ସରିଲା ମୟୂରଭଂଜ ମହୋତ୍ସବ: ବୀର ନୃତ୍ୟରୁ ପଞ୍ଚଭୂତ

ଭୁବନେଶ୍ବର: ଛଉ ନୃତ୍ୟରେ ଦୁଲୁକୁଥିଲା ମଞ୍ଚ। ହାସ୍ୟ ଅଭିନେତାଙ୍କ ହସ କଥାରେ ହସିହସି ବିଭୋର ହେଉଥିଲେ ଦର୍ଶକ। ଖାସି ମାଂସ ଝୋଳରେ ମହକୁ ଥିଲା ପରିବେଶ। ୩ ଦିନ ଧରି ଏହିପରି ନିଆରା ମନୋରଂଜନ ଭେଟି ଦେବା ପରେ ‘ମୟୂରଭଂଜ ମହୋତ୍ସବ’ର ପରଦା ନଇଁଛି। ‘ମୟୂରଭଂଜ ସାଂସ୍କୃତିକ ସଂସଦ’ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ମହୋତ୍ସବ‌େର କୁନି ଶିଳ୍ପୀ ବୈଭବ ରଣା ଛଉନୃତ୍ୟରେ ଅପୂର୍ବ ପ୍ରଦର୍ଶନ ସହ ଦର୍ଶକଙ୍କ ମନ ଜିଣିଥିଲେ। ପରେ ଛାଉଣି ଗ୍ରୁପ୍‌ ଛଉ ନୃତ୍ୟରେ ବୀର ନୃତ୍ୟ ଓ ପଞ୍ଚଭୂତ ଭେଟି ଦେଇଥିଲା। ମୟୂରଭଂଜ ଝୁମର ଅନୁଷ୍ଠାନର ଝୁମର ନୃତ୍ୟ, ଗୁରୁକୁଳ ଡ୍ୟାନ୍ସ ଆଣ୍ଡ୍‌ ଭିଜୁଆଲ୍‌ ଏକାଡେମି, ଆଦିମ ଅଧିବାସୀ ମହାସଂଘର ଦଳଗତ ଆଧୁନିକ ନୃତ୍ୟ ଦେଖିବାକୁ ମିଳିଥିଲା। ଏଥିସହ ସାଗର କୁମାରଙ୍କ ସଂଗୀତ ସାଙ୍ଗକୁ ପପୁ ପମ୍‌ପମ୍‌, ସଲିଲ ମିତ୍ର, ତାପସ ସରଘରିଆଙ୍କ ହାସ୍ୟରସାତ୍ମକ ଅଭିନୟ ଦେଖିବାର ମିଳିଥିଲା। ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଚିନ୍ମୟ ଦାସ ପଟ୍ଟନାୟକ ଓ ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାବର୍ଷ ଏହି ମେଳାର ପରିସର ଆହୁରି ବୃଦ୍ଧି ପାଇବ ବୋଲି ସଂସଦର ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର