ଭୁବନେଶ୍ବର: ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶା ଦେଇ ଯାଇଥିବା ରାଜପଥଗୁଡ଼ିକ ବର୍ଷ ବର୍ଷ ଧରି ମରାମତି ହେଉନଥିବାରୁ ତାହା ଏବେ ମରଣଯନ୍ତା ପାଲଟିଛି। ବିଶେଷକରି ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ବର-ଚଣ୍ଡିଖୋଲ ରାସ୍ତା ଅତି କଦର୍ଯ୍ୟ ହୋଇଯାଇଛି। ୬୭ କିଲୋମିଟର ଏହି ରାସ୍ତାରେ ହଜାରେରୁ ଅଧିକ ଖାଲଖମା। ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଜନସାଧାରଣଙ୍କ ସ୍ବାର୍ଥକୁ ବଳି ଦେଉଛି ବିଭାଗ। ବିଭାଗର ଖାମଖିଆଲ ନୀତି ପାଇଁ ପ୍ରତିବର୍ଷ ଶହଶହ ଧନଜୀବନ ନଷ୍ଟ ହେଉଛି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ବ୍ରହ୍ମପୁର ଗଞ୍ଜାମର ଯୁବ ସମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି) ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟରେ ଅଭିଯୋଗ କରିଛନ୍ତି।
୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଖର୍ଚ୍ଚ ହୋଇଥିବା ୧୧ଶହ କୋଟି ଟଙ୍କାର ଭିଜିଲାନ୍ସ ତଦନ୍ତ ସହ ଓଡ଼ିଶାରେ ଥିବା ସମସ୍ତ ଜାତୀୟ ରାଜପଥ ଉପରେ ଅଡିଟ୍ କରିବାକୁ ସେ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସାଧାରଣ ଲୋକଙ୍କ ଟଙ୍କାରେ ବିକାଶମୂଳକ କାର୍ଯ୍ୟ କରାଯାଉଛି। ରାସ୍ତା ନିର୍ମାଣ ସମୟରେ ଅଧିକାରୀମାନେ ଧ୍ୟାନ ଦେଉନାହାନ୍ତି। ଫଳରେ ଠିକାଦାର ଠିକ୍ ଭାବେ ରାସ୍ତା ନିର୍ମାଣ କରୁନାହାନ୍ତି। କିଛି ଦିନ ଭିତରେ ରାସ୍ତା ନଷ୍ଟ ହୋଇଯାଉଛି। ମରାମତି କରାଯାଉ ନଥିବାରୁ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ତେଣୁ ତୁରନ୍ତ ଭିଜିଲାନ୍ସ ତଦନ୍ତ ସହ ଓଡ଼ିଶା ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ ଉପରେ ଅଡିଟ୍ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ‘୧୬ ନମ୍ବର ଜାତୀୟ ରାଜପଥରେ ହଜାରେ ଖାଲଖମା: ୧୧ ଶହ କୋଟି ଖର୍ଚ୍ଚ ପରେ ବି ମରଣଯନ୍ତା’ ଶୀର୍ଷକ ଏକ ବିସ୍ତୃତ ଖବର ପ୍ରକାଶ ପାଇଥିଲା।