ସରିଲା ଅଜିତ ନାଟ୍ୟ ମହୋତ୍ସବ: ବଞ୍ଚିବାକୁ ହୁଏ…

ଭୁବନେଶ୍ବର: ପରିବାର ଥାଇ ବି ଅନେକ ବାପା ମା’ଙ୍କୁ ନିଃସଙ୍ଗ ଜୀବନ ଜିଇଁବାକୁ ପଡ଼େ। ସଶରୀରେ ବଞ୍ଚି ରହୁଥିଲେ ବି ପ୍ରତି ମୁହୂର୍ତରେ ମରିବାକୁ ପଡ଼େ। ଏ ପ୍ରକାରର ଜୀବନ ବେ‌ଳେବେଳେ ମୃତ୍ୟୁକୁ ଆହ୍ବାନ କରେ। ମାତ୍ର ସେମାନଙ୍କୁ ବଞ୍ଚିବାକୁ ହୁଏ। ନିଜ ପାଇଁ ନହେଲେ ବି ନିଜ ଭବିଷ୍ୟତ ବଂଶଧରଙ୍କ ପାଇଁ…। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଛି ନାଟକ ‘ବୁଢ଼େ ନେ କହା’। ଅଜିତ ନାଟ୍ୟାନୁଷ୍ଠାନ ପକ୍ଷରୁ ଆୟୋଜିତ ଜାତୀୟ ଅଜିତ ନାଟ୍ୟ ମହୋତ୍ସବରେ ଏହିଭଳି ଏକ କଥାବସ୍ତୁକୁ ନେଇ ହିନ୍ଦୀ ଭାଷାରେ ମଂଚସ୍ଥ ନାଟକ ପରିବେଷଣ କରିଛନ୍ତି ନୂଆଦିଲ୍ଲୀର ‘ରଙ୍ଗ ବିଶାରଦ’ ନାଟ୍ୟାନୁଷ୍ଠାନ। ବୀଣା ଶର୍ମା ଏହାକୁ ନିର୍ଦେଶନା ଦେଇଥିବା ବେଳେ ବୀଣା, ସୁଶୀଲ୍‌, ବିଶାରଦ, ମେଘା, ରଜତ୍‌, ପ୍ରାଚୀ, ପ୍ରିୟଙ୍କା ଅଭିନୟ କରିଥିଲେ। ନାଟ୍ୟ ମହୋତ୍ସବର ଶେଷ ଦିନରେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀ ଏବଂ କଥାକାର ଗୌରହରି ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅଜିତ ନାଟ୍ୟାନୁଷ୍ଠାନର ମୁଖ୍ୟ ତଥା ବିଶିଷ୍ଟ ସିନେ ଅଭିନେତା ଅଜିତ ଦାସ ମଧ୍ୟ ଉପସ୍ଥିତ ଥିଲେ। ଶୁଭ୍ରାଂଶୁ ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର