ଶେଷ ଦିନରେ ୫୦ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ

ସରିଲା ବିଏମ୍‌ସିର କାର୍ଯ୍ୟକାଳ

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମର ନିର୍ବାଚିତ ପ୍ରତିନିଧି କର୍ପୋରେଟର ଓ ମେୟରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ଶେଷ ଦିନ ଥିବାରୁ ବିଏମ୍‌ସି ପକ୍ଷରୁ ନିକଟରେ ବିଭିନ୍ନ ଯୋଜନାରେ ନିର୍ମାଣ ହୋଇଥିବା ଏବଂ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି। ସକାଳୁ ସଂଧ୍ୟା ଭିତରେ ପ୍ରାୟ ୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଛି। ଗତବର୍ଷ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇ ନଥିବା‌ବେଳେ ଚଳିତବର୍ଷ ବି ପାଳନ ହେବାର ନାହିଁ। ତେଣୁ ଗତବର୍ଷରୁ ନିର୍ମାଣ ଶେଷ ହୋଇଥିବା ଏବଂ ନିକଟ ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଆଜି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦୁଇ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଏବଂ ସ୍ଥାନୀୟ କର୍ପୋରେଟରମାନେ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ପଳାସୁଣୀରୁ ଉତ୍ତରା ଛକ ପର୍ଯ୍ୟନ୍ତ (ପୁରୀ ବାଇପାସ୍‌ରେ) ୨କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଲାଗିବାକୁ ଥିବା ଷ୍ଟ୍ରିଟ୍‌ଲାଇଟ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ଏହାଦ୍ବାରା ପୂରଣ ହେବ। ପ୍ରାୟ ୧୦କିମିର ଏହି ରାସ୍ତା ପୂରା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଲୋକ, ପଥଚାରୀ, ଗାଡ଼ି ଚାଳକ ଓ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ପ୍ରକଳ୍ପ ଦୁଇ ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୬କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏଥିରେ ବରମୁଣ୍ଡା ହାଉସିଂ‌େବାର୍ଡରେ ବିଏମ୍‌ସି ଦ୍ବାରା ତିନିଟି ପାର୍କର ନବୀକରଣ, ପୁରୁଣା ଭୁବନେଶ୍ବରରେ ଗୋସାଗରେଶ୍ବର ମଣ୍ଡପର ଶୁଭାରମ୍ଭ, ରଥ ରୋଡ ଡ୍ରେନ୍, ବଡ଼ଶଙ୍ଖ, ନଳାମୁହଁ ସାହିରେ କଲଭର୍ଟର ଶୁଭାରମ୍ଭ, ପୁନମା ଗେଟ୍‌ ଓ ରାମେଶ୍ବରପାଟଣାରେ ମହିଳା ସ୍ବୟଂସହାୟିକା ମାନଙ୍କର ଏକ ଗୋଷ୍ଠୀ ଗୃହର ଉଦ୍‌ଘାଟନ, ୱାର୍ଡ ୫୪ରେ ବିଭିନ୍ନ ରାସ୍ତା, କାଳିଆଗଡ଼ା ଶ୍ମଶାନ ରାସ୍ତା ଓ ଡ୍ରେନ୍‌, ପଥୁରିଆ ବଡ଼ୁସାହିର ପାନୀୟ ଜଳ ପାଇପ ଲାଇନ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ସେହିପରି ଆଜି ତମାଣ୍ଡୋ କଳିଙ୍ଗ ନଗର (ଜଗନ୍ନାଥ ମନ୍ଦିର) ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ, ୟୁନିଟ-୮ରେ ଇନଡୋର ହଲ୍‌, ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଅମୃତ ଯୋଜନାରେ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୨୦ଟି ପାର୍କର ଶିଳାନ୍ୟାସ ହୋଇଥିଲା।

ସମ୍ବନ୍ଧିତ ଖବର