୪ବର୍ଷ ତଳେ ଉଚ୍ଛେଦ ରାସ୍ତା ପୁଣି ଜବରଦଖଲ, ବିଏମ୍‌ସିରେ ଅଭିଯୋଗ

ପରୁଣା ଭୁବନେଶ୍ବର,: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗୌରୀନଗର କେନାଲ ନିକଟରେ ସର୍ବସାଧାରଣ ବ୍ୟବହୃତ ଏକ ରାସ୍ତା ଜବର ଦଖଲ ହୋଇଛି। ଏନେଇ ବିଏମ୍‌ସି ଓ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ତେବେ ସଟ୍‌ଡାଉନ୍‌ ଚାଲିଥିବାରୁ କୌଣସି ପଦକ୍ଷେପ ନିଆଯାଇପାରି ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାରେଜ୍‌ ଛକ ନିକଟରୁ ଗୌରୀନଗରକୁ ଯିବା ରାସ୍ତାରେ ଦୟାୱେଷ୍ଟ କେନାଲ କଡ଼ରେ ରହିଛି ଗୌରୀନଗର ଲେନ୍‌-୨ବି। ଏହି ଅଞ୍ଚଳରେ ୫୦ରୁ ଊର୍ଧ୍ବ ପରିବାର ବାସ କରନ୍ତି। ଗୌରୀଗାର୍ଡେନ୍‌ ପଛପାଖ ରାସ୍ତାକୁ ଲେନ୍‌-୨ବି ରାସ୍ତା ସଂଯୋଗ କରିଛି। ଏହା ୮ଫୁଟିଆ ରାସ୍ତା। ଗୌତମନଗର ମୌଜା ଖାତା ନମ୍ବର ୨୨୭୯ ଅଧୀନ ପ୍ଲଟ୍‌ ନମ୍ବର ୩୫୬୩ରେ ଏକ ଛୋଟ ନାଳ କଡ଼ରେ ଏହି ରାସ୍ତା ରହିଛି। ବିଡିଏ ପକ୍ଷରୁ ୱେବ ନକ୍ସା ସିଟ୍‌ ନମ୍ବର୧୫ରେ ଏହି ରାସ୍ତାକୁ ଏକ ପାଣି ନାଳ ଦର୍ଶାଯାଇଛି। ସରକାରଙ୍କ ପାଣିନାଳ କିସମରେ ଥିବା ଏହି ୮ଫୁଟ୍‌ ରାସ୍ତା କଡ଼ରେ ଛୋଟ ନାଳ ରହିଛି। କିନ୍ତୁ ଏହାକୁ ଜଣେ ବ୍ୟକ୍ତି ପାଚେରି ବୁଲାଇ ୨ଦିନ ହେଲା ଜବରଦଖଲ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୧୬ମସିହାରେ ଏହି ରାସ୍ତାକୁ ଜବର ଦଖଲ କରାଯାଇଥିଲା। ଏନେଇ ଅଭିଯୋଗ ପରେ ସେତେବେଳେ ବିଏମ୍‌ସି ପକ୍ଷରୁ ବୁଲ୍‌ଡୋଜର ସାହାଯ୍ୟରେ ଜବର ଦଖଲକୁ ଉଚ୍ଛେଦ କରାଯାଇଥିଲା। ଏବେ ପୁଣି ଜବର ଦଖଲ କରାଯାଇଛି। ଫଳରେ ଲୁଇସ୍‌ ରୋଡ ମୁଖ୍ୟ ରାସ୍ତାରୁ ଯିବା ଆସିବା ସମସ୍ୟା ହେଉଛି। ୨କିଲୋମିଟର ଅଧିକ ବୁଲିକରି ଯିବାକୁ ପଡ଼ୁଛି। ଏନେଇ ଉକ୍ତ ପ୍ଲଟ୍‌ର ପାଖ ପଡ଼ୋଶୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ହୋଇପାରି ନାହିଁ। ଏ ସମ୍ପର୍କରେ ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କୁହନ୍ତି ସଟ୍‌ଡାଉନ୍‌ ଚାଲିଥିବାରୁ କୌଣସି ପଦକ୍ଷେପ ନିଆଯାଇପାରି ନାହିଁ। ଏହାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର