ସରିଲା ‘କଥା’ କର୍ମଶାଳା, ‘ବାସ୍ତବବାଦୀ ହେବା ପରଠୁ ଆମ ସାହିତ୍ୟର ମୃତ୍ୟୁ ହୋଇଛି’

ଭୁବନେଶ୍ବର: ଯେବେଠୁ ଆମ ସାହିତ୍ୟ ବାସ୍ତବବାଦୀ ହୋଇଛି ସେବେଠୁ ତା’ର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ କେତେଜଣ ଓ କେମିତି ମଲେ ତାହା ସାମ୍ବାଦିକଟିଏ ଲେଖେ। କିନ୍ତୁ ଦୁର୍ଘଟଣାରେ ମରିଯାଇଥିବା ଲୋକଟି କିଏ ତା’ର ତଥ୍ୟ ସାହିତ୍ୟିକ ହିଁ ଉନ୍ମୋଚନ କରେ। ଏହା କହିଛନ୍ତି ବିଖ୍ୟାତ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ। ଗଳ୍ପ ପତ୍ରିକା ‘କଥା’ର ଦ୍ବିତୀୟ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକୀରମୋହନ ସେନାପତିଙ୍କ ‘ରାଣ୍ଡିପୁଅ ଅନନ୍ତା’ ଗଳ୍ପର କଥାବସ୍ତୁକୁ ଉଦ୍ଧାର କରି କହିଲେ, ଯୋଉ କଥା ‘କମନ ମ୍ୟାନ୍‌’ ଉପରେ ଲେଖାଯାଏ ତାହା ସାମାଜିକ ସାହିତ୍ୟ। ଯାହା ‘ମ୍ୟାନ୍‌’ଙ୍କ ଉପରେ ଲେଖାଯାଏ ତାହା ହିଁ ସାହିତ୍ୟ। ଏହି ଦୁଇଟି ମଧ୍ୟରେ ଫରକକୁ ବୁଝିପାରିଲେ କାହାଣୀର ଆତ୍ମାକୁ ଚିହ୍ନି ପାରିବା। ସେ ଏକଥା ବି କହିଲେ, ଭାରତୀୟ ସାହିତ୍ୟର ମୂଳକଥା ହେଉଛି ପୌରାଣିକତା। ସାହିତ୍ୟରେ ଚିରସ୍ଥାୟୀତା ଜାଣିବାକୁ ଚେଷ୍ଟା କର। ନଚେତ୍‌ ସାହିତ୍ୟ ସାଧାରଣ ‌ରିପୋର୍ଟିଂ ସଦୃଶ ହେଇଯିବ।

ପାନ୍ଥନିବାସରେ ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳାର ଉଦ୍‌ଯାପନୀ ସନ୍ଧ୍ୟାରେ ‘ସମ୍ବାଦ’ର ସମ୍ପାଦକ ତଥା ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ଆମ ସାହିତ୍ୟର ଏକ ଦାୟିତ୍ବ ରହିଛି। ମାତ୍ର ସାହିତ୍ୟରେ ଭିନ୍ନମତକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଭିନ୍ନମତକୁ ପ୍ରକାଶ କରିବାର ପରିବେଶଟିଏ ସୃଷ୍ଟି ହୋଇନପାରିଲେ ସାହିତ୍ୟ ତିଷ୍ଠି ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ୨ଦିନ ଧରି ୧୬ ଜଣ ନବପ୍ରତିଭାଙ୍କ ସହ ଆଲୋଚନା କରିଥିବା ବିଶିଷ୍ଟ ଲେଖକ ରବି ସ୍ବାଇଁ କହିଲେ, ଲେଖକ ନିଜ ଭିତରେ ସମୀକ୍ଷକଟିଏ ସୃଷ୍ଟି କରିବା ଆବଶ୍ୟକ। ସହଦେବ ସାହୁ କହିଲେ, ଗପ ଲେଖିବା ପାଇଁ ନିଜ ଭିତରେ ସେହିଭଳି ସାହସ ଜମାନ୍ତୁ। ଅରବିନ୍ଦ ରାୟ କହିଲେ, କେତେ ଲେଖୁଛ ଯେତିକି ବଡ଼କଥା ନୁହେଁ, କେମିତି ଲେଖୁଛ ତାହା ବଡ଼ କଥା। ହିରଣ୍ମୟୀ ମିଶ୍ର କହିଥିଲେ, ଆମେ ଭିନ୍ନ ଭିନ୍ନ ଜୀବନ ବଞ୍ଚୁଛେ। ତେଣୁ ସାହିତ୍ୟରେ ଭିନ୍ନଭିନ୍ନ କଥା ଆସିବ। ତୁମେ ନିଜେ ନିଜକୁ ଅତିକ୍ରମ କରିବାକୁ ଚେଷ୍ଟା କରିବ ବୋଲି ନବପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ।

‘କଥା’ର ସମ୍ପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଦେବା ସହ କର୍ମଶାଳାରେ ଅଂଶଗ୍ରହଣ କରିଥିବା ୧୬ ଜଣ ପ୍ରତିଭାଙ୍କ ପାଣ୍ଡୁଲିପିକୁ ନେଇ ‘କଥା’ର ଡିସେମ୍ବର ସଂଖ୍ୟାରେ ଏକ କର୍ମଶାଳା ବିଶେଷାଙ୍କ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ନବ ପ୍ରତିଭା ଦିଲେଶ୍ବର ରଣା, ବନ୍ଦନା ମିଶ୍ର ଦେବାନାଂପ୍ରିୟ ପ୍ରିୟଦର୍ଶୀ ସାମଲ, ଅପର୍ଣ୍ଣା ତ୍ରିପାଠୀ ପ୍ରମୁଖ କର୍ମଶାଳା ସମ୍ପର୍କିତ ଅନୁଭୂତି ବଖାଣିଥିଲେ। ଶେଷରେ ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର