ଖଣ୍ଡଗିରି: ଇପିଏଫ୍‌ ଓ ଇଏସ୍‌ଆଇ କରିବା ଆଳରେ ଡିଏଲ୍‌ଆର କର୍ମଚାରୀମାନଙ୍କର ଦରମା ଦେଉନାହାନ୍ତି। ହାଇକୋର୍ଟ ଦେଇଥିବା ୨ ମାସର ଅବଧି ଅତିକ୍ରମ କରି ୫ ମାସ ପୂରିଲାଣି, ହେଲେ ନା ଇପିଏଫ୍‌, ଇଏସ୍‌ଆଇ ହଉଛି ନା ଦରମା ମିଳୁଛି। ଏଭଳି ଇପିଏଫ୍‌, ଇଏସ୍‌ଆଇ, ବକେୟା ଦରମା ଦାବିରେ ଆଜି ସିଆଇଟିୟୁ ପରିଚାଳିତ ଓୟୁଏଟି ୱାର୍କର୍ସ ୟୁନିୟନ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା‌ ଦେଇଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଡିନ୍ ରିସର୍ଚ ସଂଗ୍ରାମ କେଶରୀ ସ୍ବାଇଁ, କୋର୍ଡିନେଟର ସୁଶାନ୍ତ କୁମାର ସ୍ବାଇଁ ଧାରଣାରତ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। ୨୦ ଦିନ ଭିତରେ ସେମାନଙ୍କୁ ଏହି ସବୁ ସୁବିଧା ସହ ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। ତେବେ ୨୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସେମାନେ ପୁଣି ଥରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ୟୁନିୟନ ସାଧାରଣ ସମ୍ପାଦକ ସତ୍ୟନାରାୟଣ ନାୟକଙ୍କ କହିଛନ୍ତି, ‘‘ଓୟୁଏଟିର ଯେତିକି ଗବେଷଣା କ୍ଷେତ୍ର ରହିଛି ସେଠାରେ ଏହି ଡିଏଲ୍‌ଆର କର୍ମଚାରୀମାନେ ପ୍ରମୁଖ ଭୁମିକା ନିଭାଉଛନ୍ତି। ଗବେଷଣାରେ ମୃତ୍ତିକା ପରୀକ୍ଷା, ପାଣି ପରୀକ୍ଷା, ଜଳ ପରିଚାଳନା, କ୍ଷେତ୍ର ପରିଚାଳନା ପ୍ରଭୃତି କାମ କରନ୍ତି। ଏମାନଙ୍କୁ ଛାଡ଼ି ଓୟୁଏଟି ଗବେଷଣା ହୋଇ ପାରିବ ନାହିଁ। ଏମା‌ନେ ୨୫ ବର୍ଷ ଧରି କାମ କରୁଛନ୍ତି। ହେଲେ ଏମାନଙ୍କୁ ନିୟମିତ କରୁନାହାନ୍ତି, ସାମାଜିକ ନିରାପତ୍ତା ମଧ୍ୟ ନାହିଁ, ଶ୍ରମିକର ମାନ୍ୟତା ମଧ୍ୟ ଦେଉ ନାହାନ୍ତି। ବିଭିନ୍ନ ଦାବି ନେଇ ଆମେ ହାଇକୋର୍ଟ ଯାଇଥିଲୁ। କୋର୍ଟଙ୍କ ଆଦେଶ ପରେ କର୍ତ୍ତୃପକ୍ଷ ୩ଥର ଅପିଲ କରି ହାରିଛନ୍ତି। ଶେଷଥର ପାଇଁ ହାଇକୋର୍ଟ ଗତ ବର୍ଷ ସେପ୍ଟେମ୍ବର ମାସରେ ୨ମାସ ମଧ୍ୟରେ ଇପିଏଫ୍‌ ଓ ଇଏସ୍‌ଆଇ କରିବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ ମଧ୍ୟ ୫ ମାସ ବିତିଲାଣି। କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି।’’ ଧାରଣାରେ ଅନ୍ୟମାନଙ୍କ ସହିତ ୟୁନିୟନ ଉପସଭାପତି ପ୍ରଦୀପ୍ତ ନାୟକ, କୋଷାଧ୍ୟକ୍ଷ ଉଜଳେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।