ଗୋଲ୍ଡେନ୍‌ ବାବାର ରିମାଣ୍ଡ ଶେଷ: ଅଧିକାରୀ ନିରବ, ଚାପି ହେଇଯିବା ଆଶଙ୍କା

ଭୁବନେଶ୍ୱର: ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍‌ଡେନ୍ ବାବାର ରିମାଣ୍ଡ ଅବଧି ଶେଷ ହୋଇଛି। କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗୋଟିଏ ଦିନ ମାରାଥନ୍‌ ଜେରା କରିବା ପରେ ଆଜି ତାକୁ କୋର୍ଟଚାଲାଣ କରିଛି। ଗତକାଲିଠାରୁ ଦିନ ସାରା ଇଓଡବ୍ଲୁ ଅଫିସର ମୁଖ୍ୟ ଫାଟକ ତାଲା ପଡ଼ିବା ସହ ଜଣକ ପରେ ଜଣେ ଅଫିସର ବାବାକୁ ଜେରା କରିଥିଲେ। ଜେରାରେ ଅନେକ ଗୁପ୍ତ ତଥ୍ୟ ପଦାକୁ ଆସିଥିବା କୁହାଯାଉଥିଲେ ମଧ୍ୟ କୌଣସି ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି। କମିସନରେଟ୍‌ ପୁଲିସ ଦୁଇଦିନ ଧରି ଏହିଭଳି ଜେରା କରିଥିଲା। ବାବା ଘରର ଗୁପ୍ତ ଚାମ୍ବରରେ ପୁଲିସ ଚଢ଼ଉ କରିବା ବେଳେ କେତେକ ରାଜନୈତିକ ଓ ଗ୍ଲାମର ଲିଙ୍କ୍‌ର ସୁରାକ୍‌ ପାଇଥିଲା। କମିସନରେଟ୍‌ ପୁଲିସ ମଧ୍ୟ ବାବାର ଖୋଳତାଡ଼କୁ ନେଇ ନିରବ ରହିଥିଲା। କିଛି ତଥ୍ୟ ଗଳାବାଟ ଦେଇ ବାହାରି ଆସିଥିଲେ ମଧ୍ୟ କୌଣସି ଅଧିକାରୀ ଆନୁଷ୍ଠାନିକ ଭାବେ କହିବା ପାଇଁ ଚାହିନଥିଲେ। କେବଳ ବାବା ନୁହେଁ, ବାବାର ସହଯୋଗୀକୁ ମଧ୍ୟ ଅଟକ ରଖି ପୁଲିସ ଜେରା କରିଥିଲା। ହେଲେ ବିଧିବଦ୍ଧ ଭାବରେ ଏହି ତଦନ୍ତର ଫଳ ପ୍ରକାଶ ପାଇନଥିଲା। ସହର ସାରା ବିଭିନ୍ନ ନେତାଙ୍କ ସହ ଲାଗିଥିବା ହୋର୍ଡିଂ ରାତାରାତି ଖୋଲି ଦିଆଯାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଶୋଭା ପାଉଥିବା ନେତାଙ୍କ ସହ ଫଟୋ ମଧ୍ୟ ରାତି ଅଧିଆ ଉଭାନ ହୋଇ ଯାଇଥିଲା। ଯଥାଶୀଘ୍ର ମାମଲା ଇଓଡବ୍ଲୁକୁ ହସ୍ତାନ୍ତର କରାଯାଇଥିବା ବେଳେ ବାବାକୁ ରିମାଣ୍ଡରେ ନିଆଯାଇଥିଲା। ଏବେ ରିମାଣ୍ଡ ବି ସରିଗଲା। ହେଲେ ସମସ୍ତେ ଚୁପ୍‌। କ’ଣ ଏମିତି ହେଲା ଯେ ପୁଲିସ ଓ ଇଓଡବ୍ଲୁ ଦୁଇ ଦୁଇଟି ବିଭାଗ ଚୁପ୍‌ ‌ହୋଇଗଲେ? ଆଗକୁ ନିର୍ବାଚନ ଆସୁଛି। ବାବା ସହ ରହିଥିବା ରାଜନୈତିକ ସଂଯୋଗ କିଛି ନେତାଙ୍କୁ ଅକଳରେ ପକାଇବା ଆଶଙ୍କା ଥିବାରୁ ଚାପି ଦିଆଯାଉଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ତେବେ ତଦନ୍ତ ନିରପେକ୍ଷ ହେବ ବୋଲି କହିଛନ୍ତି ଏଡିଜି(କ୍ରାଇମ୍‌ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ।

ସମ୍ବନ୍ଧିତ ଖବର