ବାଲିପାଟଣା: ପାରିବାରିକ ବିବାଦକୁ ନେଇ ବାଲିପାଟଣା ଥାନାର ଦ୍ବାରସ୍ଥ ହୋଇଥିବା ଜଣେ ମହିଳାଙ୍କୁ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଖରାପ ବ୍ୟବହାର କରିଛନ୍ତି ବୋଲି କ୍ୟାପିଟାଲ ମହିଳା ଥାନାରେ ଅଭିଯୋଗ ହୋଇଛି। ବନମାଳୀପୁର ଆନନ୍ଦପୁର ଅଞ୍ଚଳର ଏହି ମହିଳା ଲକ୍ଷ୍ମୀପ୍ରିୟା ନାଥ ଭୁବନେଶ୍ବର ଡିସିପିଙ୍କ ନିକଟରୁ ନ୍ୟାୟ ନ ପାଇବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି।

Advertisment

ସୂଚନାନୁସାରେ ବନମାଳୀପୁର ଆନନ୍ଦପୁର ଗ୍ରାମର ସୁନିଲ ନାଥଙ୍କ ୩ ପୁଅ। ସାନ ପୁଅ ରାଜେଶ ନାଥ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଛନ୍ତି। କିନ୍ତୁ ଶାଶୁଙ୍କ ମୃତ୍ୟୁ ପରେ ପରିବାର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ଘରେ ପୂରାଇ ଦେଉନାହାନ୍ତି। ଶ୍ବଶୁର, ଦୁଇ ଦେଢ଼ଶୁର ଓ ମାମୁଁ ଶ୍ବଶୁର ସମସ୍ତେ ମିଳିତ ଭାବେ ରାଜେଶ ଓ ଲକ୍ଷ୍ମୀପ୍ରିୟାଙ୍କୁ ଘରୁ ତଡ଼ି ଦେଇଛନ୍ତି।

ଏନେଇ ଲକ୍ଷ୍ମୀପ୍ରିୟା ପ୍ରଥମେ ବନମାଳୀପୁର ଫାଣ୍ଡି ଓ ପରେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ତାଙ୍କୁ ଅଶାଳୀନ ଭାଷାରେ ଗାଳି କରି ଥାନାରୁ ତଡ଼ି ଦେଲେ। ତାଙ୍କ ଚରିତ୍ର ଓ ଜାତିକୁ ଆକ୍ଷେପ କରି ଆଇଆଇସି ଗାଳି କରିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସେ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ଡିସିପି ତାଙ୍କୁ ନ୍ୟାୟ ଦେଲେ ନାହିଁ ବୋଲି ସେ ମହିଳା ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ବାଲିପାଟଣା ଆଇଆଇସି ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।