ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦିନକୁ ଦିନ ଜଟିଳ ହେଉଛି ପାର୍କିଂ ସମସ୍ୟା। ଲୋକ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ପରିମାଣରେ ପାର୍କିଂ ପାଇଁ ସୁବିଧା ନଥିବାରୁ ଲୋକମାନେ ହସ୍ପିଟାଲ ବାହାରେ ନିଜ ଗାଡ଼ି ପାର୍କିଂ କରୁଛନ୍ତି। ଯେତିକି ପାର୍କିଂ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରି ମଧ୍ୟ ବଢ଼ୁଛି।

Advertisment

ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ପ୍ରାୟ ସାଢେ଼ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି। କେହି ଜିଲ୍ଲା ବାହାରୁ ଆସୁଛନ୍ତି ତ ଆଉ କିଏ ଭୁବନେଶ୍ୱରରୁ ଆସୁଛନ୍ତି। ଅଧିକାଂଶ ରୋଗୀ ବାଇକ୍ ଓ କାର୍‌ ଯୋଗେ ଆସୁଛନ୍ତି। କିନ୍ତୁ ହସ୍ପିଟାଲ୍‌ ପରିସରରେ ପାର୍କିଂ ପାଇଁ ସୁବିଧା ନାହିଁ। ଯାହାକୁ ନେଇ ରୋଗୀ ଓ ତାଙ୍କ ପରିଜନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ରୋଗୀମାନେ ରାସ୍ତା କଡ଼ରେ ବାଇକ୍ ରଖୁଛନ୍ତି। ବାହାରେ କାର୍‌ ପାର୍କିଂ କରୁଛନ୍ତି। ଅସୁରକ୍ଷିତ ପାର୍କିଂ ହେତୁ କ୍ୟାପିଟାଲ ହସ୍ପିଟାଲରୁ ବାଇକ୍ ଚୋରି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ମାସରେ ହସ୍ପିଟାଲ ପରିସରରୁ ପ୍ରାୟ ୩ଟି ବାଇକ୍ ଚୋରି ହୋଇଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୧୦୦୦ରୁ ଅଧିକ ଯାନବାହନ ଆସୁଛି। ହସ୍ପିଟାଲ କର୍ମଚାରୀ ଓ ପୁଲିସ୍ ଭ୍ୟାନ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ। କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖରେ ଛୋଟ ପାର୍କିଂ ସ୍ଥଳ ରହିଛି। ସେଠି ଅତିବେଶିରେ ୧୦୦ ଗାଡ଼ି ରହିଲେ ପାର୍କିଂ ପୂରା ହେଇଯାଉଛି। ଫଳରେ ଲୋକମାନେ ଆହାର କେନ୍ଦ୍ର ସମ୍ମୁଖରେ, ୩ ନଂ ଗେଟ୍ ରାସ୍ତା କଡ଼ରେ, ଶିଶୁ ଭବନ ପଛରେ ଥିବା ଔଷଧ କେନ୍ଦ୍ର ସମ୍ମୁଖରେ ବାଇକ୍ ପାର୍କିଂ କରୁଛନ୍ତି। ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାଇକ୍ ଚୋରି ସଂଖ୍ୟା ବୃଦ୍ଧି ପାଉଛି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହସ୍ପିଟାଲ ପରିସରରେ ଏକ ବହୁ ତଳ ପାର୍କିଂ ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି। ଖୁବ୍ ଶୀଘ୍ର ପାର୍କିଂ ସମସ୍ୟାର ସମାଧାନ କରାଯିବ।