ରାଜଧାନୀରେ ଗର୍ଜିଲେ କମ୍ପ୍ୟୁଟର୍‌ ଶିକ୍ଷକ, ଓସେପା ଅଫିସ୍‌ ସମ୍ମୁଖରେ ତୁମୁଳକାଣ୍ଡ

ଫିନାଇଲ୍‌ ପିଇ ଆତ୍ମାହୁତି ଉଦ୍ୟମ, ୧୪ ଜଣଙ୍କୁ ଗିରଫ କଲା କ୍ୟାପିଟାଲ୍ ପୁଲିସ

ଭୁବନେଶ୍ବର, : ରାଜ୍ୟରେ ୪ ହଜାର କମ୍ପ୍ୟୁଟର୍‌ ଶିକ୍ଷକଙ୍କୁ ଛଟେଇ ପ୍ରତିବାଦରେ ଆଜି ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ୟୁନିଟ୍-୫ସ୍ଥିତ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗାମ୍ ଅଥରିଟି (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ହଜାର ହଜାର ଛଟେଇ କମ୍ପ୍ୟୁଟର୍‌ ଶିକ୍ଷକ ଯୋଗଦେଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ସେମାନଙ୍କୁ ଚାକିରିରେ ପୁନଃ ଥଇଥାନ ନ କଲେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏପରିକି କିଛି ବିକ୍ଷୋଭକାରୀ ଘଟଣାସ୍ଥଳରେ ଫିନାଇଲ୍ ପିଇ ଓ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ। ଏଥିରେ ଜଣେ ମହିଳା ଗୁରୁତର ହୋଇଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲକୁ ପଠାଇବା ସହ ୧୪ଜଣ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା। ଆଜି ରାତିରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଂଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ୨୦୧୯ରେ ଓସେପା ପ୍ରକଳ୍ପ ବନ୍ଦ ହେବା ପରେ ସ୍କୁଲ ପିଲାମାନେ କମ୍ପ୍ୟୁଟର୍‌ ଶିକ୍ଷାରୁ ବଞ୍ଚିତ ହେବା ସହିତ କମ୍ପ୍ୟୁଟର୍‌ ଶିକ୍ଷକମାନେ ମଧ୍ୟ ଜୀବିକା ହରାଇଛନ୍ତି। ଏହାସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯେପରି ଭୋଟ୍, ଆଧାରକାର୍ଡ, ନିର୍ବାଚନ ସର୍ଭେ ପରି ଅଫିସରେ ମଧ୍ୟ କାମ କରୁଥିଲେ। ଜୀବିକାରୁ ଛଟେଇ କରିବା ପରେ ସଂଘ ପକ୍ଷରୁ ପ୍ରଥମେ ଦାବି, ଧାରଣା, ଆନ୍ଦୋଳନ, ଧର୍ମଘଟ, କଳାବ୍ୟାଜ୍ ପରିଧାନ, ରାଜରାସ୍ତାରେ ଆଣ୍ଠେଇ ବିକ୍ଷୋଭ କରିଥିଲେ। ଆଜି ଏଭଳି ପଦକ୍ଷେପ ନେଇଥି‌ଲେ। ଜେଲ୍ ଯାଇଥିବା ବିକ୍ଷୋଭକାରୀମାନେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଜେଲ୍‌ରେ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ଅପରପକ୍ଷେ ଓଡ଼ିଶା ଅଭିଭାବକ ମହାସଂଘ ଗିରଫ ଛଟେଇ କମ୍ପ୍ୟୁଟର୍‌ ଶିକ୍ଷକମାନଙ୍କୁ କ୍ୟାପିଟାଲ ଥାନାରେ ଭେଟିବା ସହ ସରକାରଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି କରିଥିଲା।

ଆନ୍ଦୋଳନବେଳେ ପଡ଼ିଯାଇ କ୍ୟାପିଟାଲ ଥାନା ଅଧିକାରୀ ଆହତ
ଅ‌ାନ୍ଦୋଳନବେଳେ ଧସ୍ତାଧସ୍ତି ହେବା ଯୋଗୁଁ କ୍ୟାପିଟାଲ୍ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଆହତ ହୋଇଥିବା ଜଣାପଡ଼ିଛି। ଆଣ୍ଠୁର ଲିଗାମେଣ୍ଟ୍ ଖସିଯିବା କାରଣରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ‌ଫେରାଇଥିଲେ ବି ପରେ ଏକ୍‌ସ-ରେ କରିବାକୁ ପଡ଼ିପାରେ ବୋଲି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର