ଭୁଲ୍ ରିପୋର୍ଟ ପାଇଁ ବିକଳାଙ୍ଗ ଶିଶୁ ଜନ୍ମ, କ୍ଲିନିକ୍ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ବର: ଭୁଲ୍ ରିପୋର୍ଟ କାରଣରୁ ବିକଳାଙ୍ଗ ଶିଶୁ ଜନ୍ମ ହୋଇଥିବା ନେଇ ଏକ ଘରୋଇ କ୍ଲିନିକ୍ ବିରୋଧରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଜନ୍ମିତ ପିଲାର ଏଭଳି ଅବସ୍ଥା ପାଇଁ କ୍ଲିନିକକୁ ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶିଶୁର ମା’। ସୂଚନାନୁଯାୟୀ, ପୁରୁଣା ଭୁବନେଶ୍ବର କପିଳ ପ୍ରସାଦ ଅଞ୍ଚଳର ଯାଜ୍ଞସେନୀ ପୃଷ୍ଟି ନାମକ ଜଣେ ମହିଳା ଗର୍ଭବତୀ ଥିଲେ। ପ୍ରତି ଦୁଇ ତିନି ମାସରେ ଥରେ କ୍ୟାପିଟାଲ୍ ହସ୍ପିଟାଲକୁ ଚେକ୍ ଅପ୍ କରିବାକୁ ଆସନ୍ତି। ପ୍ରସବର ତିନିମାସ ପୂର୍ବରୁ ହସ୍ପିଟାଲକୁ ଚେକ୍ ଅପ୍ କରିବାକୁ ଆସିଥିଲେ। ସେଠାରେ ଡାକ୍ତର ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ। ହସ୍ପିଟାଲରେ ସୁବିଧା ନ ହେବାରୁ ବାପୁଜୀନଗରସ୍ଥିତ ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ରେ ଅଲଟ୍ରାସାଉଣ୍ଡ କରିଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଯେ ପେଟରେ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଆଉ କୌଣସି ଅସୁବିଧା ନାହିଁ। ତିନି ମାସ ପରେ ଯାଜ୍ଞସେନୀଙ୍କର ଏକ ବିକଳାଙ୍ଗ ଶିଶୁ ଜନ୍ମ ହୋଇଛି। ରିପୋର୍ଟରେ ସବୁ ଠିକ୍ ଠାକ୍ ଦର୍ଶାଯାଇଥିବା ବେଳେ କେମିତି ବିକଳାଙ୍ଗ ପିଲା ଜନ୍ମ ହେଲା ତାକୁ ନେଇ ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର ବିରୁଦ୍ଧରେ ଯାଜ୍ଞସେନୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର