ଭୁବନେଶ୍ବର: ୨୦୦୨ ମସିହା ଜୁନ୍ ୭ ତାରିଖର କଥା। ମୁଁ ସେ ସମୟରେ ରାଉରକେଲା ସେକ୍ଟର ୧୯ ଥାନାର ଆଇଆଇସି ଥାଏ। ହଠାତ୍ ଥାନାର ଜଣେ ମହିଳା ସବ୍ଇନ୍ସପେକ୍ଟର ମମତା ମହାନ୍ତି ନିଖୋଜ ହୋଇଗଲେ। ମୁଁ ମୋର ବ୍ୟକ୍ତିଗତ କାରଣରୁ ଛୁଟିରେ ବାହାରକୁ ଯାଇଥାଏ। ମମତାଙ୍କର ଜଣେ ଆଇନଜୀବୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ବିବାହକୁ ମାତ୍ର ୫ଦିନ ବାକିଥିଲା ବେଳେ ସେ ନିଖୋଜ ହୋଇଯିବା ଅଭିଯୋଗ ଆସିବା ପରେ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଥାନା ପଛପଟେ ଥିବା ଏକ କ୍ବାର୍ଟର୍ସରେ ରହୁଥିବା ମମତା ନିଖୋଜ ହୋଇଯିବା ପରେ ମାମଲାର ଗୁରୁତ୍ବ ବଢ଼ିଯାଇଥିଲା।
ସେହି ଥାନାରେ ପ୍ରଦୀପ ସେଠ୍ ନାମକ ଜଣେ ଏଏସ୍ଆଇ କାମ କରୁଥିଲେ। ପ୍ରଦୀପ ବିବାହିତ ଥିଲେ ଏବଂ ତାଙ୍କର ଥିଲେ ୨ଟି ସନ୍ତାନ। ତାଙ୍କ ସହିତ ମମତାଙ୍କର ପାରିବାରିକ ସମ୍ପର୍କ ମଧ୍ୟ ରହିଥିଲା। ସେଦିନ ରାତିରେ ମମତାଙ୍କୁ ତୋରାଣିପିଆ (ବିବାହ ପୂର୍ବରୁ କନିଆଙ୍କୁ ଖାଇବାପିଇବା ଦେବା) ବାହାନାରେ ପ୍ରଦୀପ ତାଙ୍କ ଘରକୁ ନେଇଯାଇଥିଲେ। ମମତା ମନା କରିବା ସତ୍ତ୍ବେ ତାଙ୍କ ମା’ଙ୍କ ଅନୁମତି ଆଣି ପ୍ରଦୀପ ସାଙ୍ଗରେ ମମତାଙ୍କୁ ନେଇ ଯାଇଥିଲା। ଯିବା ସମୟରେ ମମତା ନିଜର ସମ୍ପର୍କୀୟ ବିଜୟା ସିଂହଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ। ପ୍ରଦୀପ ନିଜ ସାଙ୍ଗଠାରୁ ଆଣିଥିବା ଏକ ମାରୁତି ୮୦୦ କାରରେ ତିନିଜଣ ମିଶି ପ୍ରଦୀପଙ୍କ ଘର ଅଭିମୁଖେ ବାହାରିଥିଲେ। ତେବେ ଘରକୁ ଯିବା ବଦଳରେ ପ୍ରଦୀପ ବୀରମିତ୍ରପୁର ଅଭିମୁଖେ ଗାଡ଼ି ନେଇଥିଲା। ମମତା ରାସ୍ତା ସମ୍ପର୍କରେ ଜାଣିଥିବାରୁ ପ୍ରଦୀପକୁ କେଉଁଆଡ଼େ ନେଉଛ ବୋଲି ପ୍ରଶ୍ନ କରିଥିଲେ। ଏନେଇ ପ୍ରଦୀପ ଓ ମମତାଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଦୀପ ନିଜ ସର୍ଭିସ୍ ରିଭଲଭରରେ ମମତା ଓ ବିଜୟାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା।
ହତ୍ୟା କରିବା ପରେ ପ୍ରଦୀପ ସେଦିନ ରାତିରେ ମୃତଦେହ ନେଇ କାର୍ରେ ରାଞ୍ଚି ପଳାଇଥିଲା। ୮ତାରିଖ ଦିନ ଏକ ଜଙ୍ଗଲରେ ଲୁଚିରହିଥିଲା। ୯ତାରିଖ ଦିନ ସକାଳେ ଧାନବାଦ ନିକଟ ପୋଟ୍କି ଥାନା ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ବନ୍ଧୁକକୁ ଲୁଚାଇଥିଲା। ଗାତ ଖୋଳି ମୃତଦେହ ଦୁଇଟିକୁ ପୋତିବା ସମୟରେ ଏକ ମାଛଗାଡ଼ି ଚାଲିଆସିବାରୁ ପ୍ରଦୀପ ମୃତଦେହ ଛାଡ଼ି ସେଠାରୁ ଖସିଯାଇଥିଲା। ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଗାଡ଼ିକୁ ଜାମସେଦପୁରକୁ ନେଇ ଏକ ଘାଟି ନିକଟରେ ନିଆଁ ଲଗାଇଦେଇଥିଲା।
୨୦ଦିନ ପର୍ଯ୍ୟନ୍ତ କୌଣସି ଖୋଜଖବର ମିଳି ନଥିଲା। ଗୋଟିଏ ଥାନାର ଦୁଇଜଣ ପୁଲିସ ଅଧିକାରୀ ନିଖୋଜ ହୋଇଯିବା ବହୁତ ବଡ଼କଥା। କେଉଁଆଡ଼େ ଗଲେ ବୋଲି ଅନ୍ଧାରରେ ବାଡ଼ି ବୁଲାଉଥିଲୁ। ତଦନ୍ତ ବେଳେ ପ୍ରଦୀପ ସହିତ ମମତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସୁରାକ୍ ମିଳିଥିଲା। ପ୍ରଦୀପ ନିଖୋଜ ଥିବାରୁ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ବଡ଼ କଷ୍ଟରେ କିଛି ପ୍ରମାଣ ମିଳିବାରୁ ପୁଲିସ ଟିମ୍ନେଇ ଧାନବାଦ ଅଭିମୁଖେ ଯାଇଥିଲୁ। ସେଠାକାର ଏସ୍ପିଙ୍କୁ ଦେଖା କରିଥିଲୁ। ସେହି ସମୟରେ ଧାନବାଦ ଥାନା ଅଞ୍ଚଳରେ ଦୁଇଜଣ ଅଜଣା ଯୁବତୀଙ୍କ ମୃତଦେହ ମିଳିଥିବାର ସୂଚନା ମିଳିଥିଲା। ମୃତଦେହକୁ ଏକ ହସ୍ପିଟାଲକୁ ପ୍ରଦାନ କରାଯାଇଥିବାରୁ ଆଉ ମୃତଦେହ ପାଇପାରି ନଥିଲୁ। ମାତ୍ର ଉଭୟଙ୍କର ପିନ୍ଧା ଡ୍ରେସ୍ ପୁଲିସ ସାଇତି ରଖିଥିଲା। ଡ୍ରେସ୍ ଦେଖିବା ପରେ ମମତା ମହାନ୍ତିଙ୍କୁ ଚିହ୍ନଟ କରିଥିଲି। ପ୍ରାୟ ଅଢ଼େଇ ମାସ ପରେ ପ୍ରଦୀପ ଧରାପଡ଼ିଥିଲା। ମାତ୍ର ସେତେବେଳକୁ ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚ ନେଇସାରିଥିଲା।