ଅନିୟମିତତା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି
ଦୃଷ୍ଟି ନଦେଲେ ଏମ୍ସ ଅବସ୍ଥା ଅସମ୍ଭାଳ ହେବ
ଭୁବନେଶ୍ବର : ଏମ୍ସ ଫେକଲ୍ଟି ଆସୋସିଏସନ ସଭାପତି ଡାକ୍ତର ମନୋଜ ମହାନ୍ତିଙ୍କୁ ସଭାପତି ପଦରୁ ବିଦା କରାଯାଇଛି। ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନରେ ୨୪ ଘଣ୍ଟା ମଧ୍ୟରେ ଡାକ୍ତର ମହାନ୍ତିଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। ତାଙ୍କ ସ୍ଥାନରେ ଆସୋସିଏସନ୍ ଉପସଭାପତି ଡାକ୍ତର ସୁନୀଲ ରାଉତ ଏହି ପଦରେ ଅବସ୍ଥାପିତ ହେବା ନେଇ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଫେକଲ୍ଟି ଆସୋସିଏସନ୍ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ବିଭିନ୍ନ ଏମ୍ସର ନିର୍ଦେଶକଙ୍କୁ ମଧ୍ୟ ଅବଗତ କରାଯାଇଛି। ଏଥିସହିତ ଏମ୍ସରେ ଡାକ୍ତରଙ୍କ ପଦୋନ୍ନତିରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ଯୋଗ୍ୟ ଥାଇ ମଧ୍ୟ ଏମ୍ସର ୧୧ ଜଣ ଡାକ୍ତର ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ପଦୋନ୍ନତିରେ ଅନିୟମିତତା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ନେଇ ଦୀର୍ଘ ଦିନ ହେଲା ଫେକଲ୍ଟି ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲା। ଏଥିପାଇଁ ନିର୍ଦେଶକଙ୍କୁ ଦାୟୀ କରାଯାଉଥିଲା। ଆସୋସିଏସନ୍ର ସଭାପତି ମଧ୍ୟ ଏହି ଘଟଣାକୁ ନେଇ ଯେଉଁଭଳି ସ୍ବର ଉତ୍ତୋଳନ କରିବା କଥା, ତାହା କରୁନଥିବା ଅଭିଯୋଗ ଆଣି ଅନ୍ୟ ସଦସ୍ୟମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ। ଯାହାର ପରିଣତି ଗତକାଲି ରାତିରେ ଦେଖିବାକୁ ମିଳିଛି। ଡ.ମହାନ୍ତିଙ୍କୁ ସଭାପତି ପଦରୁ ହଟାଇବା ସହିତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ନେଇ ଆସୋସିଏସନ ଚିଠି ଦେଇଛି। ଚିଠିରେ କୁହାଯାଇଛି ଯେ ପଦୋନ୍ନତିରୁ ବଞ୍ଚିତ ୧୧ ଫେକଲ୍ଟିଙ୍କ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଭୂମିକା ଥିଲା। ରୋଗୀ ଚିକିତ୍ସା, ପାଠପଢା, ରିସର୍ଚ ପ୍ରକାଶନରେ ସେମାନେ ଭଲ କାର୍ଯ୍ୟ କରୁଥିଲେ। ଏପରିକି ଏମାନଙ୍କ ମଧ୍ୟରୁ କେତେଜଣ ପ୍ରଫେସର ପଦରେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଏମ୍ସ ଅଧ୍ୟକ୍ଷଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳିନାହିଁ। କିଛି ଦିନ ମଧ୍ୟରେ ଏମ୍ସରୁ ଅନେକ ଡାକ୍ତର ଇସ୍ତଫା ଦେଇଛନ୍ତି। ଆଉ କିଛି ଡାକ୍ତର ଇସ୍ତଫା ଦେଲେ, ଅବସ୍ଥା ଅସମ୍ଭାଳ ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/AIIMS-b-1.jpg)