ଚନ୍ଦ୍ରଶେଖରପୁର: ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଆକ୍ରମଣରୁ ବର୍ତିବା ଲାଗି ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଛନ୍ତି। ତାଙ୍କ ସହ ଅନ୍ୟ ମନ୍ତ୍ରୀ ଓ ନେତା ମଧ୍ୟ ପଳାୟନ କରିଛନ୍ତି। ଫଳରେ ୨୦ ବର୍ଷ ପରେ ତାଲିବାନ କାବୁଲରେ ପ୍ରବେଶ କରିବା ସହ ପୁଣି କ୍ଷମତା ଦଖଲ କରିଛି। ସେପ‌ଟେ ତାଲିବାନ ଆକ୍ରମଣ ଭୟରେ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି। ରାଜଧାନୀ କାବୁଲରେ ଲୁଟପାଟ୍ ଆରମ୍ଭ ହୋଇଯାଇଛି। ତାଲିବାନ କ୍ଷମତାକୁ ଆସିବା ପରେ ସବୁ ମହଲରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଥିବା ବେଳେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି।

Advertisment

ଏଭଳି ସମୟରେ ଭୁବନେଶ୍ବରରେ ରହି ଉଚ୍ଚଶିକ୍ଷା କରୁଥିବା ଆଫଗାନ ଛାତ୍ରଛାତ୍ରୀ ମଧ୍ୟ ଭୟରେ ଦିନ କାଟୁଛନ୍ତି। ଏକାଠି ବସି ପରିବାର ଲୋକଙ୍କ କଥା ଭାବୁଛନ୍ତି। ଭବିଷ୍ୟତ କ’ଣ ହେବ, କିଭଳି ଉଚ୍ଚଶିକ୍ଷା କରିବୁ, ମା’, ଭଉଣୀମାନେ ସୁରକ୍ଷିତ ରହିବେ ତ। ଏମିତି ଅନେକ କିଛି ଭାବି ସେମାନଙ୍କ ରାତି କଟିଯାଉଛି। କେବଳ ସେତିକି ନୁହେଁ। ୫୦ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ଫେରିପାରି ନ ଥିବା ଜଣାପଡ଼ିଛି। ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ବିଭିନ୍ନ କାରଣ ଲାଗି ସେମାନେ ଆସିପାରୁ ନାହାନ୍ତି। ସେମାନେ ଏତେ ଭୟଭୀତ ହୋଇପଡ଼ିଛନ୍ତି ‌ଯେ ଗଣମାଧ୍ୟମରେ କିଛି କହିବାକୁ ବି ଡରୁଛନ୍ତି। ଜୀବନ ଚାଲିଯିବାର ଭୟ ବି ରହୁଛି। ଭୁବନେଶ୍ବରରେ କେତେକ ଆଇଟି କମ୍ପାନିରେ କାର୍ଯ୍ୟ କରୁଥିବା ଆଫଗାନ ନାଗରିକ ମଧ୍ୟ ନିଜ ପରିବାରକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ଦେଶରେ ସ୍ଥାୟୀ ଭାବେ ରହିବିନି
ଉତ୍କଳ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର୍ ସାଇନ୍ସ ବିଭାଗରେ ପଢୁଥିବା ଆଫଗାନିସ୍ତାନର ଛାତ୍ର ଏସାନଉଲ୍‌ହା ନୁରୀ କୁହନ୍ତି, ତାଲିବାନ କ୍ଷମତାକୁ ଆସିବା ପରେ ଦେଶରେ ବର୍ବରତା ଆରମ୍ଭ ହୋଇଯାଇଛି। ପରିବାର ଲୋକେ କିଭଳି ଦିନ କାଟୁଛନ୍ତି ତାହା ଜାଣିବା ପାଇଁ ଦିନେ ଦୁଇ ଦିନ ଅନ୍ତରରେ ଲୋକଙ୍କ ସହ ଭିଡିଓ କଲ୍, ଟେଲିଫୋନ୍ ମାଧ୍ୟମରେ କଥା ହେଉଛି। ପୂର୍ବ ଅପେକ୍ଷା ତାଲିବାନ ଏବେ ଅଧିକ ହିଂସ୍ର ହୋଇ ପଡ଼ିଥିବାରୁ ଏବେ ଦେଶକୁ ଫେରିବାକୁ ଚାହୁଁ ନାହିଁ। ସ୍ଥିତିରେ ସୁଧାର ଆସିବା ପରେ ପରିବାରକୁ ଭେଟିବାକୁ ଯିବି। ତେବେ ସ୍ଥାୟୀ ଭାବେ ସେଠାରେ ରହିବି ନାହିଁ। ଉତ୍ତର ପୂର୍ବ ତହାର୍ ପ୍ରାନ୍ତରେ ରହୁଥିବା ମୋ ପରିବାର ବିପଦରେ ଅଛନ୍ତି। ସେମାନଙ୍କ ସହ ଆଗକୁ କ’ଣ ହେବ ତାହା ଜଣା ନାହିଁ। ତେବେ ଏକଥା ଭାବି କିଛି ଦିନ ହେଲା ମାନସିକ ଚାପରେ ରହୁଛି। ଭାରତ ସରକାରଙ୍କ ସହାୟତାରେ ଆଫଗାନିସ୍ତାନରେ ଅନେକ ଡ୍ୟାମ୍, ସ୍କୁଲ, ରୋଡ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବାରୁ ଆଫଗାନିସ୍ତାନବାସୀ ସର୍ବଦା ଋଣି ରହିବେ। ଏବେ ମନରେ ଭୟ ରହୁଛି ଯେ ଭାରତ ସରକାର ଆମକୁ ଆଫଗାନିସ୍ତାନ ପଠେଇଦେଇ ପାରନ୍ତି। ତେଣୁ ନିବେଦନ କରୁଛୁ ଆମକୁ ଏଠାରେ ସ୍ଥାନ ଦିଅନ୍ତୁ।

