୬ ମାସରେ ଗୋଟିଏ ପ୍ଲାଣ୍ଟ ସରିଲା : ବିଏମ୍‌ସିର ଏମ୍‌ସିସି ଟାର୍ଗେଟ୍‌ ଘୁଞ୍ଚିଘୁଞ୍ଚି ଯାଉଛି

ଭୁଆସୁଣି ଚିନ୍ତା ଘନଉଛି, ଇଡ୍‌କୋ ଜମି ଦେଲେ କମ୍ପୋଷ୍ଟ ପ୍ଲାଣ୍ଟ ହେବ

ଭୁବନେଶ୍ବର : ଭୁଆସୁଣି‌େର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆବର୍ଜନା ପକାଇବାକୁ ବିଏମ୍‌ସି ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନାବେଳେ ପ୍ରତିଶ୍ରୁୂତି ଦେଇଥିଲା। ଏହି ସମୟରେ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରାୟ ୨୦ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବେ ବୋଲି ବି କହିଥିଲେ। କିନ୍ତୁ ମେ ଶେଷ ସୁଦ୍ଧା ବିଏମ୍‌ସି ମାତ୍ର ଗୋଟିଏ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିଛି। ହେଲେ ଏହା ବି କାର୍ଯ୍ୟକ୍ଷମ ହୋଇନି।

ବିଏମ୍‌ସି କର୍ତ୍ତୃପକ୍ଷ ଗୋଟିଏ ବି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିପାରିନଥିବାବେଳେ କରୋନା ଯୋଗୁ ଦାରୁଠେଙ୍ଗ ଗ୍ରାମବାସୀ ଶାନ୍ତ ହୋଇ ବସିଛନ୍ତି। କେତେବେଳେ ସେମାନେ ପୁଣି ବିଦ୍ରୋହ କରିଦେବାର ଭୟ ଥିଲେ ହେଁ ବିଏମ୍‌ସିର କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାମ ସରୁନି। ‌ଯଦି ଦାରୁଠେଙ୍ଗ ଗ୍ରାମବାସୀ ଭୁଆସୁଣିରେ ଅଳିଆ ପକାଇଦେବେନି ତେବେ ବିଏମ୍‌ସି ଅଳିଆ କେଉଁଠି କେତେଦିନ ପକାଇବ ତାହା ଚିନ୍ତାର ବିଷୟ ପାଲଟିଛି।

ଏବେ ୨୬ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାମ ଚାଲିଥିବାବେଳେ ଗୋଟିଏ ପ୍ଲାଣ୍ଟ ପ୍ରାୟ ଶେଷ ହୋଇଛି। ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ଏହି ପ୍ଲାଣ୍ଟ ନିର୍ମାଣ ହୋଇଥିବାବେଳେ ଏହା ଉପରେ ରାଜଧାନୀର ପ୍ରାୟ ୧୭ଟି ପ୍ଲାଣ୍ଟର ଭାଗ୍ୟ ନିର୍ଭର କରୁଛି। କାରଣ ବିଏମ୍‌ସି ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବ ବୋଲି ଘୋଷଣା କରିଥିଲେ ହେଁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୧୭ଟି ପ୍ଲାଣ୍ଟ ନିର୍ମାଣ ହୋଇପାରୁନି। ଏବେ ପ୍ରାୟ ନିର୍ମାଣ ଶେଷ ହୋଇଥିବା ଗୋଟିଏ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିପାରିଲେ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଦେଖାଇ ବିରୋଧ ହେଉଥିବା ଅଞ୍ଚଳର ଲୋକଙ୍କୁ ବୁଝାଇପାରନ୍ତେ। କିନ୍ତୁ ଏହି ଗୋଟିଏ ପ୍ଲାଣ୍ଟକୁ ବି କାର୍ଯ୍ୟକ୍ଷମ କରୁନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କର ବେପରୁଆ କାର୍ଯ୍ୟଶୈଳୀ ଯୋଗୁ ଏବେ ଭୁଆସୁଣି ବିବାଦ ଉଗ୍ର ରୂପ ନେବାକୁ ଯାଉଛି।

ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ‌ଦିଆଯାଇଥିବା ସମୟ ସୀମା ଦୁଇ ମାସ ଅତିକ୍ରମ କରିଯାଇଥିବାରୁ ଏବେବି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ କିଛି ବିକଳ୍ପ ନାହିଁ। ରାଜଧାନୀରେ ଅଳିଆ ଦୁର୍ଗନ୍ଧ ବ୍ୟାପିବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ଶେଷ କରିବାକୁ ହେବ। ନଚେତ୍‌ ଆଗକୁ ସ୍ଥିତି ଅଣାୟତ ହୋଇପାରେ।

ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତିି ଯେ, କରୋନା ଯୋଗୁଁ ଦୁଇମାସ କାଳ କୌଣସି କମ୍ପୋଷ୍ଟ ପ୍ଲାଣ୍ଟର ନିର୍ମାଣ କାମ ହୋଇପାରିଲାନି। ତେଣୁ ଆମ ଟାର୍ଗେଟ୍‌ ପୂରଣ କରିବାକୁ ଆଉ ଦୁଇ ମାସ ଲାଗିବ। ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ପ୍ଲାଣ୍ଟ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ବାକି ପ୍ରାୟ ୧୦ଟି ପ୍ଲା‌ଣ୍ଟ ଖୁବ୍‌ ଶୀଘ୍ର ଶେଷ କରିବାକୁ ଯୋଜନା ଅଛି। କିଛି ଅଞ୍ଚଳରେ ଲୋକ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରୁଥିଲେ ହେଁ ଚାରିଟି ସ୍ଥାନରେ ଲୋକଙ୍କୁ ବୁଝାଇ କାମ ଆରମ୍ଭ ହୋଇଛି। ବାକି ସ୍ଥାନରେ ଲୋକ ବିରୋଧ କରୁଥିଲେ ହେଁ ଆମେ ବୁଝାଉଛୁ। ଆମକୁ ଲୋକଙ୍କ ସହମତି ନେଇ କାମ କରିବାର ଥିବାରୁ ପ୍ରକଳ୍ପ ବିଳମ୍ବ ହେଉଛି। ବିଭିନ୍ନ ସ୍ଥାନରେ ବିରୋଧ ହେଉଥିବାରୁ ଇଡ୍‌କୋରୁ ଜମି ଆଣି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା ଅଛି। ହେଲେ ଜମି ହସ୍ତାନ୍ତର ହୋଇନଥିବାରୁ ଆମେ କାମ ଆରମ୍ଭ କରିପାରିନୁ। ଜମି ମିଳିଲେ ଏସବୁ ସ୍ଥାନରେ କାମ ହେବ। ସେହିପରି ଯେଉଁ ଅଞ୍ଚଳରେ ଲୋକ ବିରୋଧ କରୁଛନ୍ତି ଅଥଚ ଆମକୁ ପ୍ଲାଣ୍ଟ ନିର୍ମାଣ କରିବାର ଅଛି ଆମେ ସେସବୁ ସ୍ଥାନରୁ ଲୋକଙ୍କୁ ଆଣି କମ୍ପୋଷ୍ଟ ପ୍ଲାଣ୍ଟ ବୁଲାଇବୁ। ‌େସମାନଙ୍କୁ ବୁଝାଇ କାମ ଆରମ୍ଭ କରିବୁ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ରାଜଧୀନର ୬୭ଟି ୱାର୍ଡ ପାଇଁ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଛି। ପ୍ରତି ସ୍ଥାନରେ ୫ଟନ୍ କ୍ଷମତା ବିଶିଷ୍ଟ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ଏଠାରେ ଦୈନିକ ୫ଟନ୍‌ ଆବର୍ଜନାକୁ ବିଶୋଧନ କରି ଖତରେ ପରିଣତ କରାଯିବ। ‌ସବୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜଧାନୀ ଆବର୍ଜନା ଭୁଆସୁଣିରେ ନପକାଇବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର