ପ୍ରଶାସନ ଅଧିକାରୀଙ୍କ ନାମରେ ଜବରଦଖଲ ଅଭିଯୋଗ

ଚନ୍ଦ୍ରଶେଖରପୁର:ବସ୍ତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ କିମ୍ବା ବ୍ୟବସାୟ କରିବାପାଇଁ ରାସ୍ତା ପାର୍ଶ୍ବରେ ଠେଲା ଗାଡ଼ି ପକାଇଲେ ଉଚ୍ଛେଦ କରିବାକୁ ବିଡିଏ ଓ ବିଏମ୍‌ସି ମାଡ଼ି ଆସୁଛନ୍ତି। ପୁଲିସ ସହାୟତାରେ ‌ଜୋରଜବରଦସ୍ତ ଉଚ୍ଛେଦ କରାଯାଉଛି। କିନ୍ତୁ ଯେତେବେଳେ ବଡ଼ ବଡ଼ିଆ ବାବୁମାନେ ଏକର ଏକର ଜମି ମାଡ଼ି ବସୁଛନ୍ତି ଓ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଛନ୍ତି, ସେତେବେଳେ କ’ଣ ହେଉଛି। ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁ‌ଷ୍ଠାନ ହେଉନାହିଁ। ଜବରଦଖଲ ହଟାଇବା ତ ଦୂରର କଥା ନୋଟିସ୍‌ ବି ପଠାଯାଉ ନାହିଁ।

ଏଭଳି ବଡ଼ ବଡ଼ିଆ ଆଉ କେହି ନୁହନ୍ତି। ବରଂ ଖୋଦ୍‌ ଜଣେ ପ୍ରଶାସନିକ ଅଧିକାରୀଙ୍କ ନାମରେ ସରକାରୀ ଜମି ଜବରଦଖଲ‌ ନେଇ ଅଭିଯୋଗ ଆସିଛି। ଚନ୍ଦ୍ରଶେଖରପୁର ଥାନା ନିକଟ ଡ୍ରାଇଭିଂ ଟ୍ରେନିଂ ପଡ଼ିଆକୁ ଲାଗି ରହିଥିବା ପ୍ରଶାସନିକ ଅଧିକାରୀ ଗଗନ ‌ଧଳଙ୍କ ନିଜ ଜିଏ ପ୍ଲଟ୍‌କୁ ଲାଗି ରହିଥିବା ପ୍ରାୟ ଏକ ଏକରରୁ ଅଧିକ ଜମିକୁ ନିଜେ ଜବରଦସ୍ତ ମାଡ଼ି ବସିଛନ୍ତି। ଇଟା ପାଚେରି ସହ ଲୁହା ବାଡ଼ ବୁଲାଇ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ରଖିଛନ୍ତି। ଉକ୍ତ ଜମିକୁ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଛନ୍ତି। ଗାଡ଼ି ପାର୍କିଂ ବ୍ୟବସ୍ଥା କରିଛନ୍ତି। ଜଗୁଆଳି ରହିବା ପାଇଁ ଏକ ଘର ମଧ୍ୟ ତିଆରି କରିଛନ୍ତି। ସରକାରଙ୍କ ନିୟମକୁ ବେଖାତିର କରି ନିଜ ଘରର ଫାଟକ ସରକାରୀ ଜମି ଉପରେ ରାସ୍ତାକୁ ମାଡ଼ି ନିର୍ମାଣ କରିଛନ୍ତି। ରାଜ୍ୟ ସରକାର ‘୫-ଟି’ର କାର୍ଯ୍ୟକାରିତା ନେଇ ଡିଣ୍ଡିମ୍‌ ପିଟୁଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ କିପରି କୋଟି କୋଟି ଟଙ୍କାର ବହୁ ମୂଲ୍ୟ ଜମିକୁ ଜବରଦଖଲ କରି ରଖି ପାରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକେ ଏପରି ଗୁରୁତର ଅଭିଯୋଗ କରିବା ସହ ପ୍ରଶାସନିକ ଅଧିକାରୀ ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ଶ୍ରୀ ଧଳଙ୍କ ଜମି ଜବରଦଖଲ ଉଚ୍ଛେଦ କରିବାକୁ ଚନ୍ଦ୍ରଶେଖରପୁରର ଅଞ୍ଚଳର ସମାଜସେବୀ ଜଟାଧାରି ‌ସାହୁ ଓ ତାପସ ଦାସଙ୍କ ସମେତ ସ୍ଥାନୀୟ ଲୋକ ଏକ ଦସ୍ତଖତ ସମ୍ବଳିତ ଚିଠି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ କରିଛନ୍ତି। ସେମାନେ ଏଭଳି ଅଭିଯୋଗ ନେଇ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଛନ୍ତି। ନ୍ୟାୟ ମିଳିବା ବଦଳରେ ପାଲଟା ଆକ୍ରୋଷର ଶିକାର ବି ହେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରଠାରୁ କିଛି ଦୂ‌ରରେ ସ୍ଥାନୀୟ ଲୋକେ ଏକ ହନୁମାନ ମୃର୍ତ୍ତି ପୂଜା କରୁଥିଲେ। ତେଣୁ ଶ୍ରୀ ଧଳ ସରକାରୀ କଳର ଅପବ୍ୟବହାର କରି ଉକ୍ତ ହନୁମାନ ମୃର୍ତ୍ତି ଓ ମଣ୍ଡପକୁ ବିଡିଏ ଓ ବିଏମ୍‌ସି ସହଯୋଗରେ ଉଚ୍ଛେଦ କରିଦେଇଛନ୍ତି। ଉକ୍ତ ହନୁମାନ ମଣ୍ଡପ ଜମିକୁ ଉଚ୍ଛେଦ କରା ନ ଯିବା ନେଇ ଅଦାଲତରେ ମାମଲା ବଳବର୍ତ୍ତର ରହିଥିବା ବେଳେ ଉଚ୍ଛେଦକାରୀ ଦଳ କିଛି ଶୁଣି ନ ଥିଲେ। ମଣ୍ଡପକୁ ଗତ ମାସରେ ଉଚ୍ଛେଦ କରାଯାଇ ଥିଲା। ହେଲେ ସେହି ସ୍ଥାନରେ ଶ୍ରୀ ଧଳଙ୍କ ଜବରଦଖଲ ଉଚ୍ଛେଦ କଥା ଉଠିବାରୁ ଉଚ୍ଛେଦକାରୀ ଦଳ ଚୁପ୍ ରହିଥିଲେ। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏନେଇ ଶ୍ରୀ ଧଳଙ୍କ ପ୍ରତିକ୍ରିୟା ଜାଣିବା ଲାଗି ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। ବାବୁ ଘରେ ନାହାନ୍ତି ବୋଲି ତାଙ୍କ ଘର ସମ୍ମୁଖରେ ଥିବା ଜଗୁଆଳି କହିଥିଲେ। ଫୋନ୍‌ରେ ୩ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା।

ସମ୍ବନ୍ଧିତ ଖବର