ଭୁବନେଶ୍ବର: ଗୁରୁଜନଙ୍କୁ ପାଦଛୁଇଁ ପ୍ରଣାମ କରିବାକୁ ଛୋଟ ପିଲାଙ୍କୁ ଆମେ ସଂସ୍କାର ଦେଇଥାଉ, ଠିକ୍‌ ସେହିଭଳି ଚକୋଲେଟ୍‌ ଖାଇଲା ପରେ ଡଷ୍ଟବିନ୍‌ରେ ଜରି ପକାଇବାକୁ ଶିକ୍ଷା ଦେବା ଉଚିତ। ପିଲାଟି ବେଳୁ ସେମାନଙ୍କ ମନ ଭିତରେ ପରିବେଶ ସୁରକ୍ଷା ପ୍ରତି ମନୋଭାବ ଜାଗ୍ରତ ହେଲେ ଭବିଷ୍ୟତ ପିଢ଼ିଙ୍କ ଜୀବନ ନିରାମୟ ହୋଇପାରିବ। ପରିବେଶ ସୁରକ୍ଷା ସଚେତନତା କେବଳ ବୃକ୍ଷରୋପଣରେ ସୀମିତ ରହିଲେ ଚଳିବନାହିଁ। ‘ପରିବେଶ ପାଇଁ ଆମେ କ’ଣ କରିବା?’ ଏହି ପ୍ରଶ୍ନ ସଭିଙ୍କୁ ଆନ୍ଦୋଳିତ କରିବା ଆବଶ୍ୟକ। ଆମେ ଧରାପୃଷ୍ଠକୁ ଆସିବା ସମୟରେ ଆମର ପାରିପାର୍ଶ୍ବିକ ପରିସ୍ଥିତି ଯେଉଁଭଳି ଥିଲା, ଆମର ଅନ୍ତିମ ସମୟରେ ତା’ଠାରୁ ଏକ ସୁନ୍ଦର ପୃଥିବୀ ଗଠନ କରିବା ଲାଗି ଆମେ ସମସ୍ତେ ସଂକଳ୍ପ ନେବାର ସମୟ ଆସିଛି। ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ଆମେ ସଭିଏଁ ସାମିଲ୍‌ ହୋଇ ପରିବେଶ ସୈନିକ ଭାବରେ ଲଢ଼ିବା। ଆଜି ଲକ୍ଷ୍ମୀସାଗରସ୍ଥିତ କମ୍ୟୁନିଟି ସେଣ୍ଟର୍‌ଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ଅନନ୍ତନାରାୟଣ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ, ପରିବେଶବିତ୍‌ ଓ ମହିଳାମାନେ ଏକାଠି ହୋଇ ‘ପ୍ରଦୂଷଣମୁକ୍ତ ଲକ୍ଷ୍ମୀସାଗର’ ପାଇଁ ସଂକଳ୍ପ ନେଇଛନ୍ତି।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗଦେଇ କହିଲେ, ଆଜିକାଲି ବ୍ୟସ୍ତବହୁଳ ଜୀବନରେ ପରିବେଶ କଥା ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ। ଏଭଳି ପରିସ୍ଥିତିରେ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମକୁ ସଚେତନ କରିବା ସହିତ ପରିବେଶ ସୁରକ୍ଷା ପାଇଁ ସାଧାରଣ ଜନତାଙ୍କୁ ଉପଯୁକ୍ତ ମାଧ୍ୟମ ଭାବେ ବାଛିଛି। ମହିଳାମାନେ ସଚେତନ ହେଲେ ଯାଇ ସମାଜ ସଚେତନ ହେବ। ଏଥିପାଇଁ ପ୍ରତ୍ୟେକ ଘରୁ ଏହି ଆନ୍ଦୋଳନ ଆରମ୍ଭ ହେବା ଦରକାର। ଭୁବନେଶ୍ବରରେ ବର୍ତ୍ତମାନ ଭୂତଳ ଜଳସ୍ତର ୨୪୦ ଫୁଟ୍‌ ତଳକୁ ଖସିଯାଇଛି। ଯେଉଁଆଡ଼େ ଚାହିଁଲେ ଖାଲି କଂକ୍ରିଟ୍‌ ଆଉ କଂକ୍ରିଟ୍‌। ବର୍ଷାଜଳ ସଂରକ୍ଷଣ କରିପାରିଲେ ଜଳାଭାବ ଉପୁଜିବ ନାହିଁ। ଏହି ପାଣିକୁ ଆମେ ପୁନଃବ୍ୟବହାର କରିପାରିବା। ସେହିପରି ପଲିଥିନ୍‌ ବ୍ୟବହାର ଉପରେ ରୋକ୍‌ ଲଗାଇ କାଗଜ ବା ପରିବେଶ ଉପଯୋଗୀ ବ୍ୟାଗ୍‌ର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ବିଧାୟକ ଶ୍ରୀ ଜେନା ମତ ରଖିଥିଲେ। ଦୟାନଦୀ ଓ ଗଙ୍ଗୁଆନାଳ ଭଳି ବଡ଼ବଡ଼ ଜଳଉତ୍ସର ପୁନରୁଦ୍ଧାର ସହିତ ସଂରକ୍ଷଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଉପସ୍ଥିତ ପରିବେଶ କର୍ମୀମାନେ ଏହି କର୍ମଶାଳାକୁ କର୍ମରେ ଲଗାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଆମେ ଘରେ ଘରେ ବିଶୁଦ୍ଧ ଜଳ ପାଇବା ପାଇଁ ‘ଆକ୍ବାଗାର୍ଡ’ ବ୍ୟବହାର କରୁଛେ। ମାତ୍ର ଆମ ଆଖପାଖରେ ଥିବା ବିଭିନ୍ନ ଜଳ ଉତ୍ସ ଦୂଷିତ ହୋଇରହୁଛି। ଏଣୁ ସାମୂହିକ କ୍ଷେତ୍ରରେ ଆମର ଅବହେଳା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏହାର ନିରାକରଣ ପାଇଁ ସ୍ବାର୍ଥକୁ ପରିତ୍ୟାଗ କରି ଏକଜୁଟ୍‌ ହୋଇ ଆଞ୍ଚଳିକ ସମସ୍ୟା ପ୍ରତି ଦୃଷ୍ଟିଦେଲେ ଏହା ନିଶ୍ଚିତ ଦୂରୀଭୂତ ହେବ। ପରିବେଶ ସୁରକ୍ଷା ଦାୟିତ୍ବ କେବଳ ସରକାରଙ୍କର ନୁହେଁ। ଏଥିପାଇଁ ସାଧାରଣ ଜନତା ମଧ୍ୟ ଆଗେଇ ଆସିବା ଦରକାର। ଫଳରେ ଆମ ଭୁବନେଶ୍ବର ଯେତିକି ସ୍ମାର୍ଟ ଦେଖାଯାଉଛି ତା’ଠାରୁ ଅଧିକ ସ୍ମାର୍ଟ ହୋଇପାରିବ। ସେ ଆହୁରି କହିଥିଲେ, ଦୂଷିତ ଜଳବାୟୁକୁ ଏଡ଼ାଇବା ପାଇଁ ଆମେ ବୃକ୍ଷରୋପଣ କରୁଛେ। ମାତ୍ର ଗଛଟିଏ ଲଗାଇବାକୁ ମାଟି ମିଳୁନାହିଁ। ଯଦି ଆମେ ପ୍ରକୃତରେ ପରବର୍ତ୍ତୀ ପିଢ଼ିର ଉଜ୍ଜ୍ବଳ ଭବିଷ୍ୟ କଥା ଚିନ୍ତା କରୁଛେ, ତେବେ ପ୍ରତ୍ୟେକ ପରିବାରକୁ ‘ଚାଲ ମାଟିକୁ ଭଲ ପାଇବା’ ସଂକଳ୍ପ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିସର୍ଚ୍ଚ ଆସୋସିଏଟ୍‌ ଉପାସନା ମହାପାତ୍ର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ବାୟୁର ମାନକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେହପରି ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା ଫଳରେ ବର୍ଷା ବାଧାପ୍ରାପ୍ତ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଲେ ଯେ ବର୍ତ୍ତମାନ ଆମର ପରବର୍ତ୍ତୀ ପିଢ଼ି ପାଇଁ ଚିନ୍ତା କରିବାର ସମୟ। ଆଜିକାଲି ଛୋଟଛୋଟ ପିଲାମା‌ନେ ବିଭିନ୍ନ ଥଣ୍ଡା, ଜ୍ବର ଓ ଶ୍ବାସରୋଗ କବଳରେ ପଡ଼ୁଛନ୍ତି। ଏହା ସେମାନଙ୍କର ରୋଗପ୍ରତିରୋଧକ ଶକ୍ତିକୁ ପ୍ରମାଣିତ କରୁଛି। ସେମାନଙ୍କ ପାଇଁ ପ୍ରଥମେ ଆମକୁ ସଚେତନ ହେବାକୁ ପଡ଼ିବ। ଛୋଟଛୋଟ ପଦକ୍ଷେପ ଦ୍ବାରା ବିରାଟ ପରିବର୍ତ୍ତନ ସମ୍ଭବ। ନିଜର ଆଖପାଖରେ ଥିବା ଖାଲିସ୍ଥାନରେ ବୃକ୍ଷରୋପଣ ସହିତ ପଲିଥିନ୍‌ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ପଡ଼ିବ। ପଞ୍ଚଭୂତରେ ଆମ ଶରୀର ଗଠିତ। ଏହି ପଞ୍ଚଭୂତର ସୁରକ୍ଷା ମଧ୍ୟ ଆମର ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ ଲେଙ୍କା କହିଲେ, ଆମ ଅଞ୍ଚଳରେ ଥିବା ବିଭିନ୍ନ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି। ଏକ ମୁକ୍ତ ଜଳବାୟୁ ସୃଷ୍ଟି କରିବା‌ରେ ଏହା ସହାୟକ ହୋଇପାରିଛି। ବର୍ଜ୍ୟ ପରିଚାଳନାରେ ମଧ୍ୟ ନିୟମିତ ଦୃଷ୍ଟି ଦିଆଯାଉଛି। ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଗଙ୍ଗୁଆ ନାଳ ଓ ଦୟାନଦୀର ଗରିମା ରକ୍ଷା କରିବାରେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ସହାୟକ ହେବ। ଏକ ସୁନ୍ଦର ବାତାବରଣ ସୃଷ୍ଟି କରିପାରିଲେ ଏହା ଆଗାମୀ ପିଢ଼ି ପାଇଁ ବଡ଼ ଉପହାର ହୋଇପାରିବ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁଜିତ ମହାପାତ୍ର ଯୋଗଦେଇ କହିଥିଲେ, ‘ପୁନଶ୍ଚ ପୃଥିବୀ’ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଇବାର ମୂଳ ମାଧ୍ୟମ ପାଲଟିଛି। ଜନତାମାନେ ଜନପ୍ରତିନିଧିଙ୍କ ନିକଟତର ହେବାର ସୁଯୋଗ ପାଉଛନ୍ତି। ଏଭଳି ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ‘ସମ୍ବାଦ’ର ପ୍ରୟାସ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ କରାଯାଉଛି। ପ୍ରତ୍ୟେକ ଅଞ୍ଚଳରୁ ମିଳିଥିବା ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଜନ ପ୍ରତିନିଧିମାନେ ଏ ସମ୍ପର୍କରେ ଅବଗତ ହେବା ସହିତ ନିଜନିଜ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ କରିପାରିଲେ, ଏହି କାର୍ଯ୍ୟକ୍ରମ ସଫଳ ରୂପ ନେବ। ଅଧିକରୁ ଅଧିକ ଲୋକ ଏହି ଅଭିଯାନରେ ଯୋଡ଼ିହେବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ଅତିଥିମାନଙ୍କୁ ଉପଢୌକନ ସହିତ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ମହାନଗର ସଂସ୍କରଣ ମୁଖ୍ୟ ଆଶିଷ ଗଡ଼ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସାମ୍ବାଦିକ ବିବୁଧ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ, ସୋମନାଥ ପରିଡ଼ା, ସରିତଦିପ ଶତପଥୀ, ପ୍ରିୟଙ୍କା ରାୟ ପ୍ରମୁଖ ସହଯୋଗ କରିଥିଲେ।