ଖୋର୍ଦ୍ଧା: ଭୁବନେଶ୍ୱର ଉତ୍ତର, ମଧ୍ୟ ଏବଂ ଏକାମ୍ରରେ ମତଦାନ ହାର ୫୦ ପ୍ରତିଶତରୁ କମୁଛି। ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକଟ କରିଛି। ଏଥର ଭୋଟ୍‌ ହାର କେମିତି ବଢ଼ିବ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ କରାଯାଇଛି। ସ୍କୁଲ୍‌ ପିଲାଙ୍କ ଜରିଆରେ କେମିତି ବାପାମାଙ୍କୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଯିବ, ସେଉପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଜୋର୍‌ ଦେଇଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍‌ୱାନ କକ୍ଷରେ ଅନୁଷ୍ଠିତ ବୈଠକରେ ସୁଇପି (ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ୍‌ ଇଲୋକ୍ଟରାଲ ପାର୍ଟିସିପେଶନ) କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ ଯୋଗଦେଇ ଆଲୋଚନା କରିଥିଲେ। ପ୍ରତ୍ୟେକସ୍ତରରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଛନ୍ତି। ବୁଥ୍‌ସ୍ତରୀୟ ଅଧିକାରୀ ଘରକୁଘର ବୁଲି ମତଦାନ କରିବାକୁ ଭୋଟରଙ୍କ ମଧ୍ୟରେ ସଚେତନତା କରିବେ। ରଙ୍ଗୋଲି, ‘ନିର୍ବାଚନର ପର୍ବ ଆମଦେଶର ଗର୍ବ’ ଉପରେ ବିଭିନ୍ନ ପ୍ରତିଯୋଗିତା, ଭିଡିଓ ଓ ରେଡ଼ିଓ ବାର୍ତ୍ତା, ହୋର୍ଡ଼ିଂ, ୱାଲ ପେଣ୍ଟିଂ, ମାରାଥନ, ଦସ୍ତଖତ ଅଭିଯାନ କରି ସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛସାଥୀଙ୍କ ମାଧ୍ୟମରେ ସଫେଇ ଗାଡ଼ି ଓ କର୍ମଚାରୀ, ବିଡ଼ିଏର ବିଭିନ୍ନ ପାର୍କ, ଜିଲ୍ଲାର ଶିକ୍ଷାନୁଷ୍ଠାନ, ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା କରାଯିବ। ଓମ୍‌ଫେଡ ଷ୍ଟଲରେ ମଧ୍ୟ ସଚେତନତା ବୃଦ୍ଧି କରାଯିବ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ନିଶ୍ଚୟ ମତଦାନ କରିବାକୁ ସ୍କୁଲ୍‌ରୁ ଅଭିଭାବକଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡରେ ଚିଠି ଲେଖାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।