କୋଭିଡ୍‌ ପରର ଜଟିଳତା, ଏମ୍ସରେ ଭର୍ତ୍ତି ହେଲେଣି ୪୫୦ରୁ ଅଧିକ

୧୪ରୁ ୪୫ ବର୍ଷର ଯୁବବର୍ଗ ସର୍ବାଧିକ ଆକ୍ରାନ୍ତ, ମ୍ୟୁକରମାଇକୋସିସ ପରେ ବ୍ରେନ୍‌ ଫ୍ରଗ୍‌ ବଢ଼ାଉଛି ଚିନ୍ତା

ଭୁବନେଶ୍ବର: କୋଭିଡ୍‌ରୁ ସୁସ୍ଥ ହେଉଛନ୍ତି; କିନ୍ତୁ କୋଭିଡ୍‌ ପରର ଜଟିଳତା ରୋଗୀକୁ ପୁଣିଥରେ ହସ୍ପିଟାଲକୁ ନେଇ ଆସୁଛି। କୋଭିଡ୍‌ରୁ ସୁସ୍ଥ ହେବା ପରେ ନାନା କାରଣରୁ ଅସୁସ୍ଥ ହୋଇ ପଡ଼ିଥିବା ଏମିତି ୪୫୦ରୁ ଊର୍ଧ୍ବ ରୋଗୀ ଏମ୍ସରେ ଭର୍ତ୍ତି ହେଲେଣି। ଏଥିମଧ୍ୟରେ ୧୪ବର୍ଷରୁ ୪୫ ବର୍ଷ ବୟସ୍କ ଯୁବବର୍ଗଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ବାଦ୍‌ ଦେଇ ଏହି ତଥ୍ୟ ଦେଇଛନ୍ତି ଏମ୍‌ସ କର୍ତ୍ତୃପକ୍ଷ। ମ୍ୟୁକରମାଇକୋସିସ ରୋଗୀ ସଂଖ୍ୟା ଯୋଡ଼ି ଦିଆଗଲେ, କୋଭିଡ୍‌ ପରର ଜଟିଳତାରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଆହୁରି ଅଧିକ ହେବ। ଅନ୍ୟଦିଗରେ ବର୍ତ୍ତମାନ ଏମ୍‌ସରେ ୫୦ କୋଭିଡ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

କୋଭିଡ୍‌ ପରର ଜଟିଳତା ମଧ୍ୟରେ ମ୍ୟୁକରମାଇକୋସିସ୍‌ ପରେ ବ୍ରେନ ଫ୍ରଗ୍‌ ଉଭୟ ରୋଗୀ ଓ ଡାକ୍ତରଙ୍କ ଚିନ୍ତା ବଢ଼ାଇଛି। ଏଥିଯୋଗୁଁ ରୋଗୀଙ୍କ ସ୍ମରଣଶକ୍ତି ହ୍ରାସ ପାଉଛି କିମ୍ବା ସେମାନେ ଅନ୍ୟମନସ୍କ ହୋଇ ପଡ଼ୁଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, କରୋନା ସଂକ୍ରମଣ ସମୟରେ ରକ୍ତଜମାଟ ବାନ୍ଧିଯାଏ। ବିଭିନ୍ନ ସ୍ଥାନକୁ ରକ୍ତ ଠିକ୍‌ ଭାବରେ ପ୍ରବାହିତ ହୋଇ ନପାରି ମସ୍ତିଷ୍କକୁ ପ୍ରଭାବିତ କରେ। ବ୍ରେନ୍‌ ଫ୍ରଗ୍‌ର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା, ମୁଣ୍ଡବ୍ୟଥା, ଚିନ୍ତା କରିବା ଶକ୍ତି ଦୁର୍ବଳ ହୋଇଯିବା, ନିର୍ଦ୍ଦିଷ୍ଟ ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ ହୋଇ ନପାରିବା ଇତ୍ୟାଦି। ତେବେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏଥିରୁ ରୋଗୀ ସୁସ୍ଥ ହେଉଛନ୍ତି।

କୋଭିଡ୍‌ ପରର ଜଟିଳତା ମଧ୍ୟରେ ମୁଖ୍ୟ ଲକ୍ଷଣ ମଧ୍ୟରେ ଅଧିକାଂଶଙ୍କୁ ଥକା ଲାଗୁଛି, ନିଃଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ହେଉଛି ବା ଅଣନିଶ୍ବାସୀ ଲାଗୁଛି, ଆଣ୍ଠୁଗଣ୍ଠିରେ ଦରଜ, କୋଭିଡ୍‌ ଭଳି ସ୍ବାଦ ଓ ଗନ୍ଧ ବାରିପାରୁ ନାହାନ୍ତି, ଖୁବ୍‌ଶୀଘ୍ର ମୁଡ୍‌ ସ୍ବିଙ୍ଗ୍‌ ହେଉଛି, ନିଦ୍ରାହୀନତା କିମ୍ବା ଛିଡ଼ା ହେବା ବେଳେ ସମସ୍ୟା ଦେଖାଦେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ରୋଗୀଙ୍କୁ ଯୋଗ, ବ୍ୟାୟାମ, କାଉନସେଲିଂ ଏବଂ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପରାମର୍ଶ ଦିଆଯାଏ। ଏମ୍‌ସର ଜ‌ଣେ ବରିଷ୍ଠ ଡାକ୍ତର କହିଛନ୍ତି, କୋଭିଡ୍‌ ପରର ଜଟିଳତାର ଶିକାର ରୋଗୀଙ୍କ ମଧ୍ୟରେ ୯୦ପ୍ରତିଶତ ଶ୍ବାସରୋଗୀ ହୋଇଥିବା ବେଳେ ୫ପ୍ରତିଶତ ହୃଦ୍‌ରୋଗୀ, ୫ ପ୍ରତିଶତ ସ୍ନାୟୁରୋଗୀ। ମାତ୍ର ୨୫ପ୍ରତିଶତ ମହିଳା କୋଭିଡ୍‌ ପରର ଜଟିଳତାର ଶିକାର ହେଉଛନ୍ତି। ପୁରୁଷ ରୋଗୀଙ୍କ ସଂଖ୍ୟା ୭୫ପ୍ରତିଶତ ରହିଛି। ୩୫ ପ୍ରତିଶତ ରୋଗୀଙ୍କ ବୟସ ୧୪ରୁ ୪୫ବର୍ଷ ବୟସ ମଧ୍ୟରେ ରହିଛି। ମାତ୍ର ୧୦ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଊର୍ଧ୍ବ। ଅର୍ଥାତ ବୟସ୍କ ବ୍ୟକ୍ତି ଏତେ ଅଧିକ କୋଭିଡ୍‌ ପରର ଜଟିଳତାର ଶିକାର ହେଉ ନାହାନ୍ତି।

ସମ୍ବନ୍ଧିତ ଖବର