ସରିଲା ବାରଙ୍ଗ ଉତ୍ସବ, ମେଲାଣି ନେଲେ କାର୍ତ୍ତିକେଶ୍ବର

ବାରଙ୍ଗ/ତ୍ରିଶୁଳିଆ: ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ବାରଙ୍ଗ କାର୍ତ୍ତିକେଶ୍ବର ମହୋତ୍ସବ। ସକାଳୁ ସବୁ ଗ୍ରାମରେ ପୂଜା ପାଉଥିବା ମୃଣ୍ମୟ ମୂର୍ତ୍ତି ମଣ୍ତପ ଛାଡ଼ି ବାଜା, ରୋଶଣି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ପାରମ୍ପରିକ ବାଦ୍ୟ, ଡିଜେ ସାଙ୍ଗକୁ ସଂଗୀତର ତାଳେ ତାଳେ ନୃତ୍ୟରତ ଯୁବକ ଓ ମୁରବିମାନେ କାର୍ତ୍ତିକେଶ୍ବରଙ୍କୁ ମେଲାଣି ଦେଇଥିଲେ। ସନ୍ଧ୍ୟା ହେବା ମାତ୍ରେ ସବୁ ମେଢ଼ ତ୍ରିଶୁଳିଆଠାରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ଗୋଟି ଗୋଟି ହୋଇ ଧାଡ଼ି ବାନ୍ଧିଥିଲେ। ଶୋଭାଯାତ୍ରା କରି ବାରଙ୍ଗ ଥାନା ସମ୍ମୁଖରେ ଆଞ୍ଚଳିକ ଶାନ୍ତି କମିଟି ତରଫରୁ ଆୟୋଜିତ ମେଳଣ ପଡ଼ିଆ ଆଡ଼କୁ ଆସିଥିଲେ। ସେଠାରେ ଶାନ୍ତି କମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଅଶୋକ ରାଉତ, ସମ୍ପାଦକ ସୁରେଶ ମହାନ୍ତି, ସୁଧାକର ପାଣି, ଅଭିମନ୍ୟୁ ବେହେରା, ତପନ ସେଠୀ ଓ ଦିବାକର ମୁଦୁଲିଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପରମ୍ପରା ଅନୁସାରେ ସମସ୍ତ ପୂଜା ମଣ୍ତପର ମୁରବିମାନଙ୍କୁ ଫୁଲମାଳ ଓ ଭୋଗ ହାଣ୍ତି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୪୮ ମଣ୍ତଳ ସଂକୀର୍ତ୍ତନ କମିଟି ତରଫରୁ ମହନ୍ତ ଡ. କିଶୋର ଚନ୍ଦ୍ର ପାଣି ଓ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟ ମେଢ଼ ମୁରବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ କ୍ରମାନ୍ବୟରେ ମେଢ଼ ସବୁ ଯାଇ ପୁରୀ ମୁଖ୍ୟ କେନାଲ ପୋଲ ନିକଟରେ ଓ ସୁଭାଷ ବୋଷ ସେତୁ ନିକଟ କାଠଯୋଡ଼ି ନଦୀରେ ବିସର୍ଜନ ହୋଇଛି। ଚଳିତ ବର୍ଷ ମୋଟ ୩୩ଟି ମେଢ଼ ବିସର୍ଜନ କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ରକ୍ଷା ଲାଗି ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ, କଟକ ଜୋନ୍ ୪ ଏସିପି ଏସ୍‌.ଆର ମଲ୍ଲିକଙ୍କ ସମେତ ୧୦ ଜଣ ଅଫିସର ଓ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଥିଲେ।

ସମ୍ବନ୍ଧିତ ଖବର