ମାନସିକ ଚିନ୍ତା ଏବେ ଅଥୟ କରୁଛି
କିଟ୍‌ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା କରୁଥିବା ମହମ୍ମଦ୍ ସରିଫ୍ କାଇହାନ୍ କୁହନ୍ତି, ପରିବାର ଲୋକଙ୍କ ସହ ନିୟମିତ ଭାବେ କଥା ହେଉଛି। ସେମାନଙ୍କୁ ମୌଳିକ ସେବା ମିଳୁ ନାହିଁ। ଦେଶର ଅଭାବନୀୟ ଦୃଶ୍ୟ ‌‌ଗଣମାଧ୍ୟମରେ ଦେଖିଲା ପରେ ଆମମାନଙ୍କ ମନରେ ଭୟ ବଢ଼ିଯାଇଛି। ତା’ଠାରୁ ଅଧିକ ମାନସିକ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଆମ ଘର କାବୁଲ୍‌ରେ ହୋଇଥିବାରୁ ସେଠାକୁ ଏବେ ଦୈନିକ ୪ ଘଣ୍ଟା ବିଦ୍ୟୁତ୍‌ ଆସୁଛି। ଦୁଇ ଘଣ୍ଟା ପାଣି ଆସୁଥିବା ବେଳେ ଇଣ୍ଟରନେଟ୍‌ ସେବା ତିନି ଘଣ୍ଟା ଦିଆଯାଉଛି। ଏଭଳି ସ୍ଥିତିରେ ପରିବାର ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ସେମାନେ ଅସୁରକ୍ଷିତ ବୋଲି ଜାଣିବା ପରେ ଆମେମାନେ କ’ଣ କରିବୁ କିଛି ବୁଦ୍ଧିବାଟ ଦେଖାଯାଉ ନାହିଁ। କରୋନା ପରେ ସ୍ଥିତି ସୁଧୁରିବ ବୋଲି ଭାବୁଥିଲୁ। ମାତ୍ର ଏବେ ଦେଶର ଯାହା ଘଟୁଛି ତାହା କେବଳ ଗଣମାଧ୍ୟମରୁ ଦେଖି ବିଚଳିତ ଲାଗୁଛି। ଭାରତ ସରକାର ଯଦି ଏଠାରେ ରହିବାପାଇଁ ଅନୁମତି ଦିଅନ୍ତେ ତେବେ ରହିଯାଆନ୍ତୁ।

ମା’ ଓ ଭଉଣୀ କଥା ଭାବିଲେ ଭୟ ଲାଗୁଛି
ଦେଶରେ ଆଇନଶୃଙ୍ଖଳା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପରିବାରର ମହିଳାଙ୍କ କଥା ଭାବିଲେ ଭୟ ଲାଗୁଛି। ମା‌’, ଭଉଣୀମାନଙ୍କ ଉପରେ କଟକଣା ଲଗାଯାଇଥିବାରୁ ଦେହ ଶୀତେଇ ଉଠୁଛି। ପରିବାର ଲୋକଙ୍କ ସହ ଯୋଗାଯୋଗ କିଛି ଦିନ ପାଇଁ ବିଛିନ୍ନ ହୋଇଯାଇଥିଲା। ଗତକାଲିଠାରୁ ପୁଣିଥରେ ଯୋଗାଯୋଗ ଆରମ୍ଭ ହୋଇଛି। ଏବେ ମୋ ଘରର ମା’ ଓ ଭଉଣୀ ଆଦୌ ସୁରକ୍ଷିତ ନୁହନ୍ତି। ଘର ବାହାରେ ତାଲିବାନ ସେନାର ବିପଦ ଲାଗିରହିଛି। ସେମାନେ କେମିତି ଚଳୁଛନ୍ତି, ଦିନକୁ ଦୁଇ ଓଳି ଖାଇବାକୁ ପାଉଛନ୍ତି ତାହା ଜାଣିବା ପରେ ସେମାନଙ୍କ ସୁରକ୍ଷା ବର୍ତମାନ ବଡ଼ ଚିନ୍ତା ପାଲଟିଛି। ଆମ ଦେଶର ଆମ୍ବାସି କାର୍ଯ୍ୟାଳୟକୁ ଯୋଗାଯୋଗ କଲେ କୌଣସି ଉତ୍ତର ମିଳୁ ନାହିଁ। ଆମମାନଙ୍କ ଭବିଷ୍ୟତ କ’ଣ ହେବ? ଏ ଜୀବନ ରହିବକି ନାହିଁ ଜାଣିହେଉ ନାହିଁ। ଏଭଳି ସମୟରେ କିଟ୍ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଆମକୁ ଆଶ୍ବାସନା ଦେବା ସହ‌ ମନବଳ ବଢ଼ାଉଛନ୍ତି। ତଥାପି ପରିବାର ସୁରକ୍ଷା ନେଇ ମନ ଜମାରୁ ବୁଝୁନି ବୋଲି କିଟ୍ ବିଶ୍ବବିଦ୍ୟାଳୟ ଛାତ୍ର ଅରିସ୍ ତହେରି କହିଛନ୍ତି।