ହଡ଼ପ କରିନେଲେ ଉଠା ଦୋକାନୀ ସହାୟତା

ଖଣ୍ଡଗିରି: ଯାହାର ଦୋକାନ ଅଛି ସେମାନଙ୍କୁ ସରକାରୀ ସହାୟତା ମିଳିଲା ନାହିଁ। ଅଥଚ ମୋଟେ ଦୋକାନ ନଥିବା ଲୋକେ ସରକାରୀ ସହାୟତା ହାତେଇ ନେଲେ। ବିଭାଗୀୟ ଅଧିକାରୀଙ୍କ ମୁହଁଚାହାଁ ନୀତି ପାଇଁ ପ୍ରକୃତ ଉଠା ଦୋକାନୀମାନେ ବଞ୍ଚିତ ହେଲେ। ତେଣୁ ଅନ୍ୟାୟଭାବେ ସରକାରୀ ସହାୟତାକୁ ହଡ଼ପ କରିଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ସହାୟତା ରାଶି ଫେରସ୍ତ ନିଆଯିବା ସହ ଏହି କେଳେଙ୍କାରୀରେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୱାର୍ଡ ନମ୍ବର ୨୨ ଭରତପୁର ଅଞ୍ଚଳରୁ ଉଠିଛି ଏଭଳି ସଂଗିନ୍ ଅଭିଯୋଗ। ସରକାରୀ ସହାୟତାରୁ ବଞ୍ଚିତ ଶତାଧିକ ଉଠା ଦୋକାନୀ ଆଜି ରେଣ୍ଟାଲ କଲୋନିସ୍ଥିତ ବିଏମ୍‌ସି ଶାଖା କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଭରତପୁରର ଶତାଧିକ ମହିଳା ଓ ପୁରୁଷ ଦୋକାନୀ ରେଣ୍ଟାଲ କଲୋନିସ୍ଥିତ ଶାଖା କାର୍ଯ୍ୟାଳୟ‌ରେ ପହଞ୍ଚିଥିଲେ। ସରକାରୀ ସହାୟତା ଯୋଗାଇ ଦିଆ‌ଯାଇଥିବା ଉଠା ଦୋକାନୀ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରିବାକୁ ସେମାନେ ଏକାଠି ହୋଇଥିଲେ। ଜେଡିସିଙ୍କୁ ଏ ସଂକ୍ରାନ୍ତୀୟ ଦାବିପତ୍ର ଦେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। କିନ୍ତୁ ଜରୁରୀ କାର୍ଯ୍ୟ ପାଇଁ ଜେଡିସି ଶାଖା କାର୍ଯ୍ୟାଳୟକୁ ଆସିପାରିନଥିଲେ। ତେବେ ଖବର ପାଇବା ପରେ ଲୋକଙ୍କ ଦାବିପତ୍ର ଗ୍ରହଣ କରିବା ପାଇଁ ସେ କାର୍ଯ୍ୟାଳୟରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ଲାଗୁ କରାଯାଇଥିବା ତାଲାବନ୍ଦ କାରଣରୁ ବିଏମ୍‌ସି ଅଞ୍ଚଳରେ ହଜାର ହଜାର ଉଠା ଦୋକାନୀ ପ୍ରଭାବିତ ହୋଇଛନ୍ତି। ରାସ୍ତା କଡ଼ର ଏହି ଛୋଟ ଛୋଟ ଦୋକାନ ବନ୍ଦ ହୋଇଯିବା ପରେ ସେମାନଙ୍କ ପରିବାର ଅଭାବ ଅନଟନରେ ପଡ଼ି ଯାଇଛି। ତେଣୁ ସେମାନଙ୍କୁ ସାମୟିକ ସହାୟତା ଯୋଗାଇ ଦେବାକୁ ସରକାର ୩ ହଜାର ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ଏହି ସହାୟତାକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ବିଏମ୍‌ସି କର୍ମଚାରୀଙ୍କୁ ହାତ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଦୋକାନ ନଥିବା କିଛି ବ୍ୟକ୍ତି ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ରଖିବାରେ ସକ୍ଷମ ହୋଇଛନ୍ତି ଓ ୩ ହଜାର ଟଙ୍କାର ସହାୟତା ରାଶି ହାତେଇଛନ୍ତି। ଅନ୍ୟ ପକ୍ଷରେ ପ୍ରକୃତରେ ଦୋକାନ କରିଥିବା ବ୍ୟକ୍ତିମାନଙ୍କୁ ଉକ୍ତ ତାଲିକାରୁ ବାଦ୍ ଦିଆଯାଇଛି। ଭରତପୁରର ଉଠା ଦୋକାନୀ ବୁଲୁ ମହାରଣାଙ୍କ କହିବା କଥା ଉଠା ଦୋକାନୀମାନଙ୍କ ତାଲିକା ବିଏମ୍‌ସି ଅଧିକାରୀଙ୍କ ପାଖରେ ରହିଛି। କାରଣ ଉଠା ଦୋକାନ କରୁଥିବା ବେପାରୀମାନେ ବିଏମ୍‌ସିକୁ ନିୟମିତ ଟିକସ ଦେଉଛନ୍ତି। ଅଥଚ ସରକାରୀ ସହାୟତା ପାଇବାବେଳକୁ ସେମାନଙ୍କୁ ବାଦ୍ ଦିଆଯାଇଛି। ସର୍ଭେ କଲାବେଳେ ବିଭାଗୀୟ କର୍ମଚାରୀମାନେ କେବଳ ପାତରଅନ୍ତର ନୀତି କରିନାହାନ୍ତି ଦୋକାନ ନଥିବା ଲୋକଙ୍କୁ ହିତାଧିକାରୀ ତାଲିକାରେ ଯୋଡ଼ି ଦୁର୍ନୀତି କରିଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ ହେବା ଜରୁରୀ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର