ଭୁବନେଶ୍ବର: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅଭିଯୋଗପତ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିକଟକୁ ପଠାଯାଇଛି। ଏହି ଘଟଣାର ତଦନ୍ତ କରି ତଥ୍ୟ ସମ୍ବଳିତ ସୂଚନା ବିଭାଗକୁ ପ୍ରଦାନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମ୍‌ଇଟି)ଙ୍କୁ ପତ୍ର ଜାରି ହୋଇଛି। 
ସ୍ବାସ୍ଥ୍ୟ ବିଭାଗର ପତ୍ର ସଂଖ୍ୟା ୧୮୫୫୩ ରେ ଅନୁ ସଚିବ ସୁଧୀର ବିଶ୍ବାଳ ଗତମାସ ୨୪ ତାରିଖରେ ଡିଏମ୍‌ଇଟିଙ୍କୁ ଏହି ପତ୍ର ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଡିଏମ୍‌ଇଟି ଅଭିଯୋଗର ଉପଯୁକ୍ତ ତଦନ୍ତ କରିବା ସହ ଏ ସଂକ୍ରାନ୍ତରେ ବିଭାଗକୁ ଆବଶ୍ୟକ ପ୍ରସ୍ତାବ ପ୍ରଦାନ କରିବେ।  ଡିଏମ୍‌ଇଟି ଡା.ସନ୍ତୋଷ ମିଶ୍ର କହିଛନ୍ତି, ଏ ସଂପର୍କିତ ପତ୍ର ପାଇନାହିଁ। ପତ୍ର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଡା.ଲୁସି ଦାସ ମଧ୍ୟ ଏଭଳି ପତ୍ର ପାଇ ନ ଥିବା କହିଛନ୍ତି। 
ଉଲ୍ଲେଖ ଯେ କିଛିମାସ ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ଜାଲିଆତି ଘଟଣାର ତଦନ୍ତ କରିବା ଲାଗି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ଜାରି ହୋଇଥିଲା। ନିର୍ମାଣ ସୌଧରେ କାର୍ଯ୍ୟରତ ପୂର୍ତ୍ତ ବିଭାଗର କିଛି ଯନ୍ତ୍ରୀ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଜରିଆରେ ସରକାରୀ ଚାକିରି କରିଥିବା ଅଭିଯୋଗ ହୋଇଥିଲା।