହେବା ଜରୁରୀ। ତେଣୁ ଲୋକମାନେ ଫିଟବିଟ୍, ଷ୍ଟ୍ରାଭା କିମ୍ବା ଗୁଗୁଲ୍ ଫିଟ୍ ଜରିଆରେ ପଞ୍ଜୀକରଣ କରିପାରିବେ। ଚାଲିବା କିମ୍ବା ସାଇକେଲ୍‌ ଚଳାଇବା ପୂର୍ବରୁ ଏହାକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ତା’ ଛଡ଼ା ଲୋକମାନେ କ୍ୟୁଆର କୋଡ୍ ସ୍କାନ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ଏହି ବ୍ୟବସ୍ଥା ଯାତ୍ରାର ଦୂରତା ଗଣନା କରି ୨୪ଘଣ୍ଟା ମଧ୍ୟରେ ସହରର ଡେକାଥଲନ୍ ପେଜ୍‌ରେ ତଥ୍ୟକୁ ଅପଡେଟ୍ କରିବ। ୨୬ ତାରିଖ ପରେ ଏହାକୁ ହିସାବ କରାଯାଇ ବିଜେତା ଚୟନ କରାଯିବ। ନାଗରିକମାନେ ଯେତେ ଅଧିକ ଅଂଶଗ୍ରହଣ କରିବେ, ଭୁବନେଶ୍ବର ଏହି ପ୍ରତିଯୋଗିତା ଜିତିବାରେ ସେତେ ସହଜ ହେବ। ଅତୀତରେ ଭୁବନେଶ୍ବର ଏଭଳି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥର ମଧ୍ୟ ଜନସାଧାରଣଙ୍କ ସହଭାଗିତାରେ ଏହାକୁ ଜିତିବାର ଲକ୍ଷ୍ୟ ରଖିଛି। ଫ୍ରିଡମ୍ ଟୁ ୱାକ ଚ୍ୟାଲେଞ୍ଜ ପାଇଁ ‘https://t.co/aofKwjBX0c’ ଓ ଫ୍ରିଡମ୍ ଟୁ ସାଇକେଲ ଚ୍ୟାଲେଞ୍ଜ ପାଇଁ ‘https://t.co/yXtmxKMLCP’ ରେ ଲଗ୍ ଇନ୍ କରିବାକୁ କୁହାଯାଇଛି।