ଭୁବନେଶ୍ବର: ୨୫ ବର୍ଷ ପୂରିଗଲା। କିନ୍ତୁ ୟୁନିଟ୍‌-୪ରେ ଥିବା ପଞ୍ଚଦୀପ ମାର୍କେଟ୍‌ ଖୋଲି ପାରୁନି। କେତେବେଳେ ଭଡ଼ା ତ କେତେବେଳେ ଫେରସ୍ତଯୋଗ୍ୟ ଜମା ପରିମାଣକୁ ବିରୋଧ କରି ବ୍ୟବସାୟୀ ନେଉ ନାହାନ୍ତି। ବିଏମ୍‌ସି କେବଳ ରୁଦ୍ଧଦ୍ବାର ବୈଠକ କରି ନିଷ୍ପତ୍ତି ନେଉଛି। ବ୍ୟବସାୟୀଙ୍କ ମତାମତ ନିଆଯାଉନି କି ବଜାର ଦରକୁ ନେଇ ସମୀକ୍ଷା ମଧ୍ୟ ହେଉନାହିଁ। ବିଭିନ୍ନ ସମୟରେ ଦାୟିତ୍ବରେ ରହୁଥିବା ଅଧିକାରୀ ନୂଆ ନୂଆ ସର୍ତ୍ତ ଯୋଡ଼ି ଏହି ବ୍ୟବସ୍ଥାକୁ ବିଗାଡ଼ି ଦେଇଛନ୍ତି। ଫଳରେ ଏହାକୁ ଭଡ଼ା ଦେବାପାଇଁ ବାରମ୍ବାର ନୋଟିସ୍‌ କରି ବିଏମ୍‌ସି ହତାଶ ହୋଇଛି। ଅଧିକାରୀଙ୍କ ପ୍ରସ୍ତାବ କର୍ପୋରେସନ ବୈଠକରେ ଉପସ୍ଥାପିତ ହେଉଥିଲେ ମଧ୍ୟ ଏହାକୁ ନେଇ ତର୍ଜମା ହେଉ ନଥିବାରୁ ସମାଧାନର ବାଟ ବାହାରୁ ନାହିଁ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍‌ ଭୂତକୋଠି ହୋଇ ପଡ଼ି ରହିଛି। ତେବେ ସର୍ତ୍ତରେ କିଛି ପରିବର୍ତ୍ତନ କରି ବିଏମ୍‌ସି ପୁଣି ଥରେ ୮୦ ଦୋକାନ ଭଡ଼ା ସୂତ୍ରରେ ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି। କିନ୍ତୁ ତାହାର ସଫଳତାକୁ ନେଇ ସନ୍ଦେହ ରହିଛି। କାରଣ ପୂର୍ବରୁ ମଧ୍ୟ ଭଡ଼ା ଦେବାପାଇଁ ଏପରି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ‌

Advertisment

୨୦୨୨ ମସିହାରେ ଅତିରିକ୍ତ କମିସନରଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ମଧ୍ୟ ବଜାରକୁ ସର୍ଭେ ନ କରି ମନଇଚ୍ଛା ଦର ଧାର୍ଯ୍ୟ କରିଥିଲା। ଫେରସ୍ତଯୋଗ୍ୟ ଜମାକୁ ୫୦ ହଜାର ଟଙ୍କା ରଖାଯାଇଥିବାରୁ ବ୍ୟବସାୟୀ ଆଗ୍ରହ ପ୍ରକାଶ କରିନଥିଲେ। କିନ୍ତୁ ଭୁଲ୍‌ କେଉଁଠି ହୋଇଛି ବା କାହିଁକି ଦୋକାନ ଭଡ଼ା କେହି ନେଉ ନାହାନ୍ତି ତାହାର ତର୍ଜମା ହେଲାନାହିଁ। ଅଧିକାରୀମାନେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ। ଫଳରେ ଆଉ ଦୁଇବର୍ଷ ପଡ଼ିରହିଲା, କେହି ଦୋକାନ ନେଲନି। ଦୁଇବର୍ଷ ପରେ, ଅର୍ଥାତ୍‌ ଚଳିତ ମାସରେ ବିଏମ୍‌ସିର ଚେତା ପଶିଥିଲା। ଏହି ଫେରସ୍ତଯୋଗ୍ୟ ଜମା ରାଶି ପରିମାଣ କମାଇବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ଧାର୍ଯ୍ୟ ୫୦ ହଜାର ଟଙ୍କାକୁ ୧୦ ହଜାରକୁ ଖସାଇ ଦିଆଯାଇଛି। ଏହା ବାଦ୍‌ ପୂର୍ବରୁ ଥିବା ସର୍ତ୍ତ ଯଥା: ପ୍ରତିବର୍ଷ ଭଡ଼ା ୫ ପ୍ରତିଶତ ହିସାବରେ ବୃଦ୍ଧି ପାଇବ, ପ୍ରତି ମାସ ୭ ତାରିଖରେ ଦୋକାନୀ ଭଡ଼ା ଦେବେ, ବ୍ୟତିକ୍ରମ ହେଲେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବେ ପ୍ରଭୃତିକୁ ହଟାଇ ଦିଆଯାଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ତଳମହଲାରେ ୩୩ ଦୋକାନ ଥିବା ବେଳେ ଏହାର ଦର ବର୍ଗଫୁଟ୍‌ ପିଛା ୫୫ଟଙ୍କା ରହିଛି। ପ୍ରଥମ ମହଲାରେ ୨୮ ଦୋକାନ ପାଇଁ ବର୍ଗଫୁଟ୍‌ ପିଛା ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଦ୍ବିତୀୟ, ତୃତୀୟ ଓ ୪ର୍ଥ ମହଲାର ୬ଟି ଲେଖାଏଁ ଦୋକାନ ପାଇଁ ଏହି ଦର ୪୫ ଟଙ୍କା ଲେଖାଏଁ ଧାର୍ଯ୍ୟ ହୋଇଛି। ବେସ୍‌ମେଣ୍ଟରେ ଗୋଟିଏ ଗୋଦାମ ପାଇଁ ବର୍ଗଫୁଟ୍‌ ପଛା ଦର ୨୦ ଟଙ୍କା ରହିଛି। ଏହାଠାରୁ ଯିଏ ଅଧିକ ଦେବ, ତାକୁ ଦୋକାନ ଘର ମିଳିବ ବୋଲି କୁହାଯାଇଛି। ଜଣକୁ ୩ବର୍ଷ ପାଇଁ ସର୍ବାଧିକ ୨ଟି ଦୋକାନ ଦିଆଯାଇ ପାରିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ସରକାରୀ-ଘରୋଇ-ସହଭାଗୀତାରେ ୮୮୩ ଡେସିମିଲି ଜମିରେ ପଞ୍ଚଦୀପ ମାର୍କେଟ ନିର୍ମାଣ ଯୋଜନା ହୋଇଥିଲା। ୬ମହଲା ବିଶିଷ୍ଟ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ବିଏମ୍‌ସି ସାଧାରଣ ପ୍ରଶାସନ ବିଭାଗରେ ୩୦ ଲକ୍ଷ ଟଙ୍କା ଜମା କରି ଜମିର ମାଲିକାନା ସ୍ବତ୍ବ ହାସଲ କରିଥିଲା। ନିର୍ମାଣକାରୀ ସଂସ୍ଥା ପଞ୍ଚଦୀପ କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ମାଣ ବିଳମ୍ବ କରିବା ସହ ବିଏମ୍‌ସି ଭାଗରେ ଥିବା ଦୋକାନ ଘର ହସ୍ତାନ୍ତର କରୁନଥିଲା। ବିବାଦ ଉପୁଜିବାରୁ ମାର୍କେଟ କମ୍ପ୍ଲେକ୍ସକୁ ସିଲ୍‌ କରି ଦିଆଯାଇଥିଲା। ଦୀର୍ଘଦିନର ଲଢ଼େଇ ପରେ ସଂସ୍ଥା ବିଏମ୍‌ସିକୁ ତା’ର ଭାଗ ୯୧ ଦୋକାନ ଘର ଓ ୧୮ଟି ଅଫିସ୍‌ ପାଇଁ ଉଦ୍ଦିଷ୍ଟ ଘର ହସ୍ତାନ୍ତର କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଖୋଲି ପାରୁନାହିଁ। କିନ୍ତୁ ନିର୍ମାଣକାରୀ ସଂସ୍ଥା ଭାଗରେ ପଡ଼ିଥିବା ଦୋକାନ ସବୁ ବେଶ୍‌ ଭଲରେ ଚାଲିଛି।