ଭୁବନେଶ୍ବର : ବିଏମ୍‌ସିରେ ଥିବା ସ୍ଥାୟୀ (ଷ୍ଟାଣ୍ଡିଂ) କମିଟିଗୁଡ଼ିକୁ ବର୍ଷେ ପୂରିଛି। ନିୟମ ଅନୁସାରେ ବର୍ଷେ ପରେ ନୂଆ କମିଟି ଗଠନ ହେବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୪ ତାରିଖ ଧାର୍ଯ୍ୟ କରାଯାଇଛି। ୨୪ ତାରିଖ ଦିନ ମେୟରଙ୍କ ଅଧ୍ୟକ୍ଷତାରେ ଏହି ନିର୍ବାଚନ ପ୍ରକ୍ରିୟା ହେବ। ସଦସ୍ୟଙ୍କ ସମେତ ଅଧ୍ୟକ୍ଷ ନିର୍ବାଚିତ ହେବେ। ଏ ନେଇ ସମସ୍ତ କର୍ପୋରେଟରଙ୍କୁ ଅବଗତ କରାଯାଇଛି। ୧୦ଟି ଷ୍ଟାଣ୍ଡିଂ କମିଟି ୧୦ ଅଧ୍ୟକ୍ଷଙ୍କ ସମେତ ୬୬ ସଦସ୍ୟ ନିର୍ବାଚିତ ହେବେ। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମନୋନୟନକୁ ନେଇ ବିଏମ୍‌ସି ରାଜନୀତି ସରଗରମ ହୋଇଛି। ବିଜେଡିର ଆଭ୍ୟନ୍ତରୀଣ ମହଲରେ ଛକାପଞ୍ଝା ବି ଆରମ୍ଭ ହୋଇଯାଇଛି।

Advertisment

ଏବେ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷା ଅଛନ୍ତି ମେୟର ସୁଲୋଚନା ଦାସ। ଏହା ପରିବର୍ତ୍ତନ ହେବା ପ୍ରଶ୍ନ ଉଠୁ ନାହିଁ। ଏହା ବାଦ୍‌ ଅନ୍ୟତମ ମୁଖ୍ୟ କମିଟି ହେଉଛି ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ, ଡ୍ରେନେଜ୍‌ ଓ ପରିବେଶ। ଏହାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଅଛନ୍ତି। ସଦସ୍ୟ ଭରତ କୁମାର ଲେଙ୍କା ଅଧ୍ୟକ୍ଷ ପଦ ପାଇଁ ପୂର୍ବରୁ ଦାବିଦାର ଥିବାରୁ ଏଥର ମଧ୍ୟ ଏହି ଦାବି ଉଠିବାର ସମ୍ଭାବନା ରହିଛି। ପବ୍ଲିକ ୱାର୍କସ କମିଟି ଅଧ୍ୟକ୍ଷ ଅମରେଶ ଜେନା ଅଛନ୍ତି। ତାଙ୍କ କମିଟିରେ କେହି ଦାବିଦାର ନଥିବାରୁ ସେ ଅପରିବର୍ତ୍ତିତ ରହିବା କୁହାଯାଉଛି। ଗତ ବର୍ଷ ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟିରେ ସେତେବେଳେ ନୃପେଶ କୁମାର ନାୟକଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ମହିଳାଙ୍କୁ ଅଗ୍ରାଧିକାର ଦେବା ଆଧାରରେ ବିନୟିନୀ ଜେନାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ସ୍ଲମ୍‌ ରିସେଟେଲ୍‌ମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମହାମାୟା ସ୍ବାଇଁ, ଟ୍ୟାକ୍ସ, ଫାଇନାନ୍‌ସ ଓ ଆକାଉଣ୍ଟସ୍‌ କମିଟିର ପ୍ରୀତିନନ୍ଦା ରାଉତରାୟ, ଏଷ୍ଟାବ୍ଲିସ୍‌ମେଣ୍ଟ କମିଟିର କୁମାରେନ୍ଦ୍ର ମହାପାତ୍ର, ଲାଇସେନ୍ସ୍‌ ଓ ଅପିଲ୍‌ସ୍‌ କମିଟିର ପ୍ରେମାନନ୍ଦ ଜେନା, ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି କମିଟିର ମିହିର କୁମାର ରାଉତ, ପ୍ଲାନିଂ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ କମିଟିର ଶ୍ରୀଧର ଜେନା ଅଧ୍ୟକ୍ଷ ରହିଛନ୍ତି।

ନୂଆ ଦାବିଦାରମାନେ ଅଧ୍ୟକ୍ଷ ପଦରେ ବସିବା ପାଇଁ ବିଧାୟକଙ୍କ ପାଖରେ ଲବି ଚଳାଇଥିବା କୁହାଯାଉଛି। ଗତ ବର୍ଷ ମେୟର ନୂଆ ଥିବାରୁ ଏହି କମିଟି ଅଧ୍ୟକ୍ଷ ଚୟନକୁ ନେଇ ସମସ୍ତ ବିଧାୟକଙ୍କ ସହ ପରାମର୍ଶ କରିଥିଲେ। କିନ୍ତୁ ମେୟର ଏବେ ଗୋଟିଏ ବର୍ଷର ଅନୁଭବି ହୋଇଥିବାରୁ ନିଷ୍ପତ୍ତି ନିଜେ ନେବେ ନା ବିଧାୟକଙ୍କ ପରାମର୍ଶ ନେବେ ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। କେତେକ ପୁରୁଖା ଅଧ୍ୟକ୍ଷଙ୍କୁ ଛାଡ଼ିଦେଲେ ଅନ୍ୟ କେତେକ ପଦରେ ଏହି ଦାବିଦାରଙ୍କୁ ଥଇଥାନ କରିବାକୁ ବିଚାରବିମର୍ଶ ଚାଲିଥିବା କୁହାଯାଉଛି। ତେବେ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ଅଧ୍ୟକ୍ଷ ପଦରୁ କୁମାରେନ୍ଦ୍ର ମହାପାତ୍ର ବିଦା ହେବେ ବୋଲି ଚର୍ଚ୍ଚା ହେଉଛି।

ଗତ ମାସରୁ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଷ୍ଟାଣ୍ଡିଂ କମିଟି ଚର୍ଚ୍ଚାରେ ରହିଛି। ଏହି କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଓ ଉପବ‌ିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ‘ସେ ଦାୟିତ୍ବରେ ରହିଲେ ମୁଁ ରହିବି ନାହିଁ’ ବୋଲି ଅନେକ ଦିନ ପୂର୍ବରୁ ଶ୍ରୀ ମହାପାତ୍ର କହି ସାରିଛନ୍ତି। ଏଥିପାଇଁ ଗତ ମାସରେ ଏହି କମିଟିର ବୈଠକ ବସି ପାରି ନାହିଁ। ଫଳରେ ଏହି କମିଟିର ସୁପାରିସ କର୍ପୋରେସନକୁ ଯାଇ ପାରିନଥିଲା। ଫଳରେ ସାମ୍ବିଧାନିକ ବ୍ୟବସ୍ଥାରେ ବ୍ୟାଘାତ ହୋଇଥିଲା। ଏପରିକି ଶ୍ରୀ ମହାପାତ୍ର କର୍ପୋରେସନ ବୈଠକକୁ ଆସିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। କେତେକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମଧ୍ୟ ତାଙ୍କୁ ସମର୍ଥନ କରୁଥିବା କହିଥିଲେ। ଛନ୍ତି। କିନ୍ତୁ କଣ ହେଲା କେଜାଣି ସେ ସୁନା ପିଲା ଭଳି ବୈଠକକୁ ଆସିଥିଲେ ଓ ଜଣେ ହେଲେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତାଙ୍କୁ ସମର୍ଥନ କରୁଥିବା ଅନୁମେୟ ହୋଇନଥିଲା।

କୁମାରେନ୍ଦ୍ରଙ୍କ କହିବା କଥା ଗାୟତ୍ରୀ ସାମନ୍ତରାୟ ଦୁଇ ଦୁଇ ଥର ବଦଳି ହୋଇଥିଲେ ମଧ୍ୟ ରିଲିଭ୍‌ ହେଉ ନାହାନ୍ତି। କେଉଁ କାରଣ ପାଇଁ ହେଉ ନାହାନ୍ତି ତାହା ତ ପଛ କଥା, କିନ୍ତୁ ଏଷ୍ଟାବ୍ଲିସ୍‌ମେଣ୍ଟ ସେକ୍ସନରେ ଯେଉଁ ସବୁ କାମ ଜନସ୍ବାର୍ଥରେ ହେବା କଥା ସେଥିରେ ବାଧା ସୃଷ୍ଟି ହେଉଛି। ଏଣୁ ତାଙ୍କୁ ସରକାରୀ ଆଦେଶ ମୁତାବକ ବିଏମ୍‌ସିରୁ ରିଲିଭ୍‌ କରାନଗଲା ନାହିଁ, ବରଂ ଅତି କମ୍‌ରେ ତାଙ୍କୁ ଏହି ଉପ ବିଭାଗ (ଏଷ୍ଟାବ୍ଲିସ୍‌ମେଣ୍ଟ) ଦାୟିତ୍ବରୁ ହଟାଇ ଭିନ୍ନ ଦାୟିତ୍ବ ଦିଆଯାଉ। କିନ୍ତୁ ବିଏମ୍‌ସ୍‌ ଗାୟତ୍ରୀ ସାମନ୍ତରାୟଙ୍କୁ ଦାୟିତ୍ବରୁ ହଟାଇବ କଣ, ବରଂ ନୂଆ ଦାୟିତ୍ବ ଦେଇଛି। ବିଏମ୍‌ସି ଅଧୀନରେ ଥିବା ସମସ୍ତ ପାର୍କର ପରିଚାଳନା ପାଇଁ ତାଙ୍କୁ ନୋଡାଲ ଅଫିସର ଭାବରେ କ୍ଷମତାସୀନ କରାଯାଇଛି। ଗତ ୧୫ ତାରିଖ ଦିନ ଏ ନେଇ କମିସନର ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଳୟ ଆଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ପରିବେଶ ଅଧିକାରୀ ଓ ତାଙ୍କ ଟିମ୍‌ ପାର୍କ ସମ୍ବନ୍ଧୀୟ ସମସ୍ତ ଫାଇଲ୍‌ ଗାୟତ୍ରୀ ସାମନ୍ତରାୟଙ୍କ ଜରିଆରେ ଅତିରିକ୍ତ କମିସନର(୩)ଙ୍କ ନିକଟରେ ଉପସ୍ଥାପନ କରିବେ। ଏହି ନୂଆ ଦାୟିତ୍ବ ସମ୍ପୃକ୍ତ ଅଧିକାରୀଙ୍କ ଦକ୍ଷତାକୁ ପ୍ରତିପାଦନ କରିଛି ନା ସମ୍ପୃକ୍ତ ରାଜନେତାଙ୍କୁ ଅପମାନ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମସ୍ତେ ୨୪ ତାରିଖକୁ ଅପେକ୍ଷା କରିଛନ୍ତି।