ବଜେଟ୍‌ରେ ଏସ୍‌ସି, ଏସ୍‌ଟିଙ୍କ ପାଇଁ ଆବଣ୍ଟନ ହ୍ରାସ ନେଇ ଉଦ୍‌ବେଗ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ୍‌ରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ଆବଣ୍ଟନରେ ହୋଇଥିବା ହ୍ରାସକୁ ନେଇ ଏହି ବର୍ଗର ନେତୃତ୍ବ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ଲୋହିଆ ଏକାଡେମିଠାରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଦଳିତ-ଆଦିବାସୀ ସଂଗଠନ ନେତା, ଶିକ୍ଷାବିତ୍‌, ଗବେଷକ, ମହିଳା, ଛାତ୍ରଛାତ୍ରୀମାନେ ବଜେଟ୍‌ ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏହି ଅବସରରେ ନ୍ୟାସନାଲ୍ କ୍ୟାମ୍ପେନ୍‌ ଅନ୍ ଦଳିତ ହ୍ୟୁମାନ୍ ରାଇଟ୍‌ସ ଓ ନୂଆଦିଲ୍ଲୀର ଦଳିତ ଅଧିକାର ଅଭିଯାନ ପକ୍ଷରୁ ‘ଦଳିତ-ଆଦିବାସୀ ବଜେଟ୍‌ ବିଶ୍ଳେଷଣ ରିପୋର୍ଟ ୨୦୨୩-୨୪’କୁ ଉନ୍ମୋଚନ କରାଯାଇଛି। ତାହାର ବିଶ୍ଳେଷଣ କରି ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲ୍ଲିକ କହିଛନ୍ତି ଯେ ୨୦୨୨-୨୩ରେ ଏସ୍‌ସିମାନଙ୍କ ବିକାଶ ପାଇଁ ୪୮,୩୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୩-୨୪ରେ ତାହା ୩୦,୪୭୫ କୋଟି ଟଙ୍କାକୁ ହ୍ରାସ ପାଇଛି। ସେହିପରି ଏସ୍‌ଟିମାନଙ୍କ କ୍ଷେତ୍ରରେ ୨୦୨୨-୨୩ରେ ୪୩,୫୮୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ତାହା ୨୪,୩୮୪କୋଟି ଟଙ୍କାକୁ ହ୍ରାସ ପାଇଛି। ଆବଣ୍ଟନରେ ହ୍ରାସର ଏଭଳି ଧରାର ସରକାରଙ୍କ ଏସ୍‌ସି, ଏସ୍‌ଟି ବିରୋଧୀ ମନୋଭାବର ପରିଚାୟକ ବୋଲି ସେ କହିଛନ୍ତି।

ହାତରେ ମଇଳା ଉଠାଉଥିବା ସଫେଇ କର୍ମଚାରୀଙ୍କ ପାଇଁ ସ୍କିମ୍‌କୁ ବନ୍ଦ କରାଯାଇଥିବା ବେଳେ ଦଳିତ ଓ ଆଦିବାସୀ ନିର୍ଯାତନା ନିବାରଣ ଆଇନର କାର୍ଯ୍ୟକାରିତା ପାଇଁ ଆବଣ୍ଟନ ରାଶିକୁ ୫୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଥିବାରୁ ମଧ୍ୟ ବିଚାର ମଞ୍ଚ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ୨୦୧୮ରେ ନିତି ଆୟୋଗ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ବଜେଟ୍‌‌ ଆବଣ୍ଟନ କରିବାକୁ ଏହି ଅବସରରେ ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲର ପୂର୍ବତନ ଅଧ୍ୟକ୍ଷ ଡ. ବସନ୍ତ କୁମାର ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଞ୍ଜୟ ହାବଡ଼ା, ମୂଳନିବାସୀ ସମତା ପରିଷଦର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ, ଦଳିତ ଆର୍ଥିକ ଅଭିଯାନର ରାଜ୍ୟ ସଂଯୋଜକ ତପନ ନାଏକ, ବହୁଜନ ଯୁବ ଛାତ୍ର ଫ୍ରଣ୍ଟ୍‌ର ସଭାପତି ଅନିଲ କୁମାର ମଲ୍ଲିକ, ପୂର୍ବତନ ଶ୍ରମ ଅଧିକାରୀ ଦିନବନ୍ଧୁ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର