କାମରେ ଲାଗୁନି ‘ଖତ’ : ନିର୍ମାଣ ସରିଲାଣି ୧୭ କମ୍ପୋଷ୍ଟ ପ୍ଲାଣ୍ଟ, କାର୍ଯ୍ୟକ୍ଷମ ହେଉନି

ଖତ ବିକିବା ନେଇ କିଛି ଯୋଜନା ହେଉନି
ଡିସେମ୍ବର ‌ଶେଷ ସୁଦ୍ଧା ୩୭ ଏମ୍‌ସିସି ସାରିବାକୁ ଟାର୍ଗେଟ୍

ଭୁବନେଶ୍ୱର : ରାଜଧାନୀରୁ ଦୈନିକ ପ୍ରାୟ ୫୫୦ଟନ୍ ଆବର୍ଜନା ବାହାରୁଛି। ଏହାକୁ କମ୍ପୋଷ୍ଟିଂ କରି ଖତରେ ପରିଣତ କରିବାକୁ ଯୋଜନା ହୋଇଛି। ସେଥିଲାଗି ରାଜଧାନୀରେ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ୧୭ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ସରିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ଗୋଟିଏ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଡ଼ମ୍ବନାର ବିଷୟ ଯେ ଏହି ପ୍ଲାଣ୍ଟରୁ ଯେତିକି ଖତ ବାହାରୁଛି ତାହା ଏବେ ବ୍ୟବହାର ହୋଇ ନ ପାରି ‘ଖତ’ ହେଉଛି।

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କମ୍ପୋଷ୍ଟ ପ୍ଲାଣ୍ଟକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବାରୁ ଏଠାରେ ଆବର୍ଜନା ପ୍ରକ୍ରିୟାକରଣ ପରେ ଯେଉଁ ଖତ ବାହାରୁଛି ତାହା ସେହିଠାରେ ରହି ନଷ୍ଟ ହେଉଛି। ଏହା କିପରି ବିକ୍ରି ହେବ, କିଏ ନେବ ସେନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇପାରୁନି। ଏହି ଖତ ଗଦାକୁ ଦେଖିଲେ ଜଣାପଡ଼ିଯାଉଛି ବିଏମ୍‌ସିର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କେତେ ସଫଳ ହୋଇଛି।

ଜୁଲାଇ ମାସରେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ପରିସରରେ ୫ଟନ୍‌ କ୍ଷମତା ବିଶିଷ୍ଟ ପ୍ରଥମ କମ୍ପୋଷ୍ଟ ପ୍ଲାଣ୍ଟ ଉଦ୍‌ଘାଟନ ହୋଇଥିଲା। ଜୁଲାଇ-୧୦ରୁ ଏହା ବିଧିବଦ୍ଧ କାର୍ଯ୍ୟକ୍ଷମ ହେଲା। ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏହି କମ୍ପୋଷ୍ଟ ପ୍ଲାଣ୍ଟ ପରିଚାଳନା ଦାୟିତ୍ବରେ ଅଛି। କିନ୍ତୁ ଖତ ପ୍ଲାଣ୍ଟରୁ ଖାଲି ହେଉ ନ ଥିବାରୁ ଏବେ ପ୍ଲାଣ୍ଟର କ୍ଷମତା ଅନୁଯାୟୀ ଖତ ପ୍ରସ୍ତୁତ ବି ହୋଇପାରୁନି। ମାତ୍ର ଗୋଟିଏ ପ୍ଲାଣ୍ଟ୍‌ ପରିଚାଳନାରେ ଆଣ୍ଠେଇ ପଡ଼ୁଥିବା ବିଏମ୍‌ସି ଆଗକୁ କିପରି ୪୩ଟି ପ୍ଲାଣ୍ଟ୍‌ ପାଇଁ ଯୋଜନା କରିବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଖତ ବାହାରିବାର କେତେ ଦିନ ଭିତରେ ତାହା କାମରେ ଲାଗିବା କଥା ଏବଂ ଅଧିକ ଦିନ ଗଦା ହୋଇ ରହିଲେ, ତାହାର ପରିବେଶ ଉପରେ ପ୍ରଭାବ କ’ଣ, ସେ ସମ୍ପର୍କରେ ମଧ୍ୟ ବିଏମ୍‌ସି ପକ୍ଷରୁ କୌଣସି ଆକଳନ କରାଯାଉ ନାହିଁ।

କରୋନା କଟକଣା ସତ୍ତ୍ବେ ଏହା ମଧ୍ୟରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ୧୭ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିସାରିଲାଣି। କିନ୍ତୁ ଏହା କିପରି କାର୍ଯ୍ୟକ୍ଷମ ହେବ, କିପରି ସେଠାକୁ ଆବର୍ଜନା ଆସିବ, କିପରି ଆବର୍ଜନା ପୃଥକୀକରଣ ହେବ, କେଉଁ ସ୍ବୟଂ ସହାୟକ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯିବ ସେ ନିଷ୍ପତ୍ତି ହୋଇପାରୁନି। ଯେଉଁଥିପାଇଁ ବିଏମ୍‌ସିର ପରିମଳ ବିଭାଗ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ପଛଘୁଞ୍ଚା ଦେଉଛି। ଲକ୍ଷ ଲକ୍ଷ ଟଙ୍କା ଦେଇ ଯେଉଁ ଯନ୍ତ୍ରାଂଶ ବସିଛି ତାହା ବ୍ୟବହାର ନହେଲେ ଯେ କଳଙ୍କି ଲାଗିଯିବ ତାହା ବାବୁଙ୍କ ମୁଣ୍ଡକୁ ଜୁଟୁନି। ଏପଟେ ଭୁଆସୁଣିରେ ଅଳିଆ ପକାଇ ନ ଦେବା ନେଇ ଦାରୁଠେଙ୍ଗ ଗ୍ରାମବାସୀ ବାରମ୍ବାର ଧମକାଉଥିବା ବେଳେ ବିଏମ୍‌ସି ଦିନ ପରେ ଦିନ ଗଡ଼ାଇ ଚାଲିଛି। କେତେବେଳେ ଯେ ଏହା ଉଗ୍ରରୂପ ନେବ ତାହା କହିହେବନି।

ମାସକୁ ବାହାରିବ ୧୯୮୦ ଟନ୍‌ ଖତ
ବିଏମ୍‌ସିର ହିସାବ ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ‌ଏବେ ଦିନକୁ ୫୫୦ଟନ୍ ଆବର୍ଜନା ବାହାରୁଥିବା ବେଳେ ଏଥିରୁ ୬୦% ଅର୍ଥାତ୍ ୩୩୦ ଟନ୍ ଜୈବ ଆବର୍ଜନା। ବିଏମ୍‌ସି କର୍ତ୍ତୃପକ୍ଷ ଗୋଟିଏ ସ୍ଥାନରେ ସର୍ବାଧିକ ୫ଟନ୍‌ କ୍ଷମତାର କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଥିବା ବେଳେ ଏଥିରୁ ଗୋଟିଏ ପ୍ଲାଣ୍ଟରୁ ଦିନକୁ ୧ ଟନ୍ ଖତ ବାହାରିବ। ଏହି ହିସାବ ଦେଖିଲେ ଦିନକୁ ପ୍ରାୟ ୬୬ ଟନ୍ ଖତ ବିଭିନ୍ନ ପ୍ଲାଣ୍ଟରୁ ବାହାରିବ। ଆଉ ମାସକୁ ଅତି କମ୍‌ରେ ୧୯୮୦ ଟନ୍ ଓ ବର୍ଷକୁ ୨୩୭୬୦ଟନ୍ ଖତ ବାହାରିବ। କିନ୍ତୁ ଏତେ ଖତ କିପରି ଆବଣ୍ଟନ ହେବ, ବର୍ଷତମାମ୍‌ କେଉଁ ସଂସ୍ଥା କେତେ ଖତ ନେବ ତାହା ନିଷ୍ପତ୍ତି ହୋଇନି। ଫଳରେ ଆଗକୁ ଆବର୍ଜନା ଗଦା ସାଙ୍ଗକୁ ଖତ ଗଦା ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ।

୭ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ଏବେବି ଜମି ବାଧକ
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୱାର୍ଡ ୧୫ ଓ ୨୫ ପାଇଁ ଗୋଟିଏ ପ୍ଲାଣ୍ଟ, ୱାର୍ଡ-୨୭ ପାଇଁ ଗୋଟିଏ ପ୍ଲାଣ୍ଟ ନୂଆପଲ୍ଲୀ ଏକାମ୍ର କାନନ ନିକଟସ୍ଥ ସାଇମନ୍ଦିର ନିକଟରେ କରାଯିବାକୁ ଯୋଜନା ଥିଲା। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ସେହିପରି ‌ସାଲିଆ ସାହିର ୪ଟି ୱାର୍ଡ ପାଇଁ ହେବାକୁ ଥିବା ୨ଟି ପ୍ଲାଣ୍ଟ, ୱାର୍ଡ-୫୦ ପାଇଁ ବରମୁଣ୍ଡା ସ୍କୁଲ ପଛପଟେ ହେବାକୁ ଥିବା ପ୍ଲାଣ୍ଟ, ୱାର୍ଡ-୫୯ ପାଇଁ କପିଳେଶ୍ବର ମନ୍ଦିର ନିକଟରେ ହେବାକୁ ଥିବା ପ୍ଲାଣ୍ଟ ଲୋକଙ୍କ ବିରୋଧ ଯୋଗୁଁ ନିର୍ମାଣ ହୋଇପାରୁନି। ୱାର୍ଡ ୩୦ ଓ ୩୪କୁ ନେଇ ସହିଦନଗରରେ ଗୋଟିଏ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିଲେ ହେଁ ଏଥିପାଇଁ ଜାଗା ମିଳୁନି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଡିସେମ୍ବର ଶେଷ ସୁଦ୍ଧା ରାଜଧାନୀରେ ୩୬ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ସରିଯିବ। ବାକି ୭ଟି ପାଇଁ ଜମି ବାଧକ ଥିବାରୁ ବିକଳ୍ପ ଜମି ଖୋଜାଯାଉଛି। ଜମି ମିଳିଲେ ଏହା ନିର୍ମାଣ ହେବ। ସବୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଭୁଆସୁଣିକୁ ଅଳିଆ ଯିବନି। ଡିସେମ୍ବର ସୁଦ୍ଧା ୩୬ଟି ପ୍ଲାଣ୍ଟ ନିର୍ମାଣ ଶେଷ ହେଲେ ଭୁଆସୁଣିକୁ ୬୦% ଆବର୍ଜନା ଯିବା ବନ୍ଦ ହୋଇଯିବ।

ଖତ ନେବାକୁ କୃଷି, ଜଙ୍ଗଲ ବିଭାଗକୁ କହିବୁ: କମିସନର୍‌
ଦିନକୁ ବିଭିନ୍ନ ପ୍ଲାଣ୍ଟରୁ ହାରାହାରି ୬୬ଟନ୍ ଖତ ବାହାରିବାକୁ ଥିବାବେଳେ ମାସକୁ ୧୯୮୦ ଟନ୍‌ ଖତ ବାହାରିବ। ଏତେ ଖତ ସାଧାରଣ ଲୋକଙ୍କୁ ବିକିବା ସମ୍ଭବ ନ ଥିବାରୁ ଏହାକୁ ସରକାରୀ ସଂସ୍ଥାକୁ ବିକିବାକୁ ଯୋଜନା ଅଛି ବୋଲି ବିଏମ୍‌ସି କମିସନର କହିଛନ୍ତି। କମିସନର କହିଛନ୍ତି ଯେ, କୃଷି ବିଭାଗ ଓ ଜଙ୍ଗଲ ଏବଂ ପରିବେଶ ବିଭାଗ ସହ ଏନେଇ ଆଲୋଚନା କରିବୁ। ସେମାନେ ଯେପରି ଆମ ଠାରୁ ଖତ କିଣିବେ ସେ ନେଇ ପଦକ୍ଷେପ ନେବୁ। ଏହା ସହ ବିଡିଏ, ବିଏମ୍‌ସି ପାର୍କରେ ଖତ ବ୍ୟବହାର କରିବୁ। ରାସ୍ତା ମେଡିଆନରେ ଯେଉଁ ଗଛ ଲାଗିଛି ସେଥିରେ ବି ଏହି ଖତ ଦେବୁ। ଏହା ଦ୍ବାରା ଆମର ସାର କିଣିବା ଖର୍ଚ୍ଚ କମିଯିବ।

ସମ୍ବନ୍ଧିତ ଖବର