ଭୁବନେଶ୍ବର: ବର୍ଷା ଆରମ୍ଭରୁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବନ୍ୟା ପରିସ୍ଥିତି ଦେଖାଦେଲାଣି। ସାହି ଗଳିକନ୍ଦିରେ ପାଣି ଜମି ଲୋକଙ୍କୁ କଲବଲ କଲାଣି। ସହର ତଳି ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ଆଗକୁ ସ୍ଥିତି ବି ଅସମ୍ଭାଳ ହେବା ଜଳଜଳ ଦିଶିଲାଣି। ଏହାର ପ୍ରତିକାର ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ବନ୍ୟାର ସମାଧାନ ତଥା ତତ୍କାଳ ବନ୍ୟାଜଳ ନିଷ୍କାସନ ପାଇଁ ଚଳିତବର୍ଷ ପ୍ରଥମ ଥର ପାଇଁ ରାଟ୍(ରାପିଡ୍ ଆକ୍ସନ୍ ଟିମ୍) ଗଠନ କରାଯାଇଛି। ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଖବର ମିଳିବା ମାତ୍ରେ ଏହି ଟିମ୍‌ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଜଳବନ୍ଦତ ସମସ୍ୟା ଦୂର କରିବ। ଡ୍ରିଲିଂ ମେସିନ୍‌, କୋଦାଳ ଆଦି ହାତ ହତିଆର ଧରି ଆବଶ୍ୟକ ସ୍ଥଳେ ଡ୍ରେନ୍‌ ସଫା କରି ଅବା କାଟି ଏହି ଟିମ୍‌ ବର୍ଷାଜଳ ନିଷ୍କାସନ କରିବେ। ଏଥିପାଇଁ ମହାନଗର ନିଗମ ଅଭିଜ୍ଞ କର୍ମଚାରୀଙ୍କୁ ଟିମ୍‌ରେ ସାମିଲ୍‌ କରାଯାଇଛି। ରାଟ୍‌ ଟିମ୍‌ ଜରିଆରେ ସହାୟତା ପାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ବି ଖୋଲାଯାଇଛି।

Advertisment

ଏହି ଅବସରରେ ମେୟର ଶ୍ରୀମତୀ ଦାସ ରାଟ୍‌ରେ ସାମିଲ୍ କର୍ମଚାରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସେମାନଙ୍କୁ ଦାୟିତ୍ବ ସମ୍ପର୍କରେ ବୁଝାଇଥିଲେ।  ସେବା ମନୋବୃତ୍ତି ରଖି କାମ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ମଂଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସିଟି ଇଂଜିନିୟର ଇଂ. ବିଳାସ କୁମାର ବେହେରା, ଡ୍ରେନେଜ୍‌ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସିଟି ଇଂଜିନିୟର ଇଂ. ବେହେରା କହିଛନ୍ତି, ଭୁବନେଶ୍ବର ମହାନଗର ନିଗମର ୩ ଜୋନ୍, ନର୍ଥ, ସାଉଥ୍-ୱେଷ୍ଟ ଓ ସାଉଥ୍-ଇଷ୍ଟ ଜୋନ୍ ପାଇଁ ତିନିଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ କର୍ମଚାରୀ ରହିବେ। ଏମାନେ କୋଦାଳ, କୋଡ଼ି, ଫାଉଡା, ଡ୍ରିଲିଂ ମେସିନ୍ ସହ ଆବର୍ଜନା ହଟାଇବାକୁ ଅନ୍ୟାନ୍ୟ ଲୌହ ସରଞ୍ଜାମ ସହ ପ୍ରସ୍ତୁତ ରହିବେ। ଏମାନଙ୍କ ସହ ଏକ ଜେସିବି ଓ ଆବର୍ଜନା ତତ୍କାଳ ହଟାଇବା ପାଇଁ ଆବଶ୍ୟକ ଗାଡ଼ି, ଡିଜି ସେଟ୍ ରହିବ। ପ୍ରବଳ ବର୍ଷା ହେଲେ ଯଦି କୌଣସି ସ୍ଥାନରେ ଡ୍ରେନ୍‌ ଜାମ୍ ହେଲା କିମ୍ବା ଜଳବନ୍ଦି ସମସ୍ୟା ସୃଷ୍ଟି ହେଲା, ଏହି ଟିମ୍ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେବ। ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଗାଡ଼ି ଏହି ଟିମ୍‌କୁ ଯୋଗାଇ ଦିଆଯାଇଛି। ଏଥିସହ ବର୍ଷାରେ କାମ କରିବାକୁ ଟର୍ଚ୍ଚ ଲାଇଟ୍‌, ରେନ୍‌କୋଟ୍‌, ଜୋତା, ହେଲ୍‌ମେଟ୍‌ ଆଦି ଯୋଗାଇ ଦିଆଯାଇଛି। ନାଳ ସଫେଇ ଓ ବନ୍ୟା ଜଳ ନିଷ୍କାସନ କ୍ଷେତ୍ରରେ ଅଭିଜ୍ଞ କର୍ମଚାରୀଙ୍କୁ ଏଥିରେ ସାମିଲ୍ କରାଯାଇଛି। ଏମାନେ ନିଜ ନିଜ ଜୋନ୍ ବୁଲି ପ୍ରତ୍ୟହ ସ୍ଥିତି ଅନୁଧ୍ୟାନ କରିବେ ଏମଂ ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା କରିବେ। ଇଂ. ବେହେରା କହିଛନ୍ତି, ସାଧାରଣ ଲୋକେ ଭୁବନେଶ୍ବର ମହାନଗର ନିଗମ ନିୟନ୍ତ୍ରଣ କକ୍ଷରେ ଅଭିଯୋଗ କରି ତତ୍କାଳ ସେବା ପାଇପାରିବେ। ବର୍ଷା ତଥା ବନ୍ୟା ସଂପର୍କିତ ଅଭିଯୋଗ ଗ୍ରହଣ ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଓ ନମ୍ବର ଜାରି କରାଯାଇଛି। ଏହାବାଦ୍ ଭୁବନେଶ୍ବର ମହାନଗର ନିଗମର ହେଲ୍‌ପଲାଇନ୍ ନମ୍ବର ୧୯୨୯ରେ ବି ଲୋକେ ଯୋଗାଯୋଗ କରି ବନ୍ୟା ପ୍ରତିକାର ସଂପର୍କିତ ସେବା ପାଇପାରିବେ।