ଭୁବନେଶ୍ୱର: ସ୍ଲମ୍ କ୍ବାର୍ଟର୍ସ ପ୍ରସଙ୍ଗରେ ବିଏମ୍ସିକୁ ଆଉ ଏକ ଝଟ୍କା ଲାଗିଛି। କ୍ବାର୍ଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ଯାଇଥିବା ବିଏମ୍ସିର ଆବେଦନ ଖାରଜ ହୋଇଛି। ବରଂ ହିତାଧିକାରୀଙ୍କ ନାମରେ ଏହି କ୍ବାର୍ଟର୍ସ କରିଦେବା ପାଇଁ ଆବେଦନର ବିଚାର କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ହୋଇଥିବା ଆଦେଶ ପାଳନ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଏବେ ଯେଉଁ କର୍ମଚାରୀଙ୍କୁ ବେଦଖଲ କରିବାକୁ ଯୋଜନା କରି ବିଏମ୍ସି କୋର୍ଟ ଯାଇଥିଲା ସେଥିରେ ତ’ ବିଫଳ ହୋଇଛି, ତା’ ସହିତ ଏହି ବିଫଳତା ଏବେ ଏହି କ୍ବାର୍ଟର୍ସ ହାତେଇବା ପାଇଁ ବାଟ ଖୋଲିଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ରେ ରହିଛି।
କେନ୍ଦ୍ର ସରକାର ଏହି ସ୍ଲମ୍ କ୍ବାର୍ଟର୍ସ ଆର୍ଥିକ ଦୁର୍ବଳ ବ୍ୟକ୍ତି ବିଶେଷଙ୍କ ପାଇଁ ତିଆରି କରିଥିଲେ। କିନ୍ତୁ ଖୋଦ୍ ବିଏମ୍ସି କେତେକ କ୍ବାର୍ଟର୍ସ ନିଜ କର୍ମଚାରୀଙ୍କୁ ବାଣ୍ଟି ଦେଇଥିଲା। ଯଦିଓ ଏହି କ୍ବାର୍ଟର୍ସ ବାଣ୍ଟିବା ପାଇଁ ଏକ କମିଟି କ୍ଷମତାପ୍ରାପ୍ତ ହୋଇଥିଲା। ବିଏମ୍ସିର ଏହି ତ୍ରୁଟି ସବୁ ଅଡ଼ୁଆର ମୂଳ ହୋଇଥିଲା। କେତେକ ଏହି କ୍ବାର୍ଟର୍ସ ଛାଡ଼ିନଥିଲେ। କେତେକଙ୍କୁ ବିଏମ୍ସି ଅବସର ପରେ କ୍ବାର୍ଟର୍ସ ଛାଡ଼ିବାକୁ ଚିଠି ଲେଖିଥିଲା। ଏଣୁ ମାମଲା କୋର୍ଟକୁ ଯାଇଥିଲା। କୋର୍ଟରେ ଆବେଦନକାରୀଙ୍କ ସପକ୍ଷରେ ରାୟ ଯାଇଥିଲା। ବଡ଼କଥା ହେଉଛି ବିଏମ୍ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦେଇଥିବା ଏକ ଚିଠିରେ ସ୍ବୀକାର କରିଥିଲା କି, ଏଠାରେ କ୍ବାର୍ଟର୍ସ ପାଇଥିବା ଅଧିକାଂଶ ବସ୍ତିବାସିନ୍ଦା ନୁହନ୍ତି। ଅନେକ ଅଯୋଗ୍ୟ ବ୍ୟକ୍ତି ଏଠାରେ ରହୁଛନ୍ତି।
କିନ୍ତୁ ଏ ବାବଦରେ ଉପଯୁକ୍ତ ତଥ୍ୟ କୋର୍ଟରେ ଉପସ୍ଥାପନ କରାଯାଇ ନଥିବାରୁ ବିଏମ୍ସିର ପକ୍ଷ ଦୁର୍ବଳ ହୋଇଯାଇଛି ବୋଲି ଲେଖିଥିଲା। ଏଣୁ ଆବେଦନକାରୀଙ୍କ ସପକ୍ଷରେ ଆସିଥିବା ରାୟକୁ ଚାଲେଞ୍ଜ କରି ଉପଯୁକ୍ତ ତଥ୍ୟ ଆଧାରରେ ହାଇକୋର୍ଟରେ ଆବେଦନ କରିବାକୁ ବିଏମ୍ସିକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଥିଲା। ତେବେ ବିଏମ୍ସିର ଏହି ରିଟ୍ ପିଟିସନ ଖାରଜ ହେବା ସହ ପୁରୁଣା ଆଦେଶକୁ ପାଳନ କରିବାକୁ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଅଗଷ୍ଟ ୨ ତାରିଖ ସୁଦ୍ଧା ଆଦେଶ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଅର୍ଥାତ୍ ହାତରେ ଆଉ ୫୦ ଦିନ ଅଛି। ଏଣୁ ବିଭାଗ କ’ଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି। ବିଏମ୍ସି ନିଜ ଅଧିକାରର ଦୁରୂପଯୋଗ କରି କ୍ବାର୍ଟର୍ସ ଆବଣ୍ଟନ କରିଛି। ଆଜି ଯେତିକି ସମସ୍ୟା ହୋଇଛି ତାହା ପାଇଁ କେବଳ ବିଏମ୍ସି ଦାୟୀ। ଏଣୁ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଛି।
ଅନ୍ୟପଟେ ବିଏମ୍ସି ପାଖରେ ଏ ବାବଦରେ କୌଣସି ତଥ୍ୟ ନାହିଁ। ଫାଇଲ୍ ହଜି ଯାଇଛି। ନିଜର ଭୁଲ ଥିବାରୁ ଫାଇଲ୍କୁ ଜାଣି ଜାଣି ନଷ୍ଟ କରିଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ବିଏମ୍ସି ଏହି କ୍ବାର୍ଟର୍ସ ବୁଲି ସର୍ଭେ କରିଛି। କିଏ କେଉଁ ଆଧାରରେ ପାଇଛି? କିଏ ଯୋଗ୍ୟ, କିଏ ଅଯୋଗ୍ୟ? କେଉଁଠି ବିଏମ୍ସିର ତ୍ରୁଟି? ଏସବୁର ଦସ୍ତାବିଜ୍ ପ୍ରସ୍ତୁତ କରିଛି। ସର୍ବେକ୍ଷଣ ବେଳେ ବିଏମ୍ସିର ୮୦ ପ୍ରତିଶତରୁ ଅଧିକ ତ୍ରୁଟି ଥିବା ପଦାକୁ ଆସିବା ପରେ ଏହାକୁ କିଭଳି ସୁଧାରିବ ସେ ନେଇ ବିଏମ୍ସିକୁ ଚିନ୍ତା ଘାରିଛି। ବିଏମ୍ସି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଛକାପଞ୍ଝାରେ କ୍ବାର୍ଟର୍ସ ଅନ୍ତେବାସୀମାନେ ପ୍ରମାଦ ଗଣିଛନ୍ତି। କାରଣ ୪୦ରୁ ଊର୍ଦ୍ଧ୍ବ ଆବେଦନକାରୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଏହି ସ୍ଲମ୍ କ୍ବାର୍ଟର୍ସଗୁଡ଼ିକୁ ସମ୍ପୃକ୍ତ ଅନ୍ତେବାସୀଙ୍କ ନାମରେ କରିଦେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଏବେ ବିଭାଗୀୟ କଳିରେ କ’ଣ ନିଷ୍ପତ୍ତି ହେବ ସେ ନେଇ ଏହି ଆଲଟିମାନେ ଚିନ୍ତାରେ ପଡ଼ିଛନ୍ତି।
୧୯୫୬ ମସିହାରେ କେନ୍ଦ୍ର ସରକାର ‘ସ୍ଲମ୍ କ୍ଲିୟରାନ୍ସ ସ୍କିମ୍’ରେ ୟୁନିଟ୍-୩ ମାଳିସାହି, ପୁରୁଣା ଭୁବନେଶ୍ବର ହାଡ଼ିପୋଖରୀ ଓ ଶ୍ରୀରାମନଗରରେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଜମିରେ ୧୮୫ଟି କ୍ବାର୍ଟର୍ସ ତିଆରି କରିଥିଲେ। ଏହି ସବୁ କ୍ବାର୍ଟର୍ସ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପୂର୍ତ୍ତ ବିଭାଗ, ବିଏମ୍ସି (ତତ୍କାଳୀନ ମ୍ୟୁନିସିପାଲିଟି) ଅଧିକାରୀଙ୍କୁ ନେଇ ଏକ ‘ସ୍ଲମ୍ କ୍ବାର୍ଟର୍ସ ଆଲଟ୍ମେଣ୍ଟ କମିଟି’ ଗଠନ ହୋଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ସ୍ବଳ୍ପ ଭଡ଼ାରେ ଘରଗୁଡ଼ିକୁ ବସ୍ତିବାସିନ୍ଦାଙ୍କୁ ଦେବା ପାଇଁ ନିୟମ ରହିଥିଲା। କିନ୍ତୁ ବିଏମ୍ସି ବେଆଇନ ଭାବରେ କେତେକ କର୍ମଚାରୀଙ୍କୁ ଏହି କ୍ବାର୍ଟର୍ସ ବାଣ୍ଟି ଦେଇଥିଲା